Advertisment

ଅତିକଙ୍କୁ ହତ୍ୟା ଘଟଣା: ଗୋଟିଏ ଜେଲରୁ ଆଉ ଗୋଟିଏକୁ ସ୍ଥାନାନ୍ତର ହେଲେ ୩ ଶୁଟର୍‌

ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି ନାମକ ୩ ଯୁବକ ଶନିବାର ରାତିରେ ଅତିକ ଓ ଅଶରଫଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଥିଲେ।

author-image
Hemant Lenka
Gangsters Killers

Gangsters Killers

ଗ୍ୟାଙ୍ଗଷ୍ଟରରୁ ରାଜନେତା ହୋଇଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରିଥିବା ୩ ଯୁବକଙ୍କ ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ସେମାନଙ୍କ ସୁରକ୍ଷାପ୍ରତି ବିପଦ ଥିବାରୁ ୩ ଶୁଟରଙ୍କୁ ଉତ୍ତର ପ୍ରଦେଶର ଗୋଟିଏ ଜେଲରୁ ଆଉ ଗୋଟିଏକୁ ସ୍ଥାନାନ୍ତର କରାଯାଇଛି।

Advertisment

ସନ୍ନି ସିଂହ, ଅରୁଣ ମୌର୍ଯ୍ୟ ଓ ଲଭଲେଶ ତିୱାରି ନାମକ ୩ ଯୁବକ ଶନିବାର ରାତିରେ ଅତିକ ଓ ଅଶରଫଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଥିଲେ। ଅତିକ ଓ ଅଶରଫ ପୁଲିସ୍‌ ସୁରକ୍ଷା ବଳୟ ମଧ୍ୟରେ ହସ୍ପିଟାଲକୁ ଯାଉଥିଲେ ହେଁ କ୍ୟାମେରା ସାମ୍ନାରେ ସେମାନଙ୍କୁ ୩ ଜଣ ଯାକ ଯୁବକ ୨୦ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ।

ଗୁଳି ମାଡ଼ ପରେ ସେମାନେ ଜୟ ଶ୍ରୀରାମ ନାରା ଦେବା ସହ ଆତ୍ମସମର୍ପଣ କରିଥିଲେ। ସେମାନଙ୍କୁ ପୁଲିସ୍‌ ଗିରଫ କରିବା ପରେ କାଲି କୋର୍ଟରେ ହାଜର କରିଥିଲା। କୌର୍ଟ ସମସ୍ତଙ୍କୁ ୧୪ ଦିନ ପାଇଁ ନୈନି ଜେଲକୁ ପଠାଇ ଦେଇଥିଲେ। ଗତକାଲି ରାତିରେ ସେମାନେ ସେହି ଠାରେ ରହିଥିଲେ। ହେଲେ ଆଜି ସୁରକ୍ଷା ଦୃଷ୍ଟିକୋଣରୁ ସେମାନଙ୍କୁ ପ୍ରତାପଗଡ଼ ଜେଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ନୈନି ଜେଲରେ ୩ ଶୁଟରଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ଥିବା ଗୁଇନ୍ଦା ବିଭାଗ ତଥ୍ୟ ଦେଇଥିଲା। ଏହି ତଥ୍ୟ ଆଧାରରେ ସମସ୍ତଙ୍କୁ ଆଉ ଗୋଟିଏ ଜେଲକୁ ପଠାଯାଇଛି।

ସନ୍ନି, ଲଭଲେଶ ଓ ଅରୁଣ ସାମ୍ବାଦିକ ବେଶରେ ଆସି ଅତିକ ଓ ଅଶରଫଙ୍କୁ ହତ୍ୟା କରିଥିଲେ। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଉତ୍ତର ପ୍ରଦେଶର ସରକାର ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟିକ କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି। ରାଜ୍ୟ ପୁଲିସ୍‌ ମଧ୍ୟ ଏହି ଲୋମହର୍ଷଣକାରୀ ଘଟଣା ତଦନ୍ତ ପାଇଁ ଦୁଟି ଏସଟିଏଫ ଗଠନ କରିଛି।

Uttar Pradesh Encounter Atiq Ahmed