ଉତ୍ତରପ୍ରଦେଶର ଝାନସିସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତ ରାତିରେ ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଏହି ଅଘଟଣରେ ପ୍ରାୟ ୧୬ ଜଣ ଗୁରୁତର ହୋଇଛନ୍ତି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।
ଗତକାଲି ରାତିରେ ହସ୍ପିଟାଲର NICUରେ ପ୍ରଥମେ ନିଆଁ ଲାଗିଥିଲା । ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ । ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା ।
ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ତୁରନ୍ତ ପହଞ୍ଚିଥିବା ବେଳେ ବହୁ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା।
ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ବହୁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। କିଏ ନିଜ ଛୁଆର ଜଳନ୍ତା ଶରୀର ଧରି ବୁଲୁଥିଲା ତ କିଏ ନିଜ ଛୁଆକୁ ଖୋଜି ଖୋଜି ମୁଣ୍ଡ ପିଟୁଥିଲା।
କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।