Advertisment

ଜି-୨୦ ସମ୍ମିଳନୀ: ବିଶ୍ୱ ଦେଖିବ ଭାରତର ଆତିଥେୟତା, ଚାନ୍ଦି ଓ ସୁନା ଛାଉଣୀ ପାତ୍ରରେ ପରସାଯିବ ଖାଦ୍ୟ

କେଉଁଠି ଡାଇନିଂ ଟେବୁଲରେ ରୂପାରେ ନିର୍ମିତ ମୟୂର ପୁଚ୍ଛ ମେଲି ସେମାନଙ୍କୁ ଅନାଇ ବସିଥିବ ତ କେଉଁଠି ହାତୀ ଶୁଣ୍ଢ ଟେକି ସ୍ୱାଗତ କରୁଥିବ । ଆଉ ଏପରି ମନଲୋଭା ପାତ୍ରରେ ଥିବା ଭଳିକି ଭଳି ସୁସ୍ୱାଦୁ ଡିସ୍‌ ।

author-image
Niharika Rout
ଅଦ୍ୟତନ ହୋଇଛି
Utensil

Utensil

ଅତିଥି ଦେବୋ ଭବଃ । ଭାରତ ସବୁବେଳେ ଅତିଥିଙ୍କୁ ଦେବତାଙ୍କ ସହ ସମାନ କରୁଥିବା ବେଳେ ଏଥର ବିଶ୍ୱ ଦେଖିବ ଭାରତର ଆତିଥେୟତା। ଡାଇନିଂ ଟେବୁଲରେ ହିଁ ଅତିଥିମାନେ ପାଇପାରିବେ ଭାରତର ବିବିଧତାର ପରିଚୟ। କେଉଁଠି ଡାଇନିଂ ଟେବୁଲରେ ରୂପାରେ ନିର୍ମିତ ମୟୂର ପୁଚ୍ଛ ମେଲି ସେମାନଙ୍କୁ ଅନାଇ ବସିଥିବ ତ କେଉଁଠି ହାତୀ ଶୁଣ୍ଢ ଟେକି ସ୍ୱାଗତ କରୁଥିବ । ଆଉ ଏପରି ମନଲୋଭା ପାତ୍ରରେ ଥିବା ଭଳିକି ଭଳି ସୁସ୍ୱାଦୁ ଡିସ୍‌ । ଏପରି ଭାବେ ଅତିଥିଙ୍କ ସ୍ୱାଗତ ପାଇଁ ନିଜକୁ ପ୍ରସ୍ତୁତ କରିଛି ଭାରତ ।

Advertisment

ଆସନ୍ତା ୯ ତାରିଖରୁ ନୂଆ ଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ରେ ଆରମ୍ଭ ହେବ ୨ ଦିନିଆ ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେବାକୁ ବିଶ୍ୱସ୍ତରୀୟ ନେତାଙ୍କ ଭାରତ ଆଗମନ ଆରମ୍ଭ ହେଲାଣି। ସେମାନଙ୍କ ରହଣି ପାଇଁ ନୂଆ ଦିଲ୍ଲୀର ବିଭିନ୍ନ ଷ୍ଟାର ହୋଟେଲରେ ସମସ୍ତ ଆୟୋଜନ ସରିଛି। ଏଥିସହ ଡାଇନିଂ ଟେବୁଲରେ ସେମାନଙ୍କୁ ମିଳିବ ଭାରତୀୟ ବିବିଧତା ତଥା ସଂସ୍କୃତି ଓ ପରମ୍ପରାର ପରିଚୟ। ଏଥିନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। କାରଣ ଅତିଥିମାନଙ୍କୁ ଯେଉଁ ପାତ୍ରରେ ଖାଦ୍ୟ ପରସାଯିବ ତାହା ରୂପା ଓ ସୁନା ଛାଉଣୀରେ ପ୍ରସ୍ତୁତ କରାଯାଇଛି।

Utensilsଜି-୨୦ ସମ୍ମିଳନୀର ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପାତ୍ର ।

ଜି-୨୦ ସମ୍ମିଳନୀ ପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏହି ସବୁ ପାତ୍ର ନିମନ୍ତେ Iris କମ୍ପାନୀକୁ ବହୁ ପୂର୍ବରୁ ଅର୍ଡର ଦିଆଯାଇଥିଲା। କମ୍ପାନୀ ମାଲିକ ରାଜୀବଙ୍କ କହିବାନୁଯାୟୀ, ନୂଆଦିଲ୍ଲୀରେ ଏକ ସଙ୍ଗେ ବିଭିନ୍ନ ଦେଶର ପ୍ରମୁଖ ନେତାଙ୍କ ଭିଡ଼କୁ ଆଖି ଆଗରେ ରଖି କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପାତ୍ର ପ୍ରସ୍ତୁତି ଆରମ୍ଭ କରି ଦିଆଯାଇଛି। ସବୁ ପାତ୍ର ବଖାଣିବ ଭାରତର ମହାନ ପରମ୍ପରା। କେଉଁ ପାତ୍ରରେ ରାଜସ୍ଥାନର ଜୟପୁର, ଉଦୟପୁରର ଝଲକ ଦେଖିବାକୁ ମିଳିବ ତ କେଉଁଠି ଉତ୍ତରପ୍ରଦେଶର ବାରଣାସୀର ସଂସ୍କୃତି ମନ ମୋହିବ । ଆଉ କେଉଁ ପାତ୍ରରେ କର୍ଣ୍ଣାଟକାର ସଂସ୍କୃତି ଦେଖି ବିମୋହିତ ହେବେ ଅତିଥି। ଏହାବାଦ ଚାନ୍ଦି ପାତ୍ରର ସୁକ୍ଷ୍ମ କାରୁକାର୍ଯ୍ୟ ଦେଖି ଅତିଥିଙ୍କ ପକ୍ଷେ ଆଖି ଫେରାଇବା କଷ୍ଟକର ହୋଇ ପଡ଼ିବ ।

Advertisment

୩ ପିଢ଼ି ଧରି ଏହି ବ୍ୟବସାୟ କରି ଆସୁଥିବା ରାଜୀବ କହିଛନ୍ତି, ସେମାନଙ୍କ ମୂଳ ଲକ୍ଷ୍ୟ ବିଦେଶୀ ଅତିଥିଂଙ୍କୁ ଡାଇନିଂ ଟେବୁଲରେ ଭାରତର ଝଲକ ଦେଖିବାକୁ ପ୍ରୟାସ କରିଛନ୍ତି। ଆସନ୍ତା ୯ ତାରିଖରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ସମ୍ମିଳନୀ ନିମନ୍ତେ ନୂଆ ଦିଲ୍ଲୀର ୧୧ଟି ପ୍ରମୁଖ ହୋଟେଲକୁ ଏପରି ବହୁମୂଲ୍ୟ ଖାଇବା ପ୍ଲେଟ, ଗିନା, ଚାମଚ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ପ୍ରଦାନ  କରାଯାଇଛି। 

Utensilରୂପାରେ ତିଆରି ଗ୍ଲାସ୍‌ରେ ପାଣି ପିଇବେ ଅତିଥି।

ଏହି ସବୁ ପାତ୍ରରେ ରାଜସ୍ଥାନର ଜୟପୁର, ଉଦୟପୁର, ଉତ୍ତରପ୍ରଦେଶର ବାରଣାସୀ ଓ କର୍ଣ୍ଣାଟକାର ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଏହି ସବୁ ପାତ୍ର ଭାରତରେ ତଥା ଭାରତର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏଥିରେ ବହୁ ସୁକ୍ଷ୍ମ କାମ ହୋଇଥିବା ବେଳେ ତାହା ଦେଖି ଅତିଥି ନିଶ୍ଚିତ ଭାବେ ଚକିତ ହେବେ ।

Iris କମ୍ପାନୀ ପକ୍ଷରୁ କୁହାଯାଇଛି, ଦିଲ୍ଲୀର ୧୧ଟି ହୋଟେଲକୁ ଏହି ସବୁ ପାତ୍ର କଡ଼ା ସୁରକ୍ଷା ମଧ୍ୟରେ ପଠାଯାଇଛି। ପ୍ରସ୍ତୁତ ହେବା ପରେ ପ୍ରତି ପିସ୍‌କୁ R&D labରେ ପରୀକ୍ଷା କରାଯାଇଛି। ପ୍ରତି ହୋଟେଲର ଥିମ୍‌ ଅନୁଯାୟୀ, ଏହି ପାତ୍ରଗୁଡ଼ିକର ଡିଜାଇନ ପ୍ରସ୍ତୁତ କରାଯାଇଛି। ମହାରାଜା ଥାଳି ସେଟ୍‌ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି। ଯେଉଁଥିରେ ଲୁଣ ଓ ଗୋଲମରିଚ ପାଇଁ ସ୍ୱତନ୍ତ୍ର ରୂପାର ପାତ୍ର ପ୍ରସ୍ତୁତ କରାଯାଇଛି। ଏହାବାଦ ପ୍ରତି ହୋଟେଲର ଆବଶ୍ୟକତା ଅନୁଯାୟୀ, ତଥା ସେମାନଙ୍କ ଥାଳି ଅନୁଯାୟୀ ସେମାନଙ୍କ ପାଇଁ ପାତ୍ର ଡିଜାଇନ କରାଯାଇଛି।

ବିଭିନ୍ନ ହୋଟେଲର ସ୍ୱତନ୍ତ୍ର ମେନୁ ହିସାବରେ ସେମାନେ ପାତ୍ର ଅର୍ଡର କରି ପ୍ରସ୍ତୁତ କରିଛନ୍ତି । ଯାହାକି ଖୁବ୍‌ ସମୟସାପେକ୍ଷ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ବାରାକ ଓବାମାଙ୍କ ଗସ୍ତ ବେଳେ ମଧ୍ୟ ସମାନ କମ୍ପାନୀ ଡାଇନିଂ ଟେବୁଲ ସେଟ୍‌ ସପ୍ଲାଏ କରିଥିଲା। ଉକ୍ତ ସମୟରେ ଖାଇବା ପାତ୍ରରେ ଝଲସୁଥିବା କାରୁକାର୍ଯ୍ୟ ଦେଖି ଓବାମା ଖୁବ୍‌ ଖୁସି ହୋଇଯିବା ସହ ନିଜ ସହ କିଛି ପାତ୍ର ହ୍ୱାଇଟ ହାଉସ ନେଇ ଯାଇଥିଲେ।

Delhi G20 Summit