Terrorist
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଏକାଧିକ ବୈଜ୍ଞାନିକ ରାତି ଅନିଦ୍ରା ହୋଇ କାମ କରିଥିଲେ। ଗୋଟିଏ ସ୍ୱତନ୍ତ୍ର ବିମାନ ଶ୍ରୀନଗରରୁ ଚଣ୍ଡିଗଡ଼କୁ ଯାଇଥିଲା। ଗୁଳିର ଖୋକା ବା କାସିଂକୁ ମ୍ୟାଚ୍ କରିବାକୁ ପରୀକ୍ଷା ମୂଳକ ଭାବେ ଗୁଳି ଚାଳନା କରାଯାଇଥିଲା। ଏସବୁ କାହିଁକି ରାତିକ ମଧ୍ୟରେ କରାଯାଇଥିଲା? ଏମିତି କ’ଣ ଜରୁରୀ ସ୍ଥିତି ଦେଖାଯାଇଥିଲା।?
ସୋମବାର ଶ୍ରୀନଗର ଉପକଣ୍ଠରେ ଭାରତୀୟ ସେନା ଅପରେସନ ମହାଦେବ କରିଥିଲା। ଏହି ଅପରେସନରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ୩ ଜଣ ପହଲଗାମ ନରସଂହାରରେ ସାମିଲ ଥିଲେ କି ନାହିଁ, ତା’କୁ ରାତାରାତି ନିଶ୍ଚିତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିଲା। ଏପ୍ରିଲ ୨୨ ବୈସାରନ ଭ୍ୟାଲିରେ ହୋଇଥିବା ହମଲାରେ ୨୬ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା।
ସୂତ୍ର ଅନୁସାରେ, ଅପରେସନ ମହାଦେବରେ ପ୍ରାଣ ହରାଇଥିବା ୩ ଆତଙ୍କୀ ପହଲଗାମ ନରସଂହାରରେ ସାମିଲ ଥିବା କଥା ସଂସଦକୁ ମଙ୍ଗଳବାର ଜଣାଇବା ପୂର୍ବରୁ ଏହାକୁ ବିଜ୍ଞାନ ଆଧାରରେ ନିଶ୍ଚିତ କରିବାକୁ ଚାହୁଁଥିଲେ ଅମିତ ଶାହ। ଏଥିପାଇଁ ସେ ସୋମବାର ରାତିରେ ଶୋଇ ନଥିଲେ। ଚଣ୍ଡିଗଡ଼ ଫରେନ୍ସିକ ସାଇନ୍ସ ଲ୍ୟାବରେ ଚାଲିଥିବା ପରୀକ୍ଷା ଉପରେ ସେ ନିୟମିତ ଭାବେ ଫୋନ ଓ ଭିଡିଓ କଲ ଜରିଆରେ ନଜର ରଖିଥିଲେ।
ସେଠାରେ ବୈଜ୍ଞାନିକମାନେ ଗୁଳିର ଖୋକା ଓ ଅପରେସନ ମହାଦେବ ବେଳେ ଜବତ ହୋଇଥିବା ବନ୍ଧୁକର ମେଳ କରାଉଥିଲେ। ମଙ୍ଗଳବାର ଭୋର ୫ଟାଏ ଅମିତ ଶାହ ଅନିଦ୍ରା ରହି ବୈଜ୍ଞାନିକଙ୍କ ସହ କଥା ହୋଇଥିଲେ। ସେଠାରୁ ଖବର ମିଳିବା ପରେ ସେ କିଛି ଘଣ୍ଟାର ବିଶ୍ରାମ ନେଇ ସଂସଦ ଅଭିମୁଖେ ଯାଇଥିଲେ।
ଲୋକସଭାରେ ମଙ୍ଗଳବାର ଅମିତ ଶାହ କହିଥିଲେ ଯେ “ସନ୍ଦେହର କୌଣସି କାରଣ ନାହିଁ। ମୋ ପାଖରେ ବାଲାଷ୍ଟିକ ରିପୋର୍ଟ ରହିଛି। ୬ ଜଣ ବୈଜ୍ଞାନିକ ଏହାକୁ ବାରମ୍ବାର ଯାଞ୍ଚ କରିଛନ୍ତି। ସେମାନେ ମୋତେ ଭିଡିଓ କଲରେ ନିଶ୍ଚିତ କରିଛନ୍ତି ଯେ ପହଲଗାମରେ ମାଡ଼ ହୋଇଥିବା ଗୁଳି ଓ ଅପରେସନ ମହାଦେବ ବେଳେ ମିଳିଥିବା ବନ୍ଧୁକର ଗୁଳି ୧୦୦% ସମାନ।”
ଅପରେସନ ମହାଦେବ ଓ ୩ ଆତଙ୍କୀ ସଫା
ସୋମବାର ସଂସଦରେ ଅପରେସନ ସିନ୍ଦୂରକୂ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିତର୍କ ଆରମ୍ଭ କରିଥିଲେ। ଠିକ ଏହି ସମୟରେ ଶ୍ରୀନଗରର ଲିଡୱାସରୁ ବଡ଼ ଖବର ଆସିଥିଲା। ସ୍ଥଳ ସେନା, ଜମ୍ମୁ-କଶ୍ମୀର ପୁଲିସ୍ ଓ ସିଆରପିଏଫ ପକ୍ଷରୁ ମିଳିତ ଭାବେ ଗୋଟିଏ ଅପରେସନ ଆରମ୍ଭ ହୋଇଥିଲା। ଏହାର ନାଁ ଥିଲା ଅପରେସନ ମହାଦେବ। ଏହି ଅପରେସନ ଜରିଆରେ ୩ ଜଣ ଆତଙ୍କବାଦୀଙ୍କୁ ବେଶ ସଫଳତାର ସହ ଖତମ କରାଯାଇଛି। ଏମାନଙ୍କ ମଧ୍ୟରେ ଏପ୍ରିଲ ୨୨ ପହଲଗାମ ନରସଂହାରର ମାଷ୍ଟରମାଇଣ୍ତ ହାଶିମ ମୁସା ରହିଥିବା ଖବର ଆସିଥିଲା। ଏହାକୁ ମଙ୍ଗଳବାର ଅମିତ ଶାହ ନିଶ୍ଚିତ କରିଥିଲେ।
ଗୋଟିଏ ଶତପ୍ରତିଶତ ମେଳ
ପହଲଗାମ ନରସଂହାର ଘଟଣାରେ ସୁରକ୍ଷାକର୍ମୀ ପୂର୍ବରୁ କିଛି ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଥିଲେ। ସେମାନଙ୍କୁ ଲିଡୱାସରେ ନିହତ ହୋଇଥିବା ୩ ଆତଙ୍କୀବାଦୀଙ୍କୁ ଚିହ୍ନଟ ପାଇଁ ଅଣା ଯାଇଥିଲା। ସେମାନେ ନିଶ୍ଚିତ କରିଥିଲେ ଯେ ଅପରେସନ ମହାଦେବରେ ପ୍ରାଣ ହରାଇଥିବା ଆତଙ୍କବାଦୀ ହେଉଛନ୍ତି ପହଲଗାମର ନରରାକ୍ଷସ। କିନ୍ତୁ ଏହା ଯଥେଷ୍ଟ ନଥିଲା। ସରକାର ଶତପ୍ରତିଶତ ନିଶ୍ଚିତ ହେବାକୁ ଚାହିଁଥିଲେ।
ଅପରେସନ ମହାଦେବ ବେଳେ ଜବତ ହୋଇଥିବା ଆତଙ୍କବାଦୀଙ୍କ ବନ୍ଧୁକଙ୍କୁ ସ୍ୱତନ୍ତ୍ର ବିମାନରେ ଚଣ୍ଡିଗଡ଼କୁ ପଠାଯାଇଥିଲା। ଏୟାର ଫୋର୍ସର କାର୍ଗୋ ବିମାନ ଗୋଟିଏ ମେସିନ ଧରି ଅହମଦାବାଦରୁ ଚଣ୍ଡିଗଡ଼କୁ ବି ଉଡ଼ାଣ କରିଥିଲା। ଚଣ୍ଡିଗଡ଼ ଫରେନ୍ସି ଲ୍ୟାବରେ ଜବତ ବନ୍ଧୁକରୁ ଟେଷ୍ଟ ଫାୟାରିଂ କରାଯାଇଥିଲା। ଏହାର ଖୋକାକୁ ବୈସାରନ ଭ୍ୟାଲିରୁ ମିଳିଥିବା ଗୁଳିର ଖୋକା ସହ ମେଳ କରାଯାଇଥିଲା। ଦୁଇଟି ଯାକ ଖୋକା ୯୯% ମେଳ ଖାଇଥିଲା। ଏହି ସବୁ ପ୍ରକ୍ରିୟା ଉପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୈଜ୍ଞାନିକମାନଙ୍କ ସହ ମିଶି ନଜର ରଖିଥିଲେ। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ସେ ଆଶ୍ୱସ୍ତ ହେବା ସହ ବିଶ୍ରାମ ନେଇଥିଲେ।
ପହଲଗାମ ପରେ ଆଉ ବନ୍ଧୁକରୁ ବାହାରି ନଥିଲା ଗୁଳି
ମେଳ ଚାଲିଥିବା ପ୍ରକ୍ରିୟା ସମୟରେ ବୈଜ୍ଞାନିକମାନେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହଙ୍କୁ କହିଥିଲେ ଯେ ଶେଷ ଥର ପାଇଁ ଆତଙ୍କବାଦୀଙ୍କ ଏମ ୯ ଓ ୨ଟି ଏକେ ୪୭ରୁ ଗୁଳି ପହଲଗାମ ହମଲା ବେଳେ ବାହାରିଥିଲା। ପହଲଗାମ ପରେ ଆତଙ୍କବାଦୀ ସୁଲେମାନ ଶାହ, ଆଫାଗନୀ ଓ ଜିବ୍ରାନ ଜଙ୍ଗଲ ଭିତରେ ଲୁଚି ରହିଥିଲେ। ସେମାନେ ସମସ୍ତେ ପାକିସ୍ତାନୀ ନାଗରିକ। ସୁରକ୍ଷାକର୍ମୀ ବେଶ ଚତୁରତାର ସହ ସେମାନଙ୍କର ଖସିବା ବାଟ ବନ୍ଦ କରି ଦେଇଥିଲେ। ତେଣୁ ସେ ଭାରତ ଛାଡ଼ି ପାରି ନଥିଲେ।
ସୂତ୍ର ଅନୁସାରେ, ଏହି ରଣନୀତିକୁ ସୁରକ୍ଷାକର୍ମୀମାନେ ସେତେବେଳେ ପ୍ରସ୍ତୁତ କରିଥିଲେ ଯେତେବେଳେ ଅମିତ ଶାହ ପହଲଗାମ ହମଲା ପରେ କଶ୍ମୀର ଗସ୍ତ କରିଥିଲେ। ଆତଙ୍କବାଦୀମାନେ ଯେମିତି ପାକିସ୍ତାନକୁ ଖସି ଯାଇ ନପାରିବେ, ତା’କୁ ନିଶ୍ଚିତ କରିବାକୁ ସେ ସୁରକ୍ଷାକର୍ମୀଙ୍କୁ କହିଥିଲେ।
ଏହି ରଣନୀତିକୁ ସଫଳ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପାଇଁ ଲାଗି ପଡ଼ିଥିଲେ। ଯାଞ୍ଚ ବେଳେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୮ କିମିର ଗଳା ବାଟକୁ ଠାବ କରାଯାଇଥିଲା। ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ବ୍ୟବହାର କରୁଥିବା ଗୋଟିଏ ଗୁପ୍ତ ଟନେଲ ସୁରକ୍ଷାକର୍ମୀ ଠାବ କରିଥିଲେ। ଏହାକୁ ବନ୍ଦ କରିବା ପାଇଁ ସୁରକ୍ଷାକର୍ମୀମାନେ ଆଖପାଖରେ ଖୋଳାଖୋଳି କରିଦେଇଥିଲେ।
ଫଳରେ ଟନେଲ ଭିତରେ ପାଣି ଭର୍ତ୍ତି ହୋଇଯାଇଥିଲା। ଟନେଲରେ ପାଣି ଭର୍ତ୍ତି ହୋଇଯିବାରୁ ଆତଙ୍କବାଦୀମାନେ ଏହାକୁ ଖସିବାକୁ କୌଣସି ସୁଯୋଗ ପାଇ ନଥିଲେ। ସେମାନଙ୍କ ଖସିଯିବାର ପ୍ଲାନ ଭଣ୍ଡୁର ହୋଇଯାଇଥିଲା। ଶେଷରେ ଡାମଚିଙ୍ଗରେ ସେମାନଙ୍କୁ ଠାବ କରି ସୁରକ୍ଷାକର୍ମୀ ସମସ୍ତ ୩ ଆତଙ୍କବାଦୀଙ୍କୁ ଖତମ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Terrorist__1753868333.jpg)