Advertisment

ଫ୍ୟାକ୍ଟ୍ରିରେ ଲାଗିଲା ଭୟଙ୍କର ନିଆଁ; ଜଳିଗଲେ ୪ ଶ୍ରମିକ, ୩ ଗୁରୁତର

ଫ୍ୟାକ୍ଟ୍ରିରେ ଗତ ରାତିରେ ଭୟଙ୍କର ନିଆଁ ଲାଗି ୪ ଶ୍ରମିକ ଜୀଅନ୍ତା ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଜଣେ ଶ୍ରମିକ ଏବେବି ନିଖୋଜ ଅଛନ୍ତି।

author-image
Niharika Rout
Fire

Fire

ଉତ୍ତରପ୍ରଦେଶର ବରେଲିର ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରିରେ ଗତ ରାତିରେ ଭୟଙ୍କର ନିଆଁ ଲାଗି ୪ ଶ୍ରମିକ ଜୀଅନ୍ତା ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଜଣେ ଶ୍ରମିକ ଏବେବି ନିଖୋଜ ଅଛନ୍ତି। ନିଆଁର ତୀବ୍ରତା ଏତେ ତୀବ୍ର ଥିଲା ଯେ, କିଲୋମିଟର ବ୍ୟାପୀ ଧୂଆଁ ମାଡ଼ି ଯାଇ ଚାରିଆଡ଼େ ଅନ୍ଧକାର ହୋଇ ଯାଇଥିଲା।

Advertisment

ଫରିଦାପୁରସ୍ଥିତ ଏକ ଫ୍ୟାକ୍ଟ୍ରିରେ ଗତ ରାତିରେ ପ୍ରାୟ ୧୫୦ ପାଖାପାଖି ଶ୍ରମିକ କାମ କରୁଥିଲେ। ଗତ ରାତିରେ ହଠାତ୍‌ କମ୍ପାନୀ ପରିସରରେ ଏକ ଭୟଙ୍କର ଶବ୍ଦ ହେବା ସହ ନିଆଁ ଲାଗିଥିଲା। ଏହା ଆଖି ପିଛୁଳାକେ ଚାରିଆଡ଼କୁ ବ୍ୟାପି ଯାଇଥିଲା । ଫଳରେ ଶ୍ରମିକମାନେ ବାହାରକୁ ବାହାରି ପାରି ନ ଥିଲେ।

ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, କମ୍ପାନୀରେ ଲାଗିଥିବା ଲୁହା ବିମ୍‌ଗୁଡ଼ିକ ଖଣ୍ଡ ଖଣ୍ଡ ହୋଇ ଖସିବାକୁ ଲାଗିଲା। ଫଳରେ ତା’ ତଳେ ଚାପି ହୋଇ ୪ ଶ୍ରମିକ ଆଖି ବୁଜିଦେଲେ। ଏପରିକି କମ୍ପାନୀ ପରିସର ସଙ୍ଗେ ସଙ୍ଗେ ଭଗ୍ନ ସ୍ତୁପରେ ପରିଣତ ହୋଇଗଲା। ଉକ୍ତ ସ୍ତୁପ ତଳେ ବହୁ ଶ୍ରମିକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି।

Advertisment

ଖବର ପାଇ ତୁରନ୍ତ ଫରିଦପୁର, ବରେଲି ଅଞ୍ଚଳରୁ ୧୨ଟି ଦମକଳ ଗାଡ଼ି ପହଞ୍ଚି ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। ଏହାପରେ ତା’ ଭିତରୁ ଶ୍ରମିକଙ୍କୁ ଖୋଜି ବାହାର କରିବା ଏକ ଚ୍ୟାଲେଞ୍ଜ ପାଲଟିଥିଲା। ଗ୍ୟାସ୍‌ କଟରରେ ତତଲା ଲୁହା ବିମ୍‌କୁ କାଟି ତା’ ଭିତରୁ ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲେ। ଏଥିସହ ୩ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି କମ୍ପାନୀରେ ବାହାର ରାଜ୍ୟର ବହୁ ଲୋକ କାମ କରୁଥିବା ବେଳେ ସେମାନଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। 

ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରିନାହିଁ । ଏପରିକି କ୍ଷତିର ବି ଆକଳନ ହୋଇ ନାହିଁ। ନିଖୋଜ ଅଗ୍ନିଶମ କର୍ମଚାରୀଙ୍କ ତଲାସୀ ଅଭିଯାନ ଜାରି ରହିଛି ବୋଲି ଉତ୍ତରପ୍ରଦେଶର ଚିଫ୍‌ ଫାୟାର ଅଫିସର ସ୍ପଷ୍ଟ କରିଛନ୍ତି।

Deadbody Fire Accident