Advertisment

ମଣିପୁର ହରର୍‌: ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଘରେ ବନ୍ଦ କରି ଜୀବନ୍ତ ଜାଲିଦେଲେ

ମହିଳା ଜଣଙ୍କ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ଏସ୍‌ ଚୂରାଚାନ୍ଦ ସିଂହଙ୍କ ପତ୍ନୀ। ଏକଦା ଚୂରାଚାନ୍ଦଙ୍କୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ସମ୍ମାନୀତ କରିଥିଲେ। ପତ୍ନୀଙ୍କ ହତ୍ୟାର ବହୁ ବର୍ଷ ପୂର୍ବରୁ ଚୂରାଚାନ୍ଦ ୮୦ ବର୍ଷ ବୟସରେ ଆଖି ବୁଜିଥିଲେ।

author-image
Hemant Lenka
Manipur

Manipur

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରୁ ଗୋଟିଏ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସୁଛି। ବିଶେଷ କରି ବୁଧବାର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ଫୋକସ ଏବେ ମଣିପୁର ଉପରେ ରହିଛି। ଏସବୁ ଭିତରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେବା ଜଳୁଥିବା ମଣିପୁରର ଭିତିରି କଥା ବାହାରକୁ ଆସୁଛି।

Advertisment

ମଣିପୁରର କାକଚିଙ୍ଗ ଜିଲ୍ଲାର ସେରୋଉ ଗାଁରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ୮୦ ବର୍ଷୀୟ ପତ୍ନୀଙ୍କୁ କିଛି ଲୋକ ଘର ଭିତରେ ବନ୍ଦ କରି ଜୀବନ୍ତ ଜାଳି ହତ୍ୟା କରିଛନ୍ତି। ଏନେଇ ସେରୋଉ ପୁଲିସ୍‌ ଷ୍ଟେସନରେ ମଧ୍ୟ ମାମଲା ହୋଇଛି।

ମହିଳା ଜଣଙ୍କ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ଏସ୍‌ ଚୂରାଚାନ୍ଦ ସିଂହଙ୍କ ପତ୍ନୀ। ଏକଦା ଚୂରାଚାନ୍ଦଙ୍କୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ସମ୍ମାନୀତ କରିଥିଲେ। ପତ୍ନୀଙ୍କ ହତ୍ୟାର ବହୁ ବର୍ଷ ପୂର୍ବରୁ ଚୂରାଚାନ୍ଦ ୮୦ ବର୍ଷ ବୟସରେ ଆଖି ବୁଜିଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ମେ’ ୨୮ ଭୋର ସମୟରେ ସେରୋଉରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଏତିକି ବେଳେ କିଛି ଅସ୍ତ୍ରଶସ୍ତ୍ର ଧରିଥିବା ଲୋକ ଗାଁ ଉପରେ ଆକ୍ରମଣ କରିଥିଲେ। ସେମାନେ ଚୂରାଚାନ୍ଦଙ୍କ ଘରକୁ ବାହାର ପଟୁ ଲକ୍‌ କରି ନିଆଁ ଲଗାଇ ଦେଇଥିଲେ। ଫଳରେ ଘର ଭିତରେ ଥିବା ତାଙ୍କର ୮୦ ବର୍ଷୀୟ ପତ୍ନୀ ଜୀବନ୍ତ ଜଳି ପ୍ରାଣ ହରାଇଥିଲେ।

ମେ’ ୩ ସଂଘର୍ଷ ପୂର୍ବରୁ ସେରୋଉ ଗାଁର ଛବି କିଛି ଅଲଗା ଥିଲା। କିନ୍ତୁ ରାଜଧାନୀ ଠାରୁ ୪୫ କିମି ଦୂରରେ ଥିବା ଏହି ଗାଁରେ ଏବେ କେବଳ ପୋଡ଼ାଜଳା ଘର ଓ କାନ୍ଥରେ ଗୁଳି ମାଡ଼ର ଚିହ୍ନ ରହିଛି। ମୈତୈ ଓ କୁକି ସଂପ୍ରଦାୟ ମଧ୍ୟରେ ହୋଇଥିବା ସଂଘର୍ଷରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଗାଁ ମଧ୍ୟରେ ସେରୋଉ ରହିଛି।

ପ୍ରାଣ ହରାଇଥିବା ଇବେତୋମ୍ବିଙ୍କ ୨୨ ବର୍ଷୀୟ ନାତି ପ୍ରେମକାନ୍ତ ଏବେ ନିଆଁରେ ପୋଡ଼ି ପାଉଁଶ ହୋଇ ଯାଇଥିବା ଘରକୁ ଦେଖି ନିଜ ଲୁହକୁ ସମ୍ବରଣ କରି ପାରୁ ନାହାନ୍ତି। ସେ ମଧ୍ୟ ଅଳ୍ପକେ ମୃତ୍ୟୁମୁଖରେ ସେଦିନ ବଞ୍ଚି ଯାଇଥିବା କହିଛନ୍ତି।

ପ୍ରେମକାନ୍ତ କହିଛନ୍ତି, “ଆମ ଉପରେ ଯେତେବେଳେ ଆକ୍ରମଣ ହେଲା ସେତେବେଳେ ଜେଜେମା ଆମକୁ ଦୌଡ଼ିବାକୁ କହିଲେ ଓ କିଛି ସମୟରେ ଆସି ତାଙ୍କୁ ନେଇଯିବାକୁ କହିଥିଲେ। ଏହା ହିଁ ଥିଲା ତାଙ୍କର ଶେଷ ଶବ୍ଦ। କାରଣ ଆମେ ତାଙ୍କୁ ନେବାକୁ ଆସିଲା ବେଳକୁ ଆମ ଘର ପୋଡ଼ି ପାଉଁଶ ହୋଇ ଯାଇଥିଲା। ଆଉ ଏହି ନିଆଁରେ ଜେଜେ ମା’ ପୋଡ଼ି ପ୍ରାଣ ହରାଇଥିଲେ।”  

ପ୍ରେମକାନ୍ତଙ୍କ ବାହୁ ଓ ଜଙ୍ଘରେ ମଧ୍ୟ ଗୁଳି ଘସି ହୋଇ ଚାଲି ଯାଇଥିବା ଦାଗ ଏବେ ବି ରହିଛି। ସେବେଠାରୁ ପ୍ରେମକାନ୍ତ ରିଲିଫ କ୍ୟାମ୍ପରେ ରହୁଥିଲେ। ସଂଘର୍ଷର ଦୁଇ ମାସ ପରେ ସେ ନିଜ ଭଙ୍ଗା ଘରକୁ ଫେରିଛନ୍ତି।

ଧ୍ୱଂସାବଶେଷ ତଳୁ ଇବେତୋମ୍ବି ଯତ୍ନର ସହ ରଖିଥିବା ଗୋଟିଏ ଫଟୋକୁ ଠାବ କରିଛନ୍ତି। ଏଥିରେ ତାଙ୍କ ସ୍ୱାମୀ ଚୂରାଚାନ୍ଦ ପୂର୍ବତନ ରାଷ୍ଟ୍ରପତି କଲାମଙ୍କ ସହ ରହିଛନ୍ତି। ଏବେ ବି ଭଙ୍ଗା ଘର ନିକଟରେ ପୋଡ଼ା ହାଡ଼ ସେମିତି ପଡ଼ିଛି।

ଗାଁ ଠାରୁ ଅଳ୍ପଦୂରରେ ଥିବା ସେରୋଉ ମାର୍କେଟ ଏବେ ଖାଁ ଖାଁ। ଏଠାରେ ରହୁଥିବା ଓ ବ୍ୟବସାୟ କରୁଥିବା ଲୋକମାନେ ଘର ଦ୍ୱାର ଛାଡ଼ି ଚାଲି ଯାଇଛନ୍ତି। ଲୋକଙ୍କ କୋଳାହଳରେ ଫାଟିପଡ଼ୁଥିବା ମାର୍କେଟ ଏବେ ନୀରବ ହୋଇଯାଇଛି।

Manipur Violence Manipur Incident