Advertisment

ବିହାରରେ ପଟ ପରିବର୍ତ୍ତନ ପରେ ଆରଜେଡି ଉପରେ ପ୍ରଥମ ଆକ୍ସନ

୨୪୩ଟି ଆସନ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ସର୍ବାଧିକ ୭୯ ଜଣ ବିଧାୟକ ଅଛନ୍ତି।

author-image
Jitendra Garnayak
Lalu and Nitish

Lalu and Nitish

ନୀତୀଶ କୁମାର ପଟ ପରିବର୍ତ୍ତନ କରି ଏନ୍‌ଡିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ହେବା ପରେ ବିହାର ବାଚସ୍ପତି ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଆସିଛି ଅବିଶ୍ୱାସ ପ୍ରସ୍ତାବ। ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଏନ୍‌ଡିଏର ନେତାମାନେ ଅବିଶ୍ୱାସ ପ୍ରସ୍ତାବ ଆଣି ବିଧାନସଭା ସେକ୍ରେଟାରୀଙ୍କ ନିକଟକୁ ପଠାଇଛନ୍ତି ନୋଟିସ୍‌। ସୂଚନାଯୋଗ୍ୟ, ବାଚସ୍ପତି ଅୱଧ ବିହାରୀ ଚୌଧୁରୀ ଜଣେ ଆରଜେଡି ନେତା।

Advertisment

ବିଜେପି ବିଧାୟକ ନନ୍ଦ କିଶୋର ଯାଦବ, ତାରକିଶୋର ପ୍ରସାଦ, ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝି, ଜେଡିୟୁର ବିନୟ କୁମାର ଚୌଧୁରୀ,ରତ୍ନେଶ ସାଡା ଓ ଏନ୍‌ଡିଏର ଅନ୍ୟ ବିଧାୟକମାନେ ଅବିଶ୍ୱାସ ପ୍ରସ୍ତାବ ନୋଟିସ୍ ଦେଇଛନ୍ତି।

କିଛି ଦିନର ଅଚଳାବସ୍ଥା ପରେ ଗତକାଲି ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ସହିତ ସଂପର୍କ ଛିନ୍ନ କରି ଏନ୍‌ଡିଏ ମେଣ୍ଟରେ ସାମିଲ ହୋଇଥିଲେ ଓ ବିହାରର ମୁଖ୍ୟମନ୍ତ୍ରୀ ଭାବେ ନବମ ଥର ପାଇଁ ଶପଥ ନେଇଥିଲେ।

Advertisment

ଆରଜେଡି ଓ କଂଗ୍ରେସ ଥିବା ‘ମହାଗଠବନ୍ଧନ’ ସହିତ ଗତ ୨୦୨୨ ଅଗଷ୍ଟରେ ମିଶିଥିଲେ ନୀତୀଶ। ସେତେବେଳେ ଏନ୍‌ଡିଏ ସହିତ ସଂପର୍କ ଛିନ୍ନ କରି ସେ ‘ମହାଗଠବନ୍ଧନ’ରେ ସାମିଲ ହୋଇଥିଲେ। ବିଜେପି ତାଙ୍କ ଦଳ ‘ଜେଡିୟୁ’କୁ ଭାଙ୍ଗି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ନୀତୀଶ ଏହି ପଦକ୍ଷେପ ନେଇଥିଲେ। ହେଲେ ସେହି ଘଟଣାର ୧୮ ମାସ ନପୂରୁଣୁ ସେ ପୁଣି ଏନ୍‌ଡିଏକୁ ଫେରିଛନ୍ତି।

ବର୍ତ୍ତମାନ ବିହାରର ଏନ୍‌ଡିଏ ସରକାରରେ ୧୨୮ ଜଣ ବିଧାୟକ ଅଛନ୍ତି। ସଂଖ୍ୟା ଗରିଷ୍ଠତା ପାଇଁ ବିହାରର ବିଧାନସଭାର ମ୍ୟାଜିକ ନମ୍ବର ହେଉଛି ୧୨୨। ତେଣୁ ସରକାରଙ୍କ ପାଖରେ ତା’ ଠାରୁ ୬ଟି ଆସନ ଅଧିକ ରହିଛି। ଅନ୍ୟପକ୍ଷରେ ମହାଗଠବନ୍ଧନ (ଆରଜେଡି, କଂଗ୍ରେସ ଓ ବାମ ଦଳ) ପାଖରେ ୧୧୪ ଜଣ ବିଧାୟକ ଅଛନ୍ତି।

୨୪୩ଟି ଆସନ ବିଶିଷ୍ଟ ବିହାର ବିଧାନସଭାରେ ଆରଜେଡିର ସର୍ବାଧିକ ୭୯ ଜଣ ବିଧାୟକ ଅଛନ୍ତି। ବିଜେପିର ୭୮ ଜଣ ବିଧାୟକ ଥିବା ବେଳେ ଜେଡିୟୁର ୪୫, କଂଗ୍ରେସର ୧୯, ବାମ ଦଳର ୧୬, ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ୪ ଓ ଏଆଇଏମ୍‌ଆଇଏମ୍‌ ଜଣେ ବିଧାୟକ ଅଛନ୍ତି। ସେହିପରି ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

Bjp Nitish Kumar JDU