Advertisment

Shivraj Patil : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ଦେହାନ୍ତ

ଶ୍ରୀ ପାଟିଲ ଦୀର୍ଘ ୫ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଥିଲେ। କେନ୍ଦ୍ରରେ ସେ ଏକାଧିକ ଥର ମନ୍ତ୍ରୀ ହେବା ସହ ଲୋକସଭାରେ ବାଚସ୍ପତି ଭାବେ ମଧ୍ୟ କାମ କରିଥିଲେ। ୧୯୯୧ରୁ ୧୯୯୬ ଯାଏ ସେ ଲୋକସଭାର ବାଚସ୍ପତି ଥିବା ବେଳେ ସଂସଦରେ ଲାଇବ୍ରେରୀ ବିଲଡିଂ ପ୍ରତିଷ୍ଠା କରିଥିଲେ।

author-image
Hemant Lenka
Shivraj-Patil

ଶିବରାଜ ପାଟିଲ (ଫାଇଲ ଫଟୋ)

ଆଉ ନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ(Congress) ଭେଟରାନ ଶିବାରଜ ପାଟିଲ(Shivraj Patil) ଚାକୁରକର। ଶୁକ୍ରବାର ମହାରାଷ୍ଟ୍ର ସ୍ଥିତ ଲାଟୁର ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

Advertisment

ଶ୍ରୀ ପାଟିଲ ଦୀର୍ଘ ୫ ଦଶନ୍ଧି ଧରି ରାଜନୀତିରେ ସକ୍ରିୟ ରହିଥିଲେ। କେନ୍ଦ୍ରରେ ସେ ଏକାଧିକ ଥର ମନ୍ତ୍ରୀ ହେବା ସହ ଲୋକସଭାରେ ବାଚସ୍ପତି ଭାବେ ମଧ୍ୟ କାମ କରିଥିଲେ। ୧୯୩୫ ମସିହାରେ ଲାଟୁରର ଚାକୁର ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ଶିବରାଜ ପାଟିଲ।

୧୯୯୧ରୁ ୧୯୯୬ ଯାଏ ସେ ଲୋକସଭାର ବାଚସ୍ପତି ଥିବା ବେଳେ ସଂସଦରେ ଲାଇବ୍ରେରୀ ବିଲଡିଂ ପ୍ରତିଷ୍ଠା କରିଥିଲେ। ସୂଚନାର ପ୍ରସାର ଓ ସଂସଦୀୟ କାର୍ଯ୍ୟର ପ୍ରସାରଣ ପଛରେ ଟେକ୍ନୋଲୋଜି ଶ୍ରୀ ପାଟିଲଙ୍କ ସମୟରେ ହିଁ ଆରମ୍ଭ ହୋଇଥିଲା। 

Advertisment

୧୯୮୦ରୁ ୮୨ ଯାଏ ସେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ, ୧୯୮୨ରୁ ୮୩ ବାଣିଜ୍ୟ ମନ୍ତ୍ରୀ ଓ ରାଜୀବ ଗାନ୍ଧିଙ୍କ ସରକାରରେ ସେ ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀର ଦାୟିତ୍ୱ ପାଇଥିଲେ। ୧୯୬୭ରେ ଶ୍ରୀ ପାଟିଲଙ୍କ ରାଜୀତିକ କ୍ୟାରିୟର ଲାଟୁର ମ୍ୟୁନିସପାଲ କର୍ପୋରେସନରୁ ଆରମ୍ଭ ହୋଇଥିଲା।

ପ୍ରଥମଥର ୧୯୭୨ରେ ସେ ଲାଟୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୮ରେ ମଧ୍ୟ ସେ ବିଜୟୀ ହୋଇଥିଲେ। ସେ ଲାଟୁର ଲୋକସଭା ଆସନରୁ ରେକର୍ଡ ୭ ଥର ନିର୍ବାଚିତ ହୋଇଥିଲେ। ୧୯୮୦, ୧୯୮୪, ୧୯୮୯, ୧୯୯୧, ୧୯୯୬, ୧୯୯୮ ଓ ୧୯୯୯ରେ ସେ ଲୋକସଭାକୁ ଯାଇଥିଲେ। କେନ୍ଦ୍ରରେ ବିଭିନ୍ନ ମନ୍ତ୍ରୀ ପଦ ସମ୍ଭାଳିବା ପରେ ୨୦୧୦ରେ ତାଙ୍କୁ ପଞ୍ଜାବ ଓ ଚଣ୍ଡିଗଡ଼ ରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତି ମିଳିଥିଲା।

୨୦୦୪ରେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିଲା। କିନ୍ତୁ ୨୦୦୮ ମୁମ୍ବାଇ ୨୬/୧୧ ଆକ୍ରମଣ ପରେ ସେ ସବୁ ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲେ। ସେ ନୈତିକତା ଦୃଷ୍ଟିରୁ ୨୦୦୮ ନଭେମ୍ବର ୩୦ରେ ଗୃହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। 

ଆଜି ଏହି ଭେଟରାନ ରାଜନେତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଯାଏ ଶୋକ ବ୍ୟକ୍ତ କରିଛନ୍ତି। 

Congress Shivraj Patil