ହସ୍ପିଟାଲ ନିକଟରେ ଫୁଟିଲା ଗୁଳି। ଆଖିବୁଜା ଗୁଳିମାଡ଼ କଲେ ଗ୍ୟାଙ୍ଗଷ୍ଟର। ଏଥିରେ ଜଣେ ପୁଲିସ ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ପୁଲିସ ଗୁଳିରେ ଜଣେ ଗ୍ୟାଙ୍ଗଷ୍ଟର ମଧ୍ୟ ଟଳିଛି। ଜମ୍ମୁ କଶ୍ମୀରର କଠୁଆ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।
ଗତକାଲି ଜମ୍ମୁ-କଶ୍ମୀର କଠୁଆ ସ୍ଥିତ ଏକ ସରକାରୀ ମେଡିକାଲ କଲେଜ ନିକଟରେ ଗ୍ୟାଙ୍ଗଷ୍ଟର ଓ ପୁଲିସ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ରିପୋର୍ଟ ମୁତାବକ, ଶୁନୁ ଗ୍ରୁପ୍ ନାଁରେ ଜଣାଶୁଣା ଗ୍ୟାଙ୍ଗର ସଦସ୍ୟମାନଙ୍କୁ ପୁଲିସ ପିଛା କରୁଥିଲା। ଏହି ସମୟରେ ଗ୍ୟାଙ୍ଗଷ୍ଟରମାନେ ମେଡିକାଲ କଲେଜ ପରିସରରେ ପଶି ଯାଇଥିଲେ। ଏହାପରେ ପୁଲିସ ଓ ସେମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲେ।
ଏଥିରେ ଜଣେ ପୁଲିସ ଅଧିକାରୀ ଆହତ ହୋଇଥିଲେ। ତାଙ୍କୁ ପଞ୍ଜାବର ପଠାନକୋଟ୍କୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ସବ୍ ଇନ୍ସ୍ପେକ୍ଟର ଜଣକ ହେଲେ ଦୀପକ ଶର୍ମା।
ସେହିପରି ପାଲଟା ଗୁଳିମାଡ଼ରେ ଜଣେ ଗ୍ୟାଙ୍ଗଷ୍ଟର ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ମୃତ ଗ୍ୟାଙ୍ଗଷ୍ଟର ଜଣକ ଶୁନୁ ଗ୍ରୁପ୍ର ମୁଖିଆ ବାସୁଦେବ ବୋଲି ଜଣାପଡିଛି। ସେହିପରି ଆଉ ଜଣେ ପୁଲିସ ଅଧିକାରୀ ମଧ୍ୟ ଏହି ଗୁଳିମାଡରେ ଆହତ ହୋଇଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।