/odisha-reporter/media/post_attachments/uploadimage/library/16_9/16_9_0/PM_Modi_1747063230.jpg)
PM Modi
ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ସେ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି। ଏଣିକି ପାକିସ୍ତାନ ସହ ଯଦି କଥାବାର୍ତ୍ତା ହେବ, ତା’ହେଲେ କେବଳ ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ହେବ। ଏହା ଛଡ଼ା ଆଉ କୌଣସି ବିଷୟରେ ପାକିସ୍ତାନ ସହ ଭାରତ ଆଲୋଚନା କରିବ ନାହିଁ ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି।
ମୋଦି କହିଛନ୍ତି, ଆତଙ୍କବାଦ ବିରୋଧରେ ଆମର ଏକତା ସବୁଠୁ ବଡ଼ ଶକ୍ତି। ଆତଙ୍କବାଦ ବିରୋଧରେ ଶୂନ ସହନଶୀଳତା ଆମ ଗ୍ୟାରେଣ୍ଟୀ। ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରୋତ୍ସାହନ ଦେଉଛି, ଦିନ ସେମାନେ ହିଁ ଇସଲାମାବାଦକୁ ଧ୍ୱଂସ କରିବେ। ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲି ପାରିବନି। ଆତଙ୍କବାଦ ଓ ବାଣିଜ୍ୟ ଏକସଙ୍ଗେ ହୋଇପାରିବ ନାହିଁ। ଯଦି ପାକିସ୍ତାନ ସହ କଥା ହେବୁ ତେବେ ଆତଙ୍କବାଦ ନେଇ ହେବୁ। ଯଦି ପାକିସ୍ତାନ ସହ କଥାବାର୍ତ୍ତା ଭବିଷ୍ୟତରେ ହେବ, ତା’ହେଲେ POK ଉପରେ ହେବ ସେ କହିଛନ୍ତି।
ଅପରେସନ ସିନ୍ଦୂର ସମ୍ପର୍କରେ ମୋଦି କହିଛନ୍ତି, “ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ। ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ସଲାମ। ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ କରୁଛି। ପହଲଗାମରେ ଆତଙ୍କବାଦୀ ବର୍ବରକାଣ୍ଡ ଘଟାଇଲେ। ଛୁଟି କାଟିବାକୁ ଯାଇଥିବା ନିର୍ଦ୍ଦୋଷଙ୍କୁ ହତ୍ୟା କଲେ। ପରିବାର ସଦସ୍ୟଙ୍କ ଆଗରେ ଧର୍ମ ପଚାରି ହତ୍ୟା କଲେ। ଏହା ସବୁଠୁ ବଡ଼ ବୀଭତ୍ସ ଓ କ୍ରୁର ଥିଲା। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ପୂରା ଦେଶରେ ସ୍ୱର ଉଠିଥିଲା। ପୂରା ସମାଜ ଓ ସବୁ ରାଜନୀତି ଦଳ ଏନେଇ ଦାବି କରିଥିଲେ। ମା, ଭଉଣୀଙ୍କ ମୁଣ୍ଡରୁ ଯେଉଁ ସିନ୍ଦୂର ହଜିଥିଲା ତା’ର ପ୍ରତିଶୋଧ ନେଉଥିଲୁ।
ମେ ୭ ସକାଳେ ପୂରା ବିଶ୍ୱ ଭାରତୀୟ ସେନାର ପରାକ୍ରମ ଦେଖିଛି। ପାକିସ୍ତାନର ଆତଙ୍କୀ ତାଲିମ୍ କେନ୍ଦ୍ରକୁ ସଠିକ୍ ଟାର୍ଗେଟ କଲୁ। ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଏହା ଭାବି ନଥିବେ। ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ମିଜାଇଲ୍ ମାଡ଼ ହେଲା। ବାହାବଲପୁର ଓ ମୁରଦିକେ ଭଳି ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଛୁ। ସବୁ ବଡ଼ ବଡ଼ ଆତଙ୍କୀ କାର୍ଯ୍ୟ ସହ ଏମାନେ ଜଡ଼ିତ ଥିଲେ। ଶହେରୁ ଅଧିକ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଛନ୍ତି। ଖୋଲାଖୋଲି ଏମାନେ ପାକିସ୍ତାନରେ ବୁଲୁ ଥିଲେ। ଭାରତର ଏଭଳି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ହତାଶା ଖେଳିଗଲା। ପାକିସ୍ତାନ ଆତଙ୍କବାଦ ବିରୋଧରେ ନ ଲଢ଼ି ଆମ ବିରୋଧରେ ଲଢ଼ିଲା। ସ୍କୁଲ, ଧର୍ମାନୁଷ୍ଠାନ ଓ ସାଧାରଣ ଲୋକଙ୍କ ଘରକୁ ଟାର୍ଗେଟ କଲା। ମାତ୍ର ଏଥିରେ ପାକିସ୍ତାନ ସଫଳ ହେଲାନି।
ପାକିସ୍ତାନୀ ଡ୍ରୋନ୍, ମିଜାଇଲକୁ ଆମ ଏୟାର ଡିଫେନ୍ସ ଧ୍ୱଂସ କରି ଦେଇଛି। ପାଲଟା ଆକ୍ରମଣରେ ପାକିସ୍ତାନର ଏୟାରବେସ୍ ଧ୍ୱଂସ ପାଇଛି। ଏହାପରେ ପାକିସ୍ତାନ ବଞ୍ଚିବା ପାଇଁ ରାସ୍ତା ଖୋଜିଲା। ବିଶ୍ୱ ଦରବାରର ଦ୍ୱାରସ୍ଥ ହେଲା ପାକିସ୍ତାନ। ମେ ୧୦ରେ ଆମ DGMOଙ୍କୁ ଫୋନ୍ କଲା ପାକିସ୍ତାନ ସେନା। ମୁଁ ଏଠି କହିବାକୁ ଚାହୁଁଛି ଯେ ପାକିସ୍ତାନ ଓ ଆତଙ୍କବାଦ ବିରୋଧରେ ଆମ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିନାହୁଁ। ବରଂ ଏହାକୁ ସ୍ଥଗିତ ରଖିଛୁ।
ପାକିସ୍ତାନର ପରବର୍ତ୍ତୀ ଆଚରଣ ଉପରେ ଆମର ନଜର ରହିଛି। ସର୍ଜିକାଲ ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଭାରତର ନୀତି। ଯଦି ଆଗକୁ ଆକ୍ରମଣ ହୁଏ, ତା’ହେଲେ ଜବାବ ଆହୁରି ଜୋରଦାର ହେବ। ଆମେ ଆମ ଇଚ୍ଛାରେ ଏହାର ଜବାବ ଦେବୁ। ଆମ ଶୈଳୀ ବିଶ୍ୱ ଦେଖିବ। କୌଣସି ପରମାଣୁ ବ୍ଲାକମେଲିଂକୁ ଭାରତ ସହ୍ୟ କରିବନି। ପରମାଣୁ ଅସ୍ତ୍ର ଧମକରେ ଭାରତ ଡରିବ ନାହିଁ।
ଆତଙ୍କୀଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଯୋଗଦେଲା। ଏଥିରୁ ପ୍ରମାଣିତ ହେଲା ଏହା ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ। ପୂରା ବିଶ୍ୱ ପାକିସ୍ତାନର ବିକୃତ ରୂପ ଦେଖିଲା। ଏକବିଂଶ ଶତାବ୍ଦୀର ଯୁଦ୍ଧ ସମୟରେ ପୂରା ବିଶ୍ୱ ମେଡ ଇନ ଇଣ୍ଡିଆ ଅସ୍ତ୍ରର ଶକ୍ତି ଦେଖିଲା। ଆତଙ୍କବାଦ ବିରୋଧରେ ଏକାଠି ରହିବା ଗୁରୁତ୍ୱପୂର୍ଣ୍ଣ। ଟେରର ଆଣ୍ଡ ଟକ ଏକାଠି ସମ୍ଭବ ନୁହେଁ। ଟେରର ଓ ଟ୍ରେଣ୍ଡ ଏକାସଙ୍ଗେ ହୋଇପାରିବନି। ପାଣି ଓ ରକ୍ତ ଏକାଠି ବହି ପାରିବ ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
