Police
ରାଜସ୍ଥାନର ଜୟପୁର ଅନ୍ତର୍ଗତ ହାୱା ମହଲରୁ ବିଜେପି ଟିକେଟରେ ବିଧାୟକ ହୋଇଥିବା ବାଲ ମୁକୁନ୍ଦ ଆଚାର୍ଯ୍ୟ କ୍ଷମତାର ଫାଇଦା ଉଠାଇଛନ୍ତି। ସେ ପୁଲିସ୍ ଷ୍ଟେସନକୁ ଯାଇ ନିଜ ଦବଙ୍ଗଗିରି ଦେଖାଇଛନ୍ତି। ଥାନାରେ ପୁଲିସ୍ ଅଧିକାରୀଙ୍କ ପାଇଁ ପଡ଼ିଥିବା ଚୌକିରେ ସେ ବେଧଡ଼କ ଅନ୍ଦାଜରେ ବସି ନିଜ ଦବଦବା ଦେଖାଇଛନ୍ତି। ସମ୍ବେଦନଶୀଳ ରାମଗଞ୍ଜ ପୁଲିସ୍ ଷ୍ଟେସନରେ ବିଜେପି ବିଧାୟକ ବାଲ ମୁକୁନ୍ଦ ଆଚାର୍ଯ୍ୟ ଏପରି କାରନାମା କରିଛନ୍ତି। ସେ କେବଳ ପୁଲିସ୍ ଅଧିକାରୀଙ୍କ ସିଟରେ ବସି ନଥିଲେ, ବରଂ ଜଣେ ପୌର ଅଧିକାରୀଙ୍କୁ ଫୋନ କରି ତାଙ୍କୁ ଧମକ ଦେଇଥିଲେ। ଏପରି କି ତାଙ୍କ ମୁଣ୍ଡ ଫଟାଇ ଦେବେ ବୋଲି ମଧ୍ୟ ବାଲ ମୁକୁନ୍ଦ ଆଚାର୍ଯ୍ୟ ଚେତାବନୀ ଦେଇଛନ୍ତି।
ବାସ୍ତବରେ କାଉଡ଼ି ଯାତ୍ରା ପାଇଁ ଜୟପୁରରେ ହୋଇଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ପାଇଁ ଗୋଟିଏ ମିଟିଂ ଦୁଇ ଦିନ ତଳେ ଥାନାରେ ବସିଥିଲା। ଏଥିରେ ଗଲତା ଗେଟ ଓ ମାନେକ ଚୌକ ପୁଲିସ୍ ଷ୍ଟେସନର ମୁଖିଆ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ବିଧାୟକ ବାଲ ମୁକୁନ୍ଦ ଆଚାର୍ଯ୍ୟ ଥାନାରେ ପୁଲିସ୍ ଅଧିକାରୀଙ୍କ ପାଇଁ ପଡ଼ିଥିବା ଚେୟାରରେ ବସିଥିଲେ। ଏହାର ସାମ୍ନାରେ ଥିବା ଅତିଥି ଚେୟାରରେ ପୁଲିସ୍ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ବସିବାକୁ ପଡ଼ିଥିଲା।
ଥାନା ବାବୁଙ୍କ ଚେୟାରରେ ବସି ବିଧାୟକ ବାଲ ମୁକୁନ୍ଦ ଆଚାର୍ଯ୍ୟ ବୈଠକର ଅଧ୍ୟକ୍ଷତା କରିବା ସହ କାଉଡ଼ି ଯାତ୍ରା ପାଇଁ ହୋଇଥିବା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ଥିଲେ। ବୈଠକ ସମୟରେ ସେ ଜଣେ ପୌର ଅଧିକାରୀଙ୍କୁ ଫୋନ କରିଥିଲେ। ଫୋନ ଦ୍ୱାରା ସେ ପୌର ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ।
ବିଧାୟକ ବାଲ ମୁକୁନ୍ଦ ଆଚାର୍ଯ୍ୟ ଫୋନରେ ଅଧିକାରୀଙ୍କୁ କହିଛନ୍ତି ଯେ “ରାମଗଞ୍ଜର ଲାଇଟ ସବୁ ଠିକ ଭାବେ ଜଳୁ ନାହିଁ। ମୁଁ ତୁମ ମୁଣ୍ଡ ଫଟାଇ ଦେବି। ସେମାନେ ମୋତେ ମହାରାଜ କହୁଛନ୍ତି। ଗଲତା ଗେଟରୁ ବଡି ଚୌପାର ଯାଏ ଲାଗିଥିବା ଅଧା ଲାଇଟ ଜଳୁନି। ଦୟା କରି ସେସବୁ ଦେଖନ୍ତୁ।”
ଅଧିକାରୀ ଜଣଙ୍କ କ’ଣ କହିଥିଲେ, ସେକଥା ସାମ୍ନାକୁ ଆସିଥିବା ଭିଡିଓରେ ରେକର୍ଡ ହୋଇନାହିଁ। କିନ୍ତୁ କିଛି ସମୟ ପରେ ବିଧାୟକ ବାଲ ମୁକୁନ୍ଦ ଆଚାର୍ଯ୍ୟ ପୁଣି କହିଥିଲେ ଯେ “ନିଜ ଘରେ ଶୋଇବାକୁ କ’ଣ ତୁମେ ଲକ୍ଷାଧିକ ଟଙ୍କା ନେଉଛ? ପ୍ରତିଟି ଲାଇଟ ଯେମିତି ଜଳିବ, ତା’କୁ ନିଶ୍ଚିତ କର। ଲାଇଟ ଜଳୁଥିବାର ଗୋଟିଏ ଭିଡିଓ କରିବ ଓ ମୋତେ ପଠାଇବ।”
ଫୋନରେ କଥା ହୋଇ ସାରିବା ପରେ ବାଲ ମୁକୁନ୍ଦ ଆଚାର୍ଯ୍ୟ ତାଙ୍କ ସାମ୍ନାରେ ବସିଥିବା ପୁଲିସ୍ ଅଧିକାରୀଙ୍କ ସହ କଥା ହେବା ଆରମ୍ଭ କରିଥିଲେ। ଏହି ସମୟରେ ସେ କହିଥିଲେ, “ପରିସ୍ଥିତି ଅନୁସାରେ ଆପଣ କାର୍ଯ୍ୟାନୁଷ୍ଠାନ ନେବେ ନା ନାହିଁ? କ’ଣ ପାଇଁ ଆପଣ ସବୁ ବେଳେ ଶାନ୍ତି ବୁଝାମଣା ପାଇଁ ଆଗେଇ ଆସୁଛନ୍ତି? ଆପଣମାନେ ସମସ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ଶାନ୍ତି ପ୍ରତିଷ୍ଠା କରନ୍ତୁ। ଉତ୍ତର ପ୍ରଦେଶକୁ ଦେଖୁଛନ୍ତି ତ? ସେଠାରେ ଲୋକମାନେ ପୁଲିସ୍କୁ ଡରୁଛନ୍ତି।”
ବିଧାୟକ ବାଲ ମୁକୁନ୍ଦ ଆଚାର୍ଯ୍ୟଙ୍କ ଏପରି ଦବଙ୍ଗଗିରି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ କଂଗ୍ରେସ ଆଧାର କରି ବିଧାୟକ ଓ ବିଜେପିକୁ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ବିରୋଧୀ ଦଳ ନେତା ଟିକେ ରାମ କହିଛନ୍ତି ଯେ ଯେଉଁମାନେ ଆଇନ ପ୍ରଣୟନକାରୀ ସେମାନା ଏବେ ନିଜେ ଆଇନକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଛନ୍ତି।
କଂଗ୍ରେସର ରାଜ୍ୟ ସଭାପତି ଗୋବିନ୍ଦ ସିଂହ ଡୋତାସାରାଙ୍କ କହିବା କଥା ଯେ ରାଜସ୍ଥାନରେ ସରକାର ନୁହେଁ ବରଂ ଗୋଟିଏ ସର୍କସ ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Police_1752585118.jpg)