Advertisment

Blast In Delhi: ଲାଲକିଲ୍ଲା ବିସ୍ଫୋରଣ: ଅଟା କଳରେ ତିଆରି ହେଉଥିଲା ବୋମା, ରହିଛି ଆତଙ୍କୀ ଡାକ୍ତର ମୁଜାମିଲର ଲିଙ୍କ୍‌

ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରକ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଅଟା କଳ, ଗୋଟିଏ ଗ୍ରାଇଣ୍ଡର ଓ କିଛି ବୈଦ୍ୟୁତିକ ମେସିନର ଫଟୋ ସାମ୍ନାକୁ ଆସିଛି।

author-image
Hemant Lenka
Mill

ବୋମା ତିଆରି ମେସିନ

ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଲାଲକିଲ୍ଲା କାର ବୋମା ବିସ୍ଫୋରଣକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏହି ବିସ୍ଫୋରଣର ଘଟଣାର ସହ ଅଭିଯୁକ୍ତ ତଥା ଡାକ୍ତର ମୁଜାମିଲ ଶକୀଲ ବିସ୍ଫୋରକ ପାଇଁ ଆବଶ୍ୟକ କେମିକାଲ ଗୋଟିଏ ଅଟା କଳରେ କରୁଥିଲା। ଅଟୋ କଳରେ ତିଆରି ହେଉଥିଲା ବୋମା। ଅଟା କଳକୁ ସେ ବୋମା ତିଆରି ମେସିନରେ ପରିଣତ କରିଥିଲା।

Advertisment

ଲାଲକିଲ୍ଲା ବିସ୍ଫୋରଣ(Blast In Delhi)ର ତଦନ୍ତ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି। ବିସ୍ଫୋରକ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଅଟା କଳ, ଗୋଟିଏ ଗ୍ରାଇଣ୍ଡର ଓ କିଛି ବୈଦ୍ୟୁତିକ ମେସିନର ଫଟୋ ସାମ୍ନାକୁ ଆସିଛି। ଏହି ଫଟୋକୁ ହରିୟାଣାର ଫରିଦାବାଦରେ କାର ଡ୍ରାଇଭର ଭାବେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଘରୁ ଠାବ କରାଯାଇଛି। ଏହି ବ୍ୟକ୍ତି ଜଣଙ୍କ ଏକଦା ଗିରଫ ଡାକ୍ତର ମୁଜାମିଲ ଯୋଗାଯୋଗରେ ରହିଥିଲା। 

ଫରିଦାବାଦ ଟେରର ଲିଙ୍କ ମାମଲାରେ ବିସ୍ଫୋରକ ସହ ଗିରଫ ହୋଇଥିବା ଡାକ୍ତର ମୁଜାମିଲର ଘର ଜମ୍ମୁ-କଶ୍ମୀରର ପୁଲୱାମାରେ। ସେ ନଭେମ୍ବର ୧୦ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଫରିଦାବାଦରେ ମୁଜାମିଲ ଗୋଟିଏ ଭଡ଼ା ଘର ନେଇଥିଲା। ସେଠାରୁ ପୁଲିସ୍‌ ନଭେମ୍ବର ୯ରେ ୩୬୦ କେଜି ଓଜନର ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା।

Advertisment

ଉକ୍ତ ଭଡ଼ା ଘରେ ଅଟା କଳର ବ୍ୟବହାର କରି ମୁଜାମିଲ ବୋମା ତିଆରି କରୁଥିଲା। ସେ ସେ ଅଟା କଳରେ ୟୁରିଆକୁ ଗ୍ରାଇଣ୍ଡ କରେ ଓ ବିସ୍ଫୋରକ ପାଇଁ କେମିକାଲ ତିଆରି କରେ। ଗିରଫ ପରେ ଜେରାର ସମ୍ମୁଖୀନ ହେଉଥିବା ମୁଜାମିଲ କହିଛି ଯେ ଦୀର୍ଘ ସମୟ ଧରି ସେ ୟୁରିଆରୁ ଆମୋନିୟମ ନାଇଟ୍ରେଟକୁ ଅଲଗା କରିବା ପାଇଁ ଅଟା କଳର ବ୍ୟବହାର କରୁଥିଲା।

ସେ ଉକ୍ତ ଡ୍ରାଇଭରଙ୍କ ଘରକୁ ପ୍ରଥମେ ଅଟା କଳ, ଗ୍ରାଇଣ୍ଡର ଓ ଅନ୍ୟ ବୈଦ୍ୟୁତିକ ମେସିନ ନେଇଥିଲା। ଭଉଣୀର ବାହାଘର ପାଇଁ ଏସବୁ ଉପହାର ଥିଲା ବୋଲି ସେ ଡ୍ରାଇଭରଙ୍କୁ କହିଥିଲା। ପରବର୍ତ୍ତୀ ଅବସ୍ଥାରେ ସେଗୁଡ଼ିକୁ ମୁଜାମିଲ ତା’ର ଭଡ଼ା ଘରକୁ ସ୍ଥାନାନ୍ତର କରିଥିଲା। ସେଠାରେ ସେ ଏହାକୁ ବ୍ୟବହାର କରି ବୋମା ତିଆରି କରୁଥିଲା ବୋଲି ପୁଲିସ୍‌କୁ କହିଛି। 

ଏକଥା ଜଣାପଡ଼ିବା ପରେ ପୁଲିସ୍‌ ଫରିଦାବାଦରେ ଟ୍ୟାକ୍ସି ଡ୍ରାଇଭର ଭାବେ କାମ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରିଛି। ଜେରା ବେଳେ ଡ୍ରାଇଭର ଜଣଙ୍କ ପୁଲିସ୍‌ ଓ ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ କରୁଥିବା ଏନଆଇଏକୁ କହିଛନ୍ତି ଯେ ପ୍ରାୟ ୪ ବର୍ଷ ତଳେ ସେ ନିଜ ପୁଅର ଚିକିତ୍ସା ପାଇଁ ଅଲ ଫଲାହ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯାଇଥିବା ବେଳେ ପ୍ରଥମଥର ମୁଜାମିଲକୁ ଭେଟିଥିଲେ।

ଦିଲ୍ଲୀ ବିସ୍ଫୋରଣ ମାମଲାରେ ମୁଜାମିଲ ସମେତ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ତା’ର ସହଯୋଗୀ ଭାବେ କାମ କରୁଥିବା ଶାହୀନ ସୟିଦ ଓ ଆଦିଲ ଅହମଦ ରାଥେରକୁ ମଧ୍ୟ ଗିରଫ କରାଯାଇଛି।

ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଉମର ନବି ନାମକ ଜଣେ ବ୍ୟକ୍ତି ଆଇ ୨୦ କାର ଦ୍ୱାରା ଲାଲକିଲ୍ଲା ନିକଟରେ ଏପରି ବିସ୍ଫୋରଣ କରିଥିଲା। ଉମର ମଧ୍ୟ ଅଲ ଫଲହା ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରୁଥିଲା। 

Delhi Blast Blast In Delhi