Advertisment

୩୨ ବର୍ଷ ତଳର ହତ୍ୟା ମାମଲାରେ ଅନସାରୀଙ୍କୁ ଆଜୀବନ ଜେଲ୍‌

ଅନସାରୀଙ୍କ ନାଁରେ ମୋଟ ୬୧ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୬ଷ୍ଠ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

author-image
Hemant Lenka
Ansari

Ansari

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ଆଜି ୩୨ ବର୍ଷ ତଳର ଗୋଟିଏ ହତ୍ୟା ମାମଲାରେ ଦଣ୍ଡ ବିଧାନ କରାଯାଇଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅନସାରୀଙ୍କୁ ଉତ୍ତର ପ୍ରଦେଶର ବାରାଣସୀ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

ତାଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ଅନସାରୀଙ୍କ ନାଁରେ ମୋଟ ୬୧ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୬ଷ୍ଠ ଘଟଣାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ ବି ଅନ୍ୟ ୨୦ଟି ମାମଲାର ବିଚାର ପ୍ରକ୍ରିୟା ରାଜ୍ୟର ବିଭିନ୍ନ କୋର୍ଟରେ ଚାଲିଛି।

୧୯୯୧ରେ ଜଣେ କଂଗ୍ରେସ ନେତାଙ୍କ ହତ୍ୟା ଘଟଣାରେ ଅନସାରୀ ସାମିଲ ଥିଲେ। ସେତେବେଳେ ଅନସାରୀ ନୂଆ ନୂଆ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିଲେ। ୧୯୯୧ ମସିହା ଅଗଷ୍ଟ ୩ ତାରିଖରେ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଅଜୟ ରାୟଙ୍କ ଅୱାଦେଶ ରାୟଙ୍କୁ ବାରାଣସୀରେ ଗୁଳି କରି ହତ୍ୟା କରାଯାଇଥିଲା।

Advertisment

ଏହା ପଛରେ ଅନସାରୀ ରହିଥିବା ଅଭିଯୋଗ ହୋଇଥିଲା। ଅନସାରୀ ଏହି ସମୟରେ ବିଧାୟକ ମଧ୍ୟ ହୋଇ ନଥିଲେ। ଅଜୟ ରାୟ ଦେଇଥିବା ଏଫଆଇଆରରେ ମୁଖତାର ଅନସାରୀ, ଭୀମ ସିଂହ, ପୂର୍ବତନ ବିଧାୟକ ଅବଦୁଲ କଲିମ ଓ ଅନ୍ୟ ଦୁଇ ଜଣଙ୍କ ନାଁ ଉଲ୍ଲେଖ କରିଥିଲେ। ଦୀର୍ଘ ବର୍ଷର ଶୁଣାଣି ପରେ ଆଜି ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଅଜୟ ରାୟ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, “ଜଣେ କୁଖ୍ୟାତ ଅପରାଧୀ ବିରୋଧରେ ୩୨ ବର୍ଷ ହେଲା ଚାଲିଥିବା ସଂଘର୍ଷ ଶେଷ ହୋଇଛି। ମୁଁ, ମୋ ବାପା ମା’, ଅୱଦେଶଙ୍କ ଝିଅ ଓ ପୂରା ପରିବାର ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରିଥିଲେ। ସରକାର ଆସିଥିଲେ ଓ ଯାଇଥିଲେ।

ମୁଖତାର ନିଜକୁ ଆହୁରି ସୁଦୃଢ଼ କରିଥିଲା। କିନ୍ତୁ ଆମେ ହାର ମାନି ନଥିଲୁ। ଆମ ଆଇନଜୀବୀଙ୍କ ଉଦ୍ୟମ ଯୋଗୁ ଅନସାରୀ ଆଜି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି। ଏହି ୩୨ ବର୍ଷ ମଧ୍ୟରେ ଆମକୁ ଅନେକ ଧମକ ମିଳିଛି। ମୁଁ ସୁରକ୍ଷା ପାଇଁ ନିବେଦନ କରିଥିଲି। ତଥାପି ସରକାର କୌଣସି ପଦକ୍ଷେପ ନେଇ ନଥିଲେ।”

୫ ଥର ବିଧାୟକ ଭାବେ କାମ କରି ସାରିଥିବା ଅନସାରୀଙ୍କୁ ଏପ୍ରିଲ ମାସରେ ଗୋଟିଏ ଅପହରଣ ଓ ହତ୍ୟା ମାମଲାରେ ୧୦ ବର୍ଷ ଜେଲ ଦଣ୍ଡ ମିଳିଥିଲା। ତାଙ୍କ ନାଁରେ ଜମି ଦଖଲ, ହତ୍ୟା ଓ ଲୁଟ ଭଳି ଏକାଧିକ ମାମଲା ରହିଛି।

ଅନସାରୀ ୧୯୯୬,୨୦୦୨, ୨୦୦୭, ୨୦୧୨ ଓ ୨୦୧୭ ମସିହାରେ ନିର୍ବାଚନ ଜିତିଥିଲେ। ୨୦୦୭ରୁ ୨୦୧୭ ନିର୍ବାଚନ ସେ ଜେଲରେ ରହି ଜିତିଛନ୍ତି। ୨୦୨୨ରେ ଅନସାରୀଙ୍କ ଗଡ଼ ଭାବେ ପରିଚିତ ମାଉ ସଦରରେ ତାଙ୍କ ପୁଅ ଆବାସ ଅନସାରୀ ଏସବିଏସ୍‌ପିରୁ ପ୍ରାର୍ଥୀ ହୋଇଥିଲେ। ବାପାଙ୍କ ଭଳି ସେ ମଧ୍ୟ ନିର୍ବାଚନ ଜିତିଛନ୍ତି।

Uttar Pradesh Mukhtar Ansari