Advertisment

ପ୍ରବଳ ଭିଡ଼ରୁ ଭୟଙ୍କର ସ୍ଥିତି: ଚଳନ୍ତା ଟ୍ରେନରୁ ଖସି ପଡ଼ି ଚାଲିଗଲା ୫ ଜଣଙ୍କ ଜୀବନ

ଭିଡ଼ ଏତେ ହୋଇଥିଲା ଯେ ଚଳନ୍ତା ଟ୍ରେନରେ ଓହଳି ଯିବା ବେଳେ ଖସି ପଡ଼ିଛନ୍ତି ୧୦ରୁ ଅଧିକ ଲୋକ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

author-image
Hemant Lenka
Train

Train

ମୁମ୍ବାଇର ଜୀବନ ରେଖା ହେଉଛି ଲୋକାଲ ଟ୍ରେନ। ପ୍ରତିଦିନ ହଜାର ହଜାର ଲୋକ ମୁମ୍ବାଇର ଲୋକାଲ ଟ୍ରେନରେ ଯାତ୍ରା କରନ୍ତି। ସବୁବେଳେ ଲୋକାଲ ଟ୍ରେନରେ ଭିଡ଼ ହୁଏ। କିନ୍ତୁ ପ୍ରବଳ ଭିଡ଼ରୁ ଆଜି ଭୟଙ୍କର ସ୍ଥିତି ଦେଖାଯାଇଛି। ଭିଡ଼ ଏତେ ହୋଇଥିଲା ଯେ ଚଳନ୍ତା ଟ୍ରେନରେ ଓହଳି ଯିବା ବେଳେ ଖସି ପଡ଼ିଛନ୍ତି ୧୦ରୁ ଅଧିକ ଲୋକ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

Advertisment

କେନ୍ଦ୍ରୀୟ ରେଳବାଇ ଅଧୀନରେ ଥିବା ଦିବା ଓ କୋପଲ ରେଳ ଷ୍ଟେସନ ମଧ୍ୟରେ ଆଜି ସକାଳ ୯.୩୦ରେ ପୂରା ଘଟଣା ଘଟିଛି। ଏହି ସମୟରେ ଗୋଟିଏ ଟ୍ରେନ କାସାରା ଯାଉଥିବା ବେଳେ ଆଉ ଗୋଟିଏ ଟ୍ରେନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଆଡ଼କୁ ଆସୁଥିଲା। ଏହି ସମୟରେ ଉଭୟ ଟ୍ରେନରେ ପ୍ରବଳ ଭିଡ଼ ହୋଇଥିଲା।

ରେଳବାଇ ଅଧିକାରୀଙ୍କ କହିବା କଥା ଯେ ଥାନେର କାସାରା ଅଞ୍ଚଳକୁ ଯାଉଥିବା ଟ୍ରେନରୁ କିଛି ଯାତ୍ରୀ ଖସି ପଡ଼ିଥିଲେ। ଥାନେ ଜିଲ୍ଲାର ମୁମ୍ବ୍ରା ଷ୍ଟେସନ ନିକଟରେ ଏପରି ଘଟଣା ଘଟିଛି। ଟ୍ରେନରେ ପ୍ରବଳ ଭିଡ଼ ହୋଇଥିବାରୁ ଗୋଟିଏ ବଗିରୁ କିଛି ଲୋକ ଖସି ପଡ଼ିଥିବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ରେଳବାଇ ପକ୍ଷରୁ ସ୍ପଷ୍ଟ କରିଛି।

Advertisment

ରିପୋର୍ଟ ଅନୁସାରେ, ପ୍ରବଳ ଭିଡ଼ ଯୋଗୁ କିଛି ଲୋକ ଝୁଲନ୍ତା ଅବସ୍ଥାରେ ଯାତ୍ରା କରୁଥିଲେ। ଟ୍ରେନର ଗତି ବଢ଼ିବାରୁ ସେମାନଙ୍କ ମଧ୍ୟରୁ କିଛି ଜଣ ଭାରସାମ୍ୟ ହରାଇ ରେଳ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନର ଗାର୍ଡ ଏ ସମ୍ପର୍କରେ ଜାଣିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରି କାଲୱା ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିଲା।

୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ଉଲ୍ଲାସନଗରର ୨୩ ବର୍ଷୀୟ କେତନ ଦିଲୀପ ସରୋଜ, ୩୪ ବର୍ଷୀୟ ରେଳ କର୍ମଚାରୀ ଭିକ୍କି ବାବାସାହେବ ମୁଖିଦାଲ ଓ ରାହୁଲ ସନ୍ତୋଷ ଗୁପ୍ତା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଘଟଣା ପରେ ଭିଡ଼ ନିୟନ୍ତ୍ରଣ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ବାଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଖୁବଶୀଘ୍ର ମୁମ୍ବାଇରେ ଚାଲୁଥିବା ଲୋକାଲ ଟ୍ରେନରେ ସ୍ୱଂଚାଳିତ ଦ୍ୱାର ଲଗାଯିବ। ଏହାଦ୍ୱାରା ଆଉ ଚଳନ୍ତା ଟ୍ରେନରୁ ପ୍ରବଳ ଭିଡ଼ ଯୋଗୁ କେହି ଖସିବେ ନାହିଁ ଓ ଯାତ୍ରୀମାନଙ୍କୁ ଆଉ ବିପଦ ପୂର୍ଣ୍ଣ ଯାତ୍ରା କରିବାକୁ ସୁଯୋଗ ମିଳିବ ନାହିଁ।

Mumbai Train Accident