ଅନମୋଲ ବିଷ୍ଣୋଇ
ଭାରତକୁ ବଡ଼ ସଫଳତା। ଏକାଧିକ ହାଇପ୍ରୋଫାଇଲ ମାମଲାର ମୋଷ୍ଟୱାଣ୍ଟେଡ ଅନମୋଲ ବିଷ୍ଣୋଇକୁ ଆମେରିକା ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଛି। ଅନମୋଲ(Anmol Bishnoi) ହେଉଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ। ଆଜି ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ହେବା ପରେ ଭାରତୀୟ ଅଧିକାରୀମାନେ ଅନମୋଲକୁ ଧରି ସ୍ୱଦେଶ ଫେରୁଛନ୍ତି।
ଆସନ୍ତାକାଲି ଅନମୋଲ ଭାରତରେ ପହଞ୍ଚିବ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ଅନମୋଲ। ଏହାବାଦ ଆହୁରି ଅନେକ ଅପରାଧିକ କାର୍ଯ୍ୟକଳାପରେ ଅନମୋଲର ଭୂମିକା ରହିଛି।
ବିଷ୍ଣୋଇ ଗ୍ୟାଙ୍ଗ ଉତ୍ତର ଆମେରିକାର ତା’ର ନେଟୱର୍କ ଚଳାଉଥିବା ବେଳେ କିଛି ଦିନ ତଳେ ଆମେରିକାରେ ଧରାପଡ଼ିଥିଲା ଅନମୋଲ। ଏହାପରେ ଭାରତୀୟ ଏଜେନ୍ସି ପକ୍ଷରୁ ତା’ର ପ୍ରତ୍ୟର୍ପଣ ଦାବି କରାଯାଇଥିଲା। ଦୀର୍ଘ ମାସର ପ୍ରତ୍ୟର୍ପଣ ପରେ ଭାରତୀୟ ସୁରକ୍ଷା ଏଜେନ୍ସିକୁ ବଡ଼ ସଫଳତା ମିଳିଛି। ଆମେରିକା ପକ୍ଷରୁ ଅନମୋଲର ପ୍ରତ୍ୟର୍ପଣକୁ ଅନୁମତି ଦିଆଯାଇଛି।
ଘଟଣା ଉପରେ ପ୍ରତିକ୍ରିୟା ଦେଇ ଏନସିପି ନେତା ତଥା ବାବା ସିଦ୍ଦିକି(Baba Siddique)ଙ୍କ ପୁଅ ଜୀଶାନ କହିଛନ୍ତି ଯେ ଆମେରିକା ଜଷ୍ଟିସ ବିଭାଗ ନିକଟରେ ଆମ ପରିବାର ପୀଡ଼ିତ ଭାବେ ପଞ୍ଜିକରଣ କରିଥିଲା। ଏଥିଯୋଗୁ ଆମକୁ ଅନମୋଲ ବିଷ୍ଣୋଇ ସମ୍ପର୍କରେ ସବୁ ଅପଡେଟ ଦିଆଯାଉଥିଲା। ପୂର୍ବରୁ ସେ ଲୋୱା ଜେଲରେ ଡିଏଚଏସ୍ ପକ୍ଷରୁ ଅଟକ ଥିବା ଖବର ମିଳିଥିଲା।
ଆଜି ଆମକୁ ଇ-ମେଲ ଆସିଛି ଯେ ଅନମୋଲକୁ ଆମେରିକାର ସଂଘୀୟ ସରକାର ବିତାଡ଼ିତ କରିଛନ୍ତି। ଅନମୋଲ ଆମେରିକାରୁ ବହିଷ୍କାର ହୋଇଥିବାରୁ ତା’କୁ ଭାରତ ସରକାର ତୁରନ୍ତ ଏଠାକୁ ଆଣନ୍ତୁ। ସେ ସମାଜ ପ୍ରତି ବିପଦ। ତେଣୁ ତାକୁ ମୁମ୍ବାଇରେ ରଖି ଜେରା କରାଯିବା ସହ ବିଧିବଦ୍ଧ ଭାବେ ଗିରଫ କରାଯାଉ। ବାବା ସିଦ୍ଦିକୀଙ୍କୁ ମାରିବା ପାଇଁ ଅନମୋଲକୁ କିଏ ନିର୍ଦ୍ଦେଶ ଦେଇଥିଲା, ତାହା ଜଣାପଡ଼ିବା ଜରୁରୀ। ଆମେ ଏବେ ବି ନ୍ୟାୟ ଅପେକ୍ଷା ରହିଛୁ। ଘଟଣାରୁ ବର୍ଷକରୁ ଅଧିକ ଦିନ ବିତି ଯାଇଥିବା ସେ କହିଛନ୍ତି।
ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ୨୦୨୪ ମସିହା ଅକ୍ଟୋବର ୧୨ରେ ଗୁଳି କରି ହତ୍ୟା କରାଯାଇଥିଲା। ବଲିଉଡ ଭାଇଜାନ ସଲମାନ ଖାନଙ୍କ ସବୁଠୁ ନିକଟତର ଥିଲେ ବବା ସିଦ୍ଦିକି। କେବଳ ସେତିକି ନୁହେଁ ସଲମାନଙ୍କ ପାରିବାରିକ ବନ୍ଧୁ ଭାବେ ବି ଜଣାଶୁଣା ଥିଲେ ସେ। ଏମିତିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂରରେ ସବୁଠୁ ବଡ଼ ଭୂମିକା ବାବା ସିଦ୍ଦିକିଙ୍କ ଥିଲା।
ଯଦି ନଜର ପକାଇବା ତେବେ ୨୦୨୪ ଜୁଲାଇ ମାସରେ ସଲମାନ୍ଙ୍କ ଘର ଉପରେ ଗୁଳି ମାଡ଼ ହେଇଥିଲା। ଏହି ଘଟଣାରେ ଓ ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା। ହତ୍ୟାକାଣ୍ତ ପାଇଁ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା। ସେହିପରି ସଲମାନଙ୍କ ସହ ତାଙ୍କର ଘନିଷ୍ଠତାକୁ ବିଷ୍ଣୋଇ ଗ୍ୟାଙ୍ଗ ବିରୋଧ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/18/anmol-2025-11-18-20-19-36.jpg)