PM Modi
ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ (ଏସସିଓ)ର ସଦସ୍ୟ ରାଷ୍ଟ୍ରମାନେ ପ୍ରଥମଥର ପାଇଁ ଏପ୍ରିଲ ୨୨ର ପହଲଗାମ ନରସଂହାରକୁ ମିଳିତ ଭାବେ ନିନ୍ଦା କରିଛନ୍ତି। ଚାଇନାର ତିଆନଜିନରେ ଆୟୋଜିତ ଏସ୍ସିଓ ସମ୍ମିଳନୀ ପରେ ସୋମବାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଗୋଟିଏ ମିଳିତ ଘୋଷଣାପତ୍ର ଜାରି କରାଯାଇଛି। ଏଥିରେ ପହଲଗାମ ନରସଂହାରକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ଏହାକୁ ଭାରତର ଗୋଟିଏ ବଡ଼ କୂଟନୀତିକ ବିଜୟ ଭାବେ ବିବେଚନା କରାଯାଉଛି।
ଘୋଷଣାପତ୍ରରେ କୁହାଯାଇଛି ଯେ “ସମସ୍ତ ସଦସ୍ୟ ରାଷ୍ଟ୍ର ଦୃଢ଼ ଭାବେ ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ହମଲାକୁ ନିନ୍ଦା କରୁଛନ୍ତି।” ହମଲାରେ ମୃତାହତମାନଙ୍କୁ ସଦସ୍ୟ ରାଷ୍ଟ୍ରମାନେ ସହାନୁଭୂତି ଜଣାଇବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏପରି ହମଲା ପଛରେ ଥିବା ଅପରାଧୀ, ସଂଗଠନ ଓ ପ୍ରାୟୋଜକମାନଙ୍କୁ ଏଥିପାଇଁ ଦାୟୀ କରାଯିବା ଦରକାର ବୋଲି ମିଳିତ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି।
ଏସ୍ସିଓ ରାଷ୍ଟ୍ରଗୁଡ଼ିକ ଆତଙ୍କବାଦ, ବିଚ୍ଛନତାବାଦ ଓ ଉଗ୍ରବାଦ ବିରୋଧୀ ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦୀ ଓ ବିଚ୍ଛନ୍ନତାବାଦୀ ବିପଦକୁ ମୁକାବିଲା କରିବା କ୍ଷେତ୍ରରେ ରାଷ୍ଟ୍ରଗୁଡ଼ିକ ନେଉଥିବା ସବୁ ପ୍ରକାରର ପଦକ୍ଷେପକୁ ସ୍ୱୀକୃତି ଦିଆଯାଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ଆତଙ୍କବାଦର ସବୁ ପ୍ରକାରର ରୂପକୁ ନିନ୍ଦା କରି ଆତଙ୍କବାଦ ବିରୋଧୀ ଲଢ଼େଇରେ ଦୋମୁହାଁ ନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏଥିସହ ଅନ୍ତର୍ଜାତୀୟ ସମୂହକୁ ଆତଙ୍କବାଦୀଙ୍କ ସୀମା ପାର ଗତିବିଧି ସମେତ ଆତଙ୍କବାଦର ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି।
ଆତଙ୍କବାଦ ପ୍ରସଙ୍ଗରେ ଭାରତ ରଖିଥିବା ଆଭିମୁଖ୍ୟ ଏସ୍ସିଓ ରାଷ୍ଟ୍ରଗୁଡ଼ିକ ମିଳିତ ଘୋଷଣାପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ଏହାକୁ ଭାରତର ବଡ଼ କୂଟନୀତିକ ବିଜୟ ଭାବେ ବିବେଚନା କରାଯାଉଛି।
ଦୁଇ ମାସ ତଳେ ଚାଇନାର କ୍ୱିଙ୍ଗଦାଓରେ ଏସସିଓ ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କୁ ନେଇ ବୈଠକ ହୋଇଥିଲା। ଏଥିରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦେଇଥିଲେ। ତେବେ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମିଳିତ ଘୋଷଣାପତ୍ରରେ ପହଲଗାମ ଆତଙ୍କବାଦୀ ହମଲା ସମ୍ପର୍କରେ କିଛି ବି କୁହାଯାଇ ନଥିଲା। ଏହାକୁ ବିରୋଧ କରି ଶ୍ରୀ ସିଂହ ଏହି ମିଳିତ ଘୋଷଣାପତ୍ରରେ ଦସ୍ତଖତ କରିବାକୁ ମନା କରି ଦେଇଥିଲେ। ହେଲେ କ୍ୱିଙ୍ଗଦାଓରେ ଆପତ୍ତି କରିଥିବା ଭାରତକୁ ତିଆନଜିନରେ ବଡ଼ ସଫଳତା ମିଳିଛି।
ଭାରତ ପହଲଗାମ ନରସଂହାରକୁ ଏସ୍ସିଓର ଘୋଷଣାପତ୍ରରେ ସାମିଲ କରିବାକୁ ୨ ମାସ ତଳେ ଦାବି କରିଥିଲା। ଏବେ ଏସ୍ସିଓ ଘୋଷଣାପତ୍ରରେ ପହଲଗାମ ନରସଂହାରକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି। ଏଥିସହ ଏହା ପଛରେ ଥିବା ଲୋକଙ୍କୁ ମଧ୍ୟ ଦାୟୀ କରିବାକୁ ଏସ୍ସିଓ ରାଷ୍ଟ୍ରଗୁଡ଼ିକ ଗୁରୁତ୍ୱ ଦେଇଛନ୍ତି।
ପୂର୍ବରୁ ପହଲଗାମ ନରସଂହାରକୁ ଏସ୍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ମିଳିତ ଘୋଷଣାପତ୍ରରୁ ଚାଇନା ଓ ପାକିସ୍ତାନ କଥାରେ ବାଦ ଦିଆଯାଇଥିଲା। ମିଳିତ ଘୋଷଣାପତ୍ରରେ ଆତଙ୍କବାଦର କଥା କୁହାଯାଇଥିଲେ ହେଁ ପହଲଗାମ ନରସଂହାରକୁ ବାଦ ଦିଆଯାଇଥିବାରୁ ଏହାକୁ ଭାରତ ବିରୋଧ କରିଥିଲା।
ମିଳିତ ଘୋଷଣାପତ୍ରରେ ପହଲଗାମ ନରସଂହାରକୁ ପାକିସ୍ତାନ ଓ ଚାଇନା ବାଦ ଦେଇଥିବା ବେଳେ ବାଲୁଚିସ୍ତାନ କଥା ଉଲ୍ଲେଖ କରିଥିଲେ। ବାଲୁଚିସ୍ତାନ କଥା ଉଲ୍ଲେଖ କରି ବେଶ ଚାଲାକି ଢଙ୍ଗରେ ସେଠାରେ ଭାରତ ଅସ୍ଥିରତା ସୃଷ୍ଟି କରୁଥିବା କଥା ମଧ୍ୟ ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା। ଚାଇନା ଏସ୍ସିଓ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ବେଳେ ପାକିସ୍ତାନ କଥାରେ ଜାଣିଶୁଣି ପହଲଗାମ ନରସଂହାରକୁ ଏଥିରେ ସାମିଲ କରାଯାଇ ନଥିଲା। ଖାସ ଏହି କାରଣ ପାଇଁ ଭାରତ ମିଳିତ ଘୋଷଣାପତ୍ରରେ ଦସ୍ତଖତ କରି ନଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/PM_Modi_1756723437.jpg)