Advertisment

ଡନ୍‌ Weds ଲେଡି ଡନ୍‌: କାଲାର ହାତ ଧରିଲେ ମ୍ୟାଡମ ମିଞ୍ଜ୍‌

ବାହାଘର ମଣ୍ଡପକୁ ଆସିଥିବା ଲୋକଙ୍କୁ ସ୍ୱତନ୍ତ୍ର ବାରକୋଡ ବ୍ୟାଣ୍ତ ଦିଆଯାଇଥିଲା। ପାର୍କିଂ ସ୍ଥଳକୁ ପାସ ନଥିଲେ କୌଣସି ଗାଡ଼ିକୁ ଛଡ଼ା ଯାଉ ନଥିଲା।

author-image
Hemant Lenka
Gangster

Gangster

ବାହା ହୋଇଛି ଗ୍ୟାଙ୍ଗଷ୍ଟର କାଲା ଜଠେଡି। ବାହା ହେବା ପାଇଁ ୬ ଘଣ୍ଟା ଜେଲରୁ ମୁକ୍ତି ପାଇଥିବା କାଲା ବନ୍ଧୁକ ରାଣୀ ଭାବେ ପରିଚିତ ପେଶାଦାର ଅପରାଧୀ ଅନୁରାଧ ଚୌଧୁରୀ ଓରଫ ମ୍ୟାଡମ ମିଞ୍ଜଙ୍କର ହାତ ଧରିଛନ୍ତି। ପୁଲିସ୍‌ ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ କାଲା ଓ ମିଞ୍ଜଙ୍କ ବାହାଘର ଦିଲ୍ଲୀର ଦ୍ୱାରକାରେ ଶେଷ ହୋଇଛି।

Advertisment

ସନ୍ଦୀପ ଓରଫ କାଲା ବିଭିନ୍ନ ଅପରାଧିକ ମାମଲାରେ ଗିରଫ ହୋଇ ତିହାର ଜେଲରେ ରହିଥିଲେ। ଆଜି ବାହାଘର ଥିବାରୁ ତାଙ୍କୁ କୋର୍ଟ ୧୦ଟାରୁ ଦିନ ୪ ଟା ଯାଏ ପ୍ୟାରେଲୋରେ ଛାଡ଼ିଛନ୍ତି। ଦ୍ୱାରକାର ସେକ୍ଟେର ୩ରେ ଥିବା ସନ୍ତୋଷ ବଟିକ୍ୟୁରେ ବାହାଘର ଶେଷ ହୋଇଛି। ବାହାଘର ପାଇଁ ପୂରା ଅଞ୍ଚଳ ପୁଲିସମୟ ହୋଇଥିଲା। 

ବାହାଘର ବେଳେ ଗ୍ୟାଙ୍ଗୱାର ଓ କାଲା ଖସିଯିବାରୁ ଆଶଙ୍କା ଥିବାରୁ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାଲାଙ୍କ ବରଯାତ୍ରୀରେ ପ୍ରିୟଜନଙ୍କ ବ୍ୟତୀତ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ, ସ୍ପେଶାଲ ଷ୍ଟାଫ ଓ କ୍ରାଇମବ୍ରାଞ୍ଚର କର୍ମଚାରୀମାନେ ସାମିଲ ହୋଇଥିଲେ।

Advertisment

ବାହାଘର ମଣ୍ଡପକୁ ଆସିଥିବା ଲୋକଙ୍କୁ ସ୍ୱତନ୍ତ୍ର ବାରକୋଡ ବ୍ୟାଣ୍ତ ଦିଆଯାଇଥିଲା। ପାର୍କିଂ ସ୍ଥଳକୁ ପାସ ନଥିଲେ କୌଣସି ଗାଡ଼ିକୁ ଛଡ଼ା ଯାଉ ନଥିଲା। କାଲାଙ୍କ ବାହାଘର ପାଇଁ ତାଙ୍କ ଓକିଲ ତିହାର ଜେଲ ଠାରୁ ୭ କିମି ଦୂରରେ ଥିବା ସନ୍ତୋଷ ବଟିକ୍ୟୁକୁ ୫୧ ହଜାର ଟଙ୍କା ଦେଇ ବୁକ କରିଥିଲେ।

୨୫୦ରୁ ଅଧିକ ପୁଲିସ କର୍ମଚାରୀଙ୍କ ସହ ବିଭିନ୍ନ ସ୍ଥାରେ ସ୍ୱାଟ କମାଣ୍ଡୋମାନେ ଅତ୍ୟାଧୁନିକ ବନ୍ଧୁକ ଧରି ମୁତୟନ ହୋଇଥିଲେ। ସୁରକ୍ଷା ସମ୍ପର୍କରେ ଦିଲ୍ଲୀ ପୁଲିସ୍‌ର ଜଣେ ଅଧିକାରୀ କହିଛନ୍ତି, “ବାହାଘର ସମୟରେ ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହେବ, ସେଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି। ତିହାର ଜେଲ ଠାରୁ ବାହାଘର ମଣ୍ଡପ ଯାଏ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।”

ଏକଦା ମୋଷ୍ଟୱାଣ୍ଟେଡ ଓ ୭ ଲକ୍ଷ ଟଙ୍କା ମୁଣ୍ଡରେ ଧରି ବୁଲୁଥିବା କାଲା ନାଁରେ ଲୁଟ, ହତ୍ୟା, ହତ୍ୟା ପାଇଁ ଉଦ୍ୟମ, ବଟି ଆଦାୟ ଓ ଆର୍ମସ ଆକ୍ଟ ଭଳି ଦଫାରେ ୧୨ରୁ ଅଧିକ ମାଲା ରହିଛି। ଦିଲ୍ଲୀ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ସେ କୁଖ୍ୟାତ ଅପରାଧୀ। ଜେଲରେ ଥିବା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ହେଉଛନ୍ତି କାଲା।

ଥରେ ହରିଆଣା ପୁଲିସ୍‌ ତାକୁ ଗିରଫ କରିଥିଲା। କିନ୍ତୁ ସେ ପୁଲିସ୍‌ ହେପାଜତରୁ ଖସି ଚାଲି ଯିବାକୁ ସକ୍ଷମ ହୋଇଥିଲେ। ଏହାପରେ ଦିଲ୍ଲୀ ପୁଲିସ୍‌ ହେପାଜତରେ ଥିବା ନିଜର ସହଯୋଗୀମାନଙ୍କୁ ଖସାଇ ଆଣିବାକୁ ଯୋଜନା କରିଥିଲେ।

୨୦୨୦ରେ କାଲାଙ୍କୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ହରିଆଣା ପୁଲିସ ଫରିଦାବାଦ କୋର୍ଟ ନେଉଥିଲେ। କିନ୍ତୁ ତାଙ୍କ ସହଯୋଗୀମାନେ ପୁଲିସ୍‌ ଗାଡ଼ିକୁ ଘେରି ଯାଇ ଗୁଳି କରିଥିଲେ। ଏହାପରେ ସେମାନେ କାଲାଙ୍କୁ ଖସାଇ ନେବାକୁ ସକ୍ଷମ ହୋଇଥିଲେ। ତେବେ ପରବର୍ତ୍ତୀ ଅବସ୍ଥାରେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ କାଲାଙ୍କର ପତ୍ନୀ ମ୍ୟାଡମ ମିଞ୍ଜ ମଧ୍ୟ ଅପରାଧ ଜଗତ ସହ ଜଡ଼ିତ। ଏକାଧିକ ମାମଲାରେ ଅଭିଯୁକ୍ତ ଥିବା ମ୍ୟାଡମ ମିଞ୍ଜ ନିକଟରେ ଜାମିନରେ ମୁକୁଳିଛନ୍ତି। ମ୍ୟାଡମ ମିଞ୍ଜଙ୍କ ନାଁରେ ରାଜସ୍ଥାନ ଓ ଦିଲ୍ଲୀର ଏକାଧିକ ଥାନାରେ ମନି ଲଣ୍ଡରିଂ, ଅପହରଣ, ଧମକ ଚମକ ଦେବା ଓ ଆର୍ମସ ଆକ୍ଟ ଭଳି ମାମଲା ରହିଛି।

୨୦୨୧ରେ କାଲା ଓ ମ୍ୟାଡମ ମିଞ୍ଜକୁ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ଯମୁନା ନଗର-ସାହାରନରପୁର ଜାତୀୟ ରାଜପଥ ନିକଟରେ ଥିବା ଗୋଟିଏ ଢାବାରୁ ଗିରଫ କରିଥିଲା। ବାହା ନ ହୋଇ ମଧ୍ୟ ଉଭୟ ସେତେବେଳେ ଏକାଠି ରହୁଥିଲେ। କାଲାଙ୍କୁ ଧରିବା ପାଇଁ ରାଜସ୍ଥାନ ପୁଲିସ୍‌ ୭ ଲକ୍ଷ ଓ ମ୍ୟାଡମ ମିଞ୍ଜ ମୁଣ୍ଡରେ ୧୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ଅନୁରାଧା ପୂର୍ବରୁ ବାହା ହୋଇଥିଲେ। ସେ ଦୀପକ ମିଞ୍ଜଙ୍କୁ ୨୦୦୭ରେ ବାହା ହୋଇଥିଲେ। କିନ୍ତୁ ୨୦୧୩ ଠାରୁ ସେ ଦୀପକଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ୨୦୨୦ରେ ସନ୍ଦୀପ ଓରଫ କାଲା ଓ ମ୍ୟାଡମ ମିଞ୍ଜଙ୍କ ଲଭଷ୍ଟୋରୀ ଆରମ୍ଭ ହୋଇଥିଲା। ଏବେ କାଲା ବିଧିବଦ୍ଧ ଭାବେ ମିଞ୍ଜଙ୍କୁ ବିବାହ କରିଛନ୍ତି।

Delhi Gangster Lady Done