Advertisment

ବଢ଼ିଲା ରାହୁଲ ଗାନ୍ଧିଙ୍କ ଅଡ଼ୁଆ, ଜାରି ହେଲା ଜାମିନ ବିହୀନ ପରୱାନା

ରାହୁଲଙ୍କୁ ବ୍ୟକ୍ତିଗତ ଭାବେ ଜୁନ ୨୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଛି। ଗୋଟିଏ ମାନହାନୀ କେସ୍‌ରେ ତାଙ୍କ ନାଁରେ ଜାରି ହୋଇଛି ଜାମିନ ବିହୀନ ୱାରେଣ୍ଟ। ଝାରଖଣ୍ଡର ଚାଇବାସା ସ୍ଥିତ ଗୋଟିଏ ସାଂସଦ-ବିଧାୟକ କୋର୍ଟ ରାହୁଲ ଗାନ୍ଧିଙ୍କ ବିରୋଧରେ ଏପରି ପରୱାନା ଜାରି କରିଛନ୍ତି। ତାଙ୍କୁ ବ୍ୟକ୍ତିଗତ ଭାବେ ଜୁନ ୨୬ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାହୁଲ ଗାନ୍ଧିଙ୍କ ଓକିଲ ବ୍ୟକ୍ତିଗତ ହାଜିରାରୁ ଆଶ୍ୱସ୍ତି ପାଇଁ ଆବେଦନ କରିଥିଲେ ହେଁ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। 

Advertisment

୨୦୧୮ରେ ରାହୁଲ ଗାନ୍ଧି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମ୍ପର୍କରେ କିଛି ବୟାନ ଦେଇଥିଲେ। ଏହା ଅତ୍ୟନ୍ତ ଅରୁଚିକର ଓ ସମ୍ମାନହାନୀ କରିବା ଭଳି ବୟାନ ଥିଲା ବୋଲି ଅଭିଯୋଗ କରି ବିଜେପି ନେତା ପ୍ରତାପ କଟିୟାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ଏହାର ଶୁଣାଣି କରି କୋର୍ଟ ରାହୁଲ ଗାନ୍ଧିଙ୍କୁ ନୋଟିସ କରିଛନ୍ତି। ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ରାହୁଲ ଗାନ୍ଧି ତାଙ୍କ ଭାଷଣରେ ଦାବି କରିଥିଲେ ଯେ ହତ୍ୟା ଅଭିଯୋଗର ସାମ୍ନା କରୁଥିବା ଜଣେ ବ୍ୟକ୍ତି ବିଜେପିର ସଭାପତି ହୋଇପାରିବେ। ରାହୁଲ ଗାନ୍ଧିଙ୍କ ଏପରି ବୟାନ ଅତ୍ୟନ୍ତ ଅରୁଚିକର ଓ ଏହା ସମସ୍ତ ବିଜେପି କର୍ମୀଙ୍କ ପାଇଁ ଅପମାନଜନକ ବୋଲି ଅଭିଯୋଗ କରି ପ୍ରତାପ ୨୦୧୮ ମସିହା ଜୁଲାଇ ୯ରେ ଚାଇବାସାର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରସ୍ଥ ହୋଇଥିଲେ। 

Advertisment

ପରବର୍ତ୍ତୀ ଅବସ୍ଥାରେ ଅର୍ଥାତ ୨୦୨୦ ଫେବୃଆରୀ ମାସରେ ଝାରଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାହୁଲ ଗାନ୍ଧିଙ୍କ ବିରୋଧରେ ହୋଇଥିବା ମାନହାନୀ କେସ୍‌କୁ ରାଞ୍ଚିରେ ଥିବା ଏମପି-ଏମଏଲଏ କୋର୍ଟଙ୍କୁ ସ୍ଥାନାନ୍ତର ହୋଇଥିଲା। ଏହାପରେ ଚାଇବାସା ସ୍ଥିତି ଏମ-ଏମଏଲଏ କୋର୍ଟ ଏହାର ବିଚାର କରିଥିଲେ। ଏଠାରେ ଥିବା ମାଜିଷ୍ଟ୍ରେଟ ମାମଲାକୁ ବିଚାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ନୋଟିସ କରିଥିଲେ। 

ବାରମ୍ବାର ନୋଟିସ ସତ୍ତ୍ୱେ ରାହୁଲ ଗାନ୍ଧି କୋର୍ଟରେ ହାଜର ହୋଇ ନଥିଲେ। ପ୍ରଥମେ ତାଙ୍କ ବିରୋଧରେ ଜାମିନ ଯୁକ୍ତ ୱାରେଣ୍ଟ ଜାରି କରାଯାଇଥିଲା। ରାହୁଲ ଗାନ୍ଧି ଝାରଖଣ୍ଡ ହାଇକୋର୍ଟରେ ପହଞ୍ଚି ୱାରେଣ୍ଟ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ଏହି ଆବେଦନ ୨୦୨୪ ମାର୍ଚ୍ଚ ୨୦ରେ ଖାରଜ କରି ଦିଆଯାଇଥିଲା। 

ସେଠାରୁ ଯାଇ ରାହୁଲ ଗାନ୍ଧି ବ୍ୟକ୍ତିଗତ ହାଜିରାରୁ ଆଶ୍ୱସ୍ତି ପାଇବା ପାଇଁ ଆବେଦନ କରିଥିଲେ। ଏହାକୁ ମଧ୍ୟ ଚାଇବାସା କୋର୍ଟ ଅଗ୍ରାହ୍ୟ କରିଥିଲେ। ଏବେ ସ୍ୱତନ୍ତ୍ର କୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରି ରାହୁଲ ଗାନ୍ଧିଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି। 

Congress Rahul Gandhi Defamation Case