Advertisment

କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ

ମରଣୋତ୍ତର ଭାବେ ତାଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ।

ଅଦ୍ୟତନ ହୋଇଛି
Karpoori Thakur

Karpoori Thakur

Advertisment

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ପ୍ରଦାନ କରାଯିବ ‘ଭାରତ ରତ୍ନ’ ସମ୍ମାନ। ମରଣୋତ୍ତର ଭାବେ ତାଙ୍କୁ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ। ମୃତ୍ୟୁର ୩୫ ବର୍ଷ ପରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ଆସନ୍ତାକାଲି କର୍ପୂରୀ ଠାକୁରଙ୍କ ଶତବାର୍ଷିକୀ ଜୟନ୍ତୀ ଥିବା ବେଳେ ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଫିସ ପକ୍ଷରୁ କରାଯାଇଛି ଏହି ଘୋଷଣା।

Advertisment

୧୯୨୪ ମସିହା ଜାନୁଆରୀ ୨୪ ତାରିଖରେ ବିହାରର ପିତୌଞ୍ଜିଆ ଗାଁରେ ଜନ୍ମ ହୋଇଥିଲେ କର୍ପୂରୀ ଠାକୁର। ଏହି ଗାଁଟି ଏବେ କର୍ପୂରୀ ଗ୍ରାମ ଭାବେ ଜଣାଶୁଣା। ୧୯୮୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା କର୍ପୂରୀ ଠାକୁର ‘ଜନ ନାୟକ’ ଭାବେ ଜଣାଶୁଣା ଥିଲେ।ସେ ପଛୁଆ ବର୍ଗ ଲୋକଙ୍କ ଉନ୍ନତି ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ।  

୧୯୭୦ରୁ ୧୯୭୧ ଓ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ କର୍ପୂରୀ ଠାକୁର। ସେ ଥିଲେ ବିହାରର ପ୍ରଥମ ଅଣ କଂଗ୍ରେସ ମୁଖ୍ୟମନ୍ତ୍ରୀ। ୧୯୬୭ ମାର୍ଚ୍ଚ ୫ରୁ ୧୯୬୮ ଜାନୁଆରୀ ୩୧ ପର୍ଯ୍ୟନ୍ତ ସେ ବିହାରର ଉପ-ମୁଖ୍ୟମନ୍ତ୍ରୀ ଥିଲେ। ଏହି ସମୟରେ ରାଜ୍ୟର ଶିକ୍ଷା ବିଭାଗ ତାଙ୍କ ହାତରେ ଥିଲା। 

Advertisment

୧୯୭୦ରେ ସେ ଯେତେବେଳେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେଲେ ସେତେବେଳେ ସେ ସୋସିଆଲିଷ୍ଟ ପାର୍ଟିରେ ଥିଲେ। ୧୯୭୭ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ବେଳେ ସେ ଜନତା ପାର୍ଟିରେ ଥିଲେ। ଦେଶ ସ୍ୱାଧୀନ ହେବା ପରେ ଗାଁ ସ୍କୁଲ୍‌ରେ ଶିକ୍ଷକତା କରୁଥିବା କର୍ପୂରୀ ଠାକୁର ୧୯୫୨ ମସିହାରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସୋସିଆଲିଷ୍ଟ ପାର୍ଟି ଟିକେଟ୍‌ରେ ସେ ତାଜପୁର ଆସନରୁ ବିଜୟୀ ହୋଇଥିଲେ। 

ତାଙ୍କର ଗୋଟିଏ ପ୍ରମୁଖ ଯୋଗଦାନ ହେଉଛି ‘କର୍ପୂରୀ ଠାକୁର ଫର୍ମୂଲା’। ସରକାରୀ ଚାକିରିରେ ପଛୁଆ ବର୍ଗର ଲୋକଙ୍କୁ ଯେପରି ପ୍ରତିନିଧିତ୍ୱ କରିବାକୁ ସମାନ ସୁଯୋଗ ମିଳିବ, ସେଥିପାଇଁ ସେ ଏହି ସୂତ୍ର ଆପଣାଇଥିଲେ। ୧୯୭୮ ମସିହାରେ ସେ ବିହାରରେ ସରକାରୀ ଚାକିରିରେ ପଛୁଆ ବର୍ଗଙ୍କ ପାଇଁ ୨୬% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ତାଙ୍କର ଏହି ପଦକ୍ଷେପ ନବେ ଦଶକର ମଣ୍ଡଳ କମିଶନଙ୍କ ସୁପାରିସ ପାଇଁ ଆଧାର ପାଲଟି ଥିଲା।

କର୍ପୂରୀ ଠାକୁର ବିହାରର ଶିକ୍ଷା ମନ୍ତ୍ରୀ ଥିବା ବେଳେ ମାଟ୍ରିକ୍‌ ପିଲାଙ୍କ ପାଇଁ ବାଧ୍ୟତାମୂଳକ ବିଷୟ ଥିବା ଇଂରାଜୀକୁ ହଟାଇ ଦେଇଥିଲେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଏହା ପିଲାଙ୍କ ପାଇଁ ପ୍ରତିବନ୍ଧକ ସାଜୁଛି ବୋଲି ସେ କହିଥିଲେ। ସେ ବିହାରର ଅନୁନ୍ନତ ଅଞ୍ଚଳଗୁଡ଼ିକରେ ଅନେକ ସ୍କୁଲ ଓ କଲେଜ ସ୍ଥାପନ କରିଥିଲେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ମାଗଣା କରି ଥିଲେ। ଫଳରେ ସ୍କୁଲ୍‌ ଡ୍ରପ୍‌ ଆଉଟ୍ ହାର ହ୍ରାସ ପାଇଥିଲା। 

କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ଭୂ ସଂସ୍କାରରେ ମଧ୍ୟ ତାଙ୍କର ରହିଥିଲା ବଡ଼ ଯୋଗଦାନ। ଜମିଦାରଙ୍କଠାରୁ ଜମି ଆଣି ଭୂମିହୀନ ଦଳିତଙ୍କ ମଧ୍ୟରେ ଆବଣ୍ଟନ କରାଯାଇଥିଲା। ଆଉ ଏହା ତାଙ୍କୁ ‘ଜନ ନାୟକ’ କରି ଦେଇଥିଲା। 

କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା ହେବା ପରେ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ତାଙ୍କ ‘ଏକ୍ସ’ (ପୂର୍ବର ଟ୍ୱିଟର)ରେ ଲେଖିଛନ୍ତି, ମହାନ୍‌ ଜନନାୟକ କର୍ପୂରୀ ଠାକୁରଜୀଙ୍କୁ ଭାରତରତ୍ନ ପ୍ରଦାନ ପାଇଁ ମନୋନୟନ କରାଯାଇଥିବାରୁ ମୁଁ ବହୁତ ଖୁସି। ତାଙ୍କ ଶତବାର୍ଷିକୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଏହି ଘୋଷଣା ହୋଇଛି। ଅବହେଳିତଙ୍କ ଉନ୍ନତି ପାଇଁ ଜୀବନବ୍ୟାପୀ ସେ ପ୍ରୟାସ କରିଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତୀକରଣରେ ତାଙ୍କ ଭୂମିକା ପ୍ରଶଂସନୀୟ। 

 

Bharat Ratna Karpoori Thakur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe