Advertisment

ସାଂଗଠନିକ ନିର୍ବାଚନ: ବୈଠକରେ ଯୋଗଦେବେନି ଗାନ୍ଧି ପରିବାରର ସଦସ୍ୟ, ଖଡଗେ ନେବେ ସବୁ ନିଷ୍ପତ୍ତି

କଂଗ୍ରେସ ଗୋଟିଏ ପଟେ ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି।

author-image
Hemant Lenka
undefined

Rahul Gandhi

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧି, ପୁଅ ରାହୁଲ ଓ ଝିଅ ପ୍ରୟଙ୍କା ଗାନ୍ଧି ଭଦ୍ରା ଛତିଶଗଡ଼ର ରାୟପୁରେ ଅନୁଷ୍ଠିତ ହେବାକୁ ଦଳର ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ନିର୍ବାଚନ ସଂକ୍ରାନ୍ତ ବୈଠକରେ ଯୋଗଦେବେନି। ଏହି ବୈଠକରେ ସାଂଗଠନିକ ପରିବର୍ତ୍ତନ ସହ ୱାର୍କିଂ କମିଟି ନିର୍ବାଚନ ଉପରେ ଆଲୋଚନା ହେବ। ହେଲେ ଗାନ୍ଧି ପରିବାରର କୌଣସି ଏହି ବୈଠକରେ ସାମିଲ ହେବେନାହିଁ।

Advertisment

ନବ ନିର୍ବାଚିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକର ନେତୃତ୍ୱ ନେବେ। ତାଙ୍କ ନିଷ୍ପତ୍ତି କାଳେ ଗାନ୍ଧି ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଭାବିତ ହେବ, ସେହି ଆଶଙ୍କାରେ ସୋନିଆ, ରାହୁଲ କିମ୍ବା ପ୍ରିୟଙ୍କା ଉକ୍ତ ବୈଠକକୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଗୋଟିଏ ପଟେ ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଏଥିପାଇଁ ରାୟପୁରରେ ଦଳ ଆଜି ଠାରୁ ୮୫ତମ ମହାଅଧିବେଶନ ଆରମ୍ଭ କରିଛି।

ଗାନ୍ଧି ପରିବାରର ସଦସ୍ୟମାନେ ଦଳୀୟ ନିର୍ବାଚନ ସଂକ୍ରାନ୍ତ ବୈଠକରେ ସାମିଲ ହେଉ ନଥିଲେ ମଧ୍ୟ ରାୟପୁରେ ଆୟୋଜିତ ହେବାକୁ ଥିବା ଦଳ ବାକି ଆଲୋଚନା ଓ କାର୍ଯକ୍ରମରେ ଭାଗ ନେବେ।

Advertisment

କଂଗ୍ରେସ ବାରମ୍ବାର ନିର୍ବାଚନ ହାରୁ ଥିବା ବେଳେ ଦଳ ଭିତରୁ ପରିବର୍ତ୍ତନର ସ୍ୱର ଉଠିଥିଲା। ବରିଷ୍ଠ ନେତାମାନେ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରିବାରୁ ସୋନିଆ ଗାନ୍ଧି ଶେଷରେ ୧୩୭ ବର୍ଷ ପୁରୁଣା କଂଗ୍ରେସ ଦଳର କମାଣ ନିର୍ବାଚନ ଦ୍ୱାରା ଖଡଗେଙ୍କୁ ହସ୍ତାନ୍ତର କରିଛନ୍ତି। ଏବେ ଖଡଗେ କେମିତି ଦଳକୁ ଆଗକୁ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଆଜି ଠାରୁ ରାୟପୁରରେ କଂଗ୍ରେସ ଆରମ୍ଭ କରିଥିବା ମହା ଅଧିବେଶନରେ ୧୫ ହଜାରରୁ ଅଧିକ ଦଳୀୟ ପ୍ରତିନିଧି, ସାଂସଦ, ବିଧାୟକ ଓ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରୋଡମ୍ୟାପ୍‌ ଏଠାରେ ପ୍ରସ୍ତୁତ ହେବ। ସେହିପରି ଦଳ କେଉଁ ସବୁ ଅଣ ବିଜେପି ଦଳ ସହ ମେଣ୍ଟ କରିବ, ତା’ ଉପରେ ମଧ୍ୟ ଦଳୀୟ ନେତା ଓ କର୍ମୀମାନେ ନିଷ୍ପତ୍ତି ନେବେ।

ଷ୍ଟିଅରିଂ କମିଟିକୁ ଗାନ୍ଧି ପରିବାରର ସଦସ୍ୟମାନେ ଯାଉ ନଥିବା ବେଳେ ଖାଡଗେଙ୍କ ନେତୃତ୍ୱରେ ୱାର୍କିଂ କମିଟି ଗଠନ ପାଇଁ ବାଟ ଫିଟିବ। ଖଡଗେଙ୍କ ସବୁ ନିଷ୍ପତ୍ତିକୁ ଦଳର ଅନ୍ୟ ନେତାମାନେ ମାନିବେ ବୋଲି ମଧ୍ୟ ରାଜି ହୋଇଛନ୍ତି।

Congress Rahul Gandhi Sonia Gandhi Mallikarjun Kharge