Advertisment

ଆର୍‌ଜି କର୍‌ ଏକ୍ସ-ପ୍ରିନ୍ସିପାଲଙ୍କ ଜଘନ୍ୟ କାଣ୍ଡ, ବିକ୍ରି କରି ଦେଉଥିଲେ ଅଚିହ୍ନା ଶବ

ଆରଜି କର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲି ଏଭଳି କିଛି ସାଂଘାତିକ ଅଭିଯୋଗ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Ex Principal

Ex Principal

ଆର୍‌ଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ନିଆଁ ଜଳୁଛି। ଏହାକୁ ବିରୋଧରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହାରି ଭିତରେ ଆର୍‌ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଜଘନ୍ୟ କାଣ୍ଡର ଖୁଲାସା ହୋଇଛି। ତାଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ହସ୍ପିଟାଲର ଅଚିହ୍ନା ଶବ ଗୁଡିକୁ ସେ କୁଆଡେ ବିକ୍ରି କରି ଦେଉଥିବା ନେଇ ଅଭିଯୋଗ ହୋଇଛି।

Advertisment

ଏକ ସାକ୍ଷାତକାର୍‌ରେ ଆରଜି କର ମେଡିକାଲ କଲେଜର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲି ଏଭଳି କିଛି ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଅଚିହ୍ନା ମୃତଦେହକୁ ବିକ୍ରି କରିବା ରାକେଟ୍‌ରେ ସାମିଲ ଥିଲେ। କେବଳ ସେତିକି ନୁହେଁ ସେ ଅନେକ ବେଆଇନ କାର୍ଯ୍ୟରେ ମଧ୍ୟ ଲିପ୍ତ ଅଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଘୋଷ ବାଂଲାଦେଶରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ଏବଂ ଚିକିତ୍ସା ଉପକରଣର ଚୋରା କାରବାରରେ ସାମିଲ ଅଛନ୍ତି।

ଅଖତର ଅଲି ୨୦୨୩ ଯାଏ ଆର୍‌ଜି କର ହସ୍ପିଟାଲରେ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ନିଯୁକ୍ତ ଥିଲେ। ସନ୍ଦୀପ ଘୋଷଙ୍କ ନାଁରେ ରାଜ୍ୟ ଭିଜିଲାନ୍ସ କମିଶନଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ ମଧ୍ୟ କରାଯାଇଛି। ତାଙ୍କ ଉପରେ ଏକ ଯାଞ୍ଚ କମିଟି ବସିଥିଲା। କିନ୍ତୁ ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ପୂର୍ବତନ ପ୍ରିନ୍ସିପାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ବୋଲି ଅଖତର ଅଲି କହିଛନ୍ତି।

Advertisment

ସନ୍ଦୀପ ଘୋଷ ଆରଜି ମେଡିକାଲରୁ ଛାତ୍ରଙ୍କୁ ପାସ୍‌ କରିବା ପାଇଁ ମଧ୍ୟ ଲାଞ୍ଚ ମାଗୁଥିଲେ। ମୋଟା ଅଙ୍କର କଲେଜ ଫି' ଆଦାୟ କରିବା ପାଇଁ ସେ ଜାଣିଶୁଣି କିଛି ଛାତ୍ରଙ୍କୁ ଫେଲ୍‌ କରିଦେଉଥିଲେ। ସେ ସବୁ ସ୍ଥାନରୁ କମିଶନ ନେଉଥିଲେ ବୋଲି ପୂର୍ବତନ ସୁପରିଟେଣ୍ଡେଣ୍ଟ ସାଂଘାତିକ ଅଭିଯୋଗ କରିଛନ୍ତି।

କହିରଖୁ ଯେ, ସନ୍ଦୀପ ଘୋଷ ଚାରିଆଡୁ ଘେରି ରହିଛନ୍ତି। ବୁଧବାର ଲଗାତର ଷଷ୍ଠ ଦିନରେ ସିବିଆଇ ଟିମ୍ ତାଙ୍କୁ ପଚରାଉଚରା ଜାରି ରଖିଛି। ଏପର୍ଯ୍ୟନ୍ତ ଘୋଷଙ୍କୁ ୬୩ ଘଣ୍ଟା ଧରି ସିବିଆଇ ଜେରା କରିସାରିଲାଣି। ଆଗକୁ ସିବିଆଇ ତାଙ୍କର ମିଛ ଧରା ପରୀକ୍ଷା ତଥା ଲାଏଡିଟେକସନ୍‌ ଟେଷ୍ଟ ମଧ୍ୟ କରିବ। ସେପଟେ ଆର୍ଥିକ ଅନିୟମିତତା ସହ ଜଡିତ ନୂଆ ମାମଲାରେ ଡକ୍ଟର ଘୋଷଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମାମଲରେ ଆଜି ପୁଲିସ ସମ୍ମୁଖରେ ତାଙ୍କୁ ହାଜର କରାଯାଇ ତାଙ୍କ ବୟାନ ରେକର୍ଡ କରାଯିବ।

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ କୋଲକାତାରେ ବିରୋଧ ପରେ ଏକ୍ସ ପ୍ରିନ୍ସିପାଲ ଇସ୍ତଫା ଦେଇଥିଲେ। ତେବେ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ କୋଲକାତା ମେଡିକାଲ କଲେଜରେ ନିଯୁକ୍ତି ମିଳିଯାଇଥିଲା। ଏହାକୁ ନେଇ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଥିଲେ। ପରେ ସନ୍ଦୀପ ଘୋଷଙ୍କୁ ଅନିଶ୍ଚିତକାଳ ପାଇଁ ଛୁଟିରେ ପଠାଇ ଦେଇଥିଲେ।

RG Kar Medical College Ex-principal Sandip Ghosh 'Sold' Unclaimed Bodies