ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀରେ ଆୟୋଜିତ ରାତ୍ର ଭୋଜନ ନିମନ୍ତ୍ରଣ ପତ୍ରକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ଏହି ପତ୍ରରେ ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାରମ୍ପାରିକ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ଉଲ୍ଲେଖ ନକରି ପ୍ରେସିଡେଣ୍ଟ ଅଫ୍ ଭାରତ ଉଲ୍ଲେଖ କରିଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରାଇମ୍ ମିନିଷ୍ଟର୍ ଅଫ୍ ଭାରତ ଉଲ୍ଲେଖ କରିଥିଲେ। ଯାହାକୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ସହ ତୁଳନା କରି ସରଗରମ ହୋଇଥିଲା ରାଜନୀତି।
ଦେଶରେ ଏକ ପ୍ରକାର ଇଣ୍ଡିଆ ବନାମ ଭାରତ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। କିଏ ଏହି ଦୁଇ ନାଁକୁ ସମର୍ଥନ କରୁଥିବା ବେଳେ ଅନ୍ୟ କେହି ଭାରତ ପ୍ରାଚ୍ୟ ଆଉ ଇଣ୍ଡିଆକୁ ପାଶ୍ଚାତ୍ୟ ବୋଲି କହୁଛି। ତେବେ ଇତିହାସରେ ଭାରତର କିପରି ଭାବେ ନାମ ପରିବର୍ତ୍ତନ ହୋଇଛି ତା ଉପରେ ନଜର ପକାନ୍ତୁ...
ଭାରତର ପ୍ରତ୍ୟେକ ନାମ ଇତିହାସରେ ଉଲ୍ଲେଖ ରହିଛି। ଇଣ୍ଡିଆ, ଯେଉଁ ନାମକୁ ଆମେ ଦଶନ୍ଧି ଧରି ଜାଣିଛୁ, ତାହା ବ୍ରିଟିଶମାନଙ୍କ ଦ୍ୱାରା ବହୁଳ ଭାବରେ ବ୍ୟବହୃତ ଏକ ନାମ। ଦୁଇ ସହସ୍ର ବର୍ଷ ପୂର୍ବେ ଯେତେବେଳେ ପାରସ୍ୟମାନେ ସିନ୍ଧୁ ନଦୀରେ ପହଂଚିଥିଲେ (ପରେ ଏହା ଇଣ୍ଡସ୍ ଭାବରେ ପରିଚିତ ହୋଇଥିଲା), ସେମାନେ ଏହାକୁ 'ହିନ୍ଦୁ' ବୋଲି ଭୁଲ ଭାବରେ ଉଚ୍ଚାରଣ କଲେ, ତେଣୁ 'ହିନ୍ଦୁ' ନଦୀ ତଟରେ ଥିବା ଜମି ହିନ୍ଦୁସ୍ତାନ ନାମରେ ପରିଚିତ ହେଲା ଏବଂ ଏହାର ଲୋକମାନେ ହିନ୍ଦୁସ୍ତାନୀ ନାମରେ ନାମିତ ହେବାକୁ ଲାଗିଲେ।
ପାରସ୍ୟ, ଗ୍ରୀକ୍, ଦିଲ୍ଲୀ ସୁଲତାନ ଏବଂ ମୋଗଲମାନେ ଭାରତକୁ ହିନ୍ଦୁସ୍ତାନ କହିବାକୁ ଲାଗିଲେ। ଏହା କେବଳ ନାମ ଭାବରେ ବ୍ୟବହୃତ ହେଲା ନାହିଁ, ବରଂ ବହୁ ସାଂସ୍କୃତିକ ଭାର ବହନ କରିଚାଲିଲା, ଯେପରିକି ସଙ୍ଗୀତ ଏବଂ ସାହିତ୍ୟ କ୍ଷେତ୍ରରେ ହିନ୍ଦୁସ୍ତାନ ଶବ୍ଦର ବ୍ୟବହାର।
ପ୍ରାଚୀନ ସନ୍ଦର୍ଭକୁ ଦେଖିଲେ ପ୍ରାୟ ୩୦୦ ଖ୍ରୀଷ୍ଟପୂର୍ବରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ନିକଟକୁ ଆସିଥିବା ଗ୍ରୀକ୍ ରାଷ୍ଟ୍ରଦୂତ ମେଘାସ୍ଥିନିସ ତାଙ୍କ ପୁସ୍ତକର ନାଁ ରଖିଥିଲେ 'ଇଣ୍ଡିକା'। ପ୍ରାୟ ୨୦୦ ଖ୍ରୀଷ୍ଟପୂର୍ବରେ ଚାଣକ୍ୟ ତାଙ୍କ ଅର୍ଥଶାସ୍ତ୍ର'ରେ ଭାରତୀୟ ଉପମହାଦେଶକୁ' ଜମ୍ବୁଦ୍ୱୀପ' ଭାବରେ ନାମିତ କରିଥିଲେ। ଏହି ଅଞ୍ଚଳରେ ଜାମୁ ଫଳ ମିଳେ। ତେଣୁ ବୋଧହୁଏ ସେ ଏପରି ନାମ ରଖିଥିଲେ ବୋଲି କୁହାଯାଏ। ସେ 'ଜମ୍ବୁଦ୍ୱୀପ'କୁ ଆର୍ଯ୍ୟାବର୍ତ୍ତ ଓ ଦ୍ରାବିଡ଼ର ମିଳିତ ଭୂଖଣ୍ଡ ଭାବେ ଗ୍ରହଣ କରିଥିଲେ।
ବେଦ ସମୟରେ ସନ୍ଥମାନେ ଉପମହାଦେଶର ଉତ୍ତରପୂର୍ବ ଅର୍ଦ୍ଧଭାଗକୁ ଆର୍ଯ୍ୟାବର୍ତ୍ତ ଏବଂ ଦକ୍ଷିଣପୂର୍ବ ଅର୍ଦ୍ଧଭାଗକୁ ଦ୍ରାବିଡ଼ ବୋଲି କହୁଥିଲେ। ଏହି ଦୁଇଟି ଅଞ୍ଚଳ ମନୁ ସ୍ମୃତି ଏବଂ ପୁରାଣରେ ମଧ୍ୟ ରହିଛି। ଯେଉଁଠାରେ ଆର୍ଯ୍ୟାବର୍ତ୍ତ (ଅର୍ଥାତ୍ 'ସମ୍ଭ୍ରାନ୍ତଙ୍କ ଦେଶ') ହିମାଳୟଠାରୁ ବିନ୍ଧ୍ୟର ଉତ୍ତର ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳ ଭାବରେ ବର୍ଣ୍ଣନା କରାଯାଇଛି, ଯାହା ଆଧୁନିକ ଗୁଜରାଟରୁ ମଧ୍ୟପ୍ରଦେଶ, ବାରାଣାସୀ ଏବଂ ବଙ୍ଗୋପସାଗରରୁ ଆରବ ସାଗର ପର୍ଯ୍ୟନ୍ତ ବିସ୍ତୃତ।
ଦ୍ରାବିଡ଼ ଦକ୍ଷିଣ ଆଡ଼କୁ ଥିବା ଭୂମି ଭାବରେ ଉଲ୍ଲେଖ କରାଯାଇଛି ଯେଉଁଠାରେ ତିନୋଟି ଭାରତ ମହାସାଗର, ଆରବ ସାଗର ଏବଂ ବଙ୍ଗୋପସାଗର ଏକତ୍ରିତ ହୋଇଥାଏ। ଦ୍ରାବିଡ଼ ନାମ ହେଉଛି ଏକ 'ସନ୍ଧି' ଶବ୍ଦ ଯାହାକି 'ଦ୍ରବ୍ୟ' (ଅର୍ଥାତ୍ ଜଳ) ଏବଂ 'ବିଡ଼' (ଏକ ସଭା ସ୍ଥାନ)କୁ ବୁଝାଏ। ଏହିପରି ଭାରତକୁ ଯେତେ ଶାସକ ଆସିଥିଲେ, ସେମାନେ ଏକ ନୂଆ ନୂଆ ନାମ ନେଇ ଆସିଥିଲେ।
ନଭିବର୍ଷ, ଇଲାଭାଟିବର୍ଷ ଏବଂ ଭାରତବର୍ଷ ବୋଲି ଅଳ୍ପ କେତେଜଣ ଶାସକ ନାମ ଦେଇଥିଲେ। ଭରତବର୍ଷ କିନ୍ତୁ ଭାରତଠାରୁ ବହୁ ପୁରାତନ ନାମ, ଯାହା ବର୍ତ୍ତମାନ ଭାରତ ପାଇଁ ଏକ ଲୋକପ୍ରିୟ ବିକଳ୍ପ ନାମ। ଖ୍ରୀଷ୍ଟପୂର୍ବ ପ୍ରଥମ ଏବଂ ନବମ ଶତାବ୍ଦୀ ମଧ୍ୟରେ ଏହା ସୃଷ୍ଟି ହୋଇଥିବା କୁହାଯାଏ।
ଭରତ ହେଉଛି ଏକ ନାମ ଯାହାକି ବହୁ ପୁରାତନ ଋଗ ବେଦ (ପ୍ରାୟ ୧୫୦୦ ଖ୍ରୀଷ୍ଟପୂର୍ବ)ରେ ଉଲ୍ଲେଖ ଅଛି। ଏହା ଭାରତ ବଂଶକୁ ଏହି ଅଞ୍ଚଳର ମୁଖ୍ୟ ଜନଜାତି ଭାବରେ ଉଲ୍ଲେଖ କରିଛି, ଯାହା ବର୍ତ୍ତମାନ ଉତ୍ତର ଭାରତ ଅଟେ। ଏଥିସହ, ଭାରତ କୁରୁ ରାଜବଂଶର ଉତ୍ତରାଧିକାରୀ ରାଜା ଭରତଙ୍କ ନାମକ ନେଇ ହୋଇଥିବା କୁହାଯାଏ। ଯିଏକି ରାଜା ଦୁଶ୍ୟନ୍ତ (ଦୁଷ୍ମନ୍ତ?) ଏବଂ ଶକୁନ୍ତଳାଙ୍କ ପୁତ୍ର ଥିଲେ।
ଆହୁରି ପଛକୁ ଗଲେ, ମଧ୍ୟ ବ୍ରୋଞ୍ଜ ଯୁଗରେ ଏହି ଅଞ୍ଚଳର ପ୍ରମୁଖ ବାଣିଜ୍ୟ ଭାଗିଦାର ସୁମେରୀୟଙ୍କ ମଧ୍ୟରେ ଏହି ଅଞ୍ଚଳ ମେଲୁହା କିମ୍ବା ମେଲୁଖା ଭାବେ ପରିଚିତ ଥିଲା। ଯଦିଓ ମେଲୁହାକୁ ସମ୍ପୂର୍ଣ୍ଣ ଭାବେ ଚିହ୍ନଟ କରାଯାଇ ନାହିଁ, ଅଧିକାଂଶ ପଣ୍ଡିତ ଏହାକୁ ଇଣ୍ଡସ୍ ଭ୍ୟାଲି ବା ସିନ୍ଦୁ ଉପତ୍ୟାକାର ସଭ୍ୟତା ସହିତ ଜଡିତ କରନ୍ତି। ସୁମେର ହେଉଛି ଦକ୍ଷିଣ ମେସୋପୋଟାମିଆନ୍ ଅଞ୍ଚଳର ସର୍ବପ୍ରଥମ ଜଣାଶୁଣା ସଭ୍ୟତା, ଯାହା ବର୍ତ୍ତମାନ ମୁଖ୍ୟତଃ ଦକ୍ଷିଣ-ମଧ୍ୟ ଇରାକ ଭାବେ ଜଣାଶୁଣା। ଖ୍ରୀଷ୍ଟପୂର୍ବ ଷଷ୍ଠରୁ ପଞ୍ଚମ ସହସ୍ର ବର୍ଷ ମଧ୍ୟରେ ଚାଲକୋଲିଥିକ୍ ଏବଂ ପ୍ରାରମ୍ଭିକ ବ୍ରୋଞ୍ଜ ଯୁଗରେ ସୁମେର ଖ୍ୟାତିଲାଭ କରିଥିବା କୁହାଯାଏ।
ଅମିଷ ତ୍ରିପାଠୀଙ୍କ ଏକ ଲୋକପ୍ରିୟ ଉପନ୍ୟାସ, 'ଦ ଇମମୋର୍ଟାଲସ ଅଫ୍ ମେଲୁହା' (ୱେଷ୍ଟଲ୍ୟାଣ୍ଡ ପ୍ରେସ, ୨୦୧୦)ରେ ମେଲୁହାକୁ ପୂର୍ବ ଆଫଗାନିସ୍ତାନର କିଛି ଅଂଶ ସହ କାଶ୍ମୀର, ପଞ୍ଜାବ, ହିମାଚଳ ପ୍ରଦେଶ, ଦିଲ୍ଲୀ, ହରିଆଣା, ରାଜସ୍ଥାନ, ଗୁଜରାଟ ଏବଂ ସମଗ୍ର ପାକିସ୍ଥାନର ଆଧୁନିକ ଭାରତୀୟ ଅଞ୍ଚଳକୁ ଆଚ୍ଛାଦନ କରୁଥିବା ସାମ୍ରାଜ୍ୟ ଭାବରେ ବର୍ଣ୍ଣନା କରିଛି।
୧୯୪୭ରେ ଯେତେବେଳେ ଦେଶ ସ୍ୱାଧୀନ ହେଲା, ଇଂରେଜମାନେ ଦେଶରୁ ବିତାଡ଼ିତ ହେଲେ ସେତେବେଳେ ଭାରତର ରାଜନେତାମାନେ ମିଳିତ କିମ୍ବା ଅଦଳବଦଳ କରି ଭାରତ, ହିନ୍ଦୁସ୍ତାନ ଏବଂ ଭାରତ ନାମକୁ ଅଧିକ ବ୍ୟବହାର କରୁଥିଲେ। ବାସ୍ତବରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାତ୍ମା ଗାନ୍ଧି ହିନ୍ଦୁସ୍ତାନୀକୁ ଦେଶର ଜାତୀୟ ଭାଷା ଭାବେ ନାମିତ କରିବା ସପକ୍ଷରେ ଥିଲେ।
୧୯୪୯ରେ, ଯେତେବେଳେ ସମ୍ବିଧାନ ପ୍ରସ୍ତୁତ ହେଲା, ଦେଶର ସରକାରୀ ନାମ ମଧ୍ୟ ସ୍ଥିର ହେଲା। ସେତେବେଳେ ହିନ୍ଦୁସ୍ତାନ ନାମକୁ ବିକଳ୍ପରୁ ବାଦ୍ ଦେଇ ଭାରତ କିମ୍ବା ଇଣ୍ଡିଆ ବୋଲି ବାଛିବାକୁ କୁହାଯାଇଥିଲା। ୧୯୫୦ ମସିହାରେ, ଯେତେବେଳେ ସମ୍ବିଧାନ କାର୍ଯ୍ୟକାରୀ ହେଲା, ଏହାର ଧାରା ୧ ଭାରତର ବିକଳ୍ପ ସରକାରୀ ନାମକୁ ନିଶ୍ଚିତ କଲା, "ଇଣ୍ଡିଆ, ଯାହା ଭାରତ ଏକ ୟୁନିଅନ୍ ଅଫ୍ ଷ୍ଟେଟ୍ସ ହେବ।"
ଏହି ନିଷ୍ପତ୍ତିକୁ ମଧ୍ୟ ସେତେବେଳେ ଗ୍ରହଣ କରାଯାଇ ନଥିଲା। କାରଣ ବ୍ରିଟିଶମାନେ ଦେଇଥିବା ନାଁକୁ ଉଲ୍ଲେଖ ନ କରିବାକୁ ଦାବି ହୋଇଥିଲା। ତଥାପି ସମ୍ବିଧାନର ଚିଠା ପ୍ରସ୍ତୁତ ସମୟରେ "ଇଣ୍ଡିଆ, ଯାହା ଭାରତ ଏକ ୟୁନିଅନ୍ ଅଫ୍ ଷ୍ଟେଟ୍ସ ହେବ" ନିଶ୍ଚିତ ହୋଇଥିଲା ଏବଂ ଇଣ୍ଡିଆ ନାମ ସରକାରୀ ଭାବେ ଯୋଡି ହୋଇଥିଲା।