Advertisment

Maharashtra civic polls: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଅଭିଯୁକ୍ତ ଜିତିଲେ ନିର୍ବାଚନ

ଶ୍ରୀକାନ୍ତ ହେଉଛନ୍ତି ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଅଭିଯୁକ୍ତ। ତାଙ୍କ ବିରୋଧରେ ଅପରାଧିକ ମାମଲାର ବିଚାର ଚାଲିଛି। ତଥାପି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ୱାର୍ଡ ନମ୍ବର ୧୩ରୁ ଜିତିଛନ୍ତି।

author-image
Hemant Lenka
Gauri-lankesh

ଶ୍ରୀକାନ୍ତ ଓ ଗୌରୀ ଲଙ୍କେଶ (ଫାଇଲ ଫଟୋ)

ମହାରାଷ୍ଟ୍ର(Maharashtra) ପୌର ପରିଷଦ ନିର୍ବାଚନରେ ଘଟିଥିବା ଘଟଣା ପୂରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ୨୦୧୭ ମସିହା ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଅଭିଯୁକ୍ତ ଶ୍ରୀକାନ୍ତ ପାଙ୍ଗରକର ଜିତିଛନ୍ତି ନିର୍ବାଚନ। ସେ ଜଲନା ପୌର ପରିଷଦ ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ମୁକୁଟ ପିନ୍ଧିଛନ୍ତି। ରେଜଲ୍ଟ ଘୋଷଣା ହେବା ମାତ୍ରେ ସେ ନିଜର ସମର୍ଥକଙ୍କ ସହ ଜୋରଦାର ସେଲିବ୍ରେସନ ବି କରିଛନ୍ତି। 

Advertisment

ଶ୍ରୀକାନ୍ତ ୱାର୍ଡ ନମ୍ବର ୧୩ରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ସେ ବିଜେପି ଓ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ୨୬୨୧ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି। ଦିନେ ହତ୍ୟା ‌ଅଭିଯୁକ୍ତର ଅପଯଶ ମୁଣ୍ଡାଇଥିବା ଶ୍ରୀକାନ୍ତ ଏବେ ବନି ଯାଇଛନ୍ତି କର୍ପୋରେଟର। 

୧୩ ନମ୍ବର ୱାର୍ଡରେ ଏକନାଥ ସିନ୍ଦେଙ୍କ ଶିବସେନା କୌଣସି ପ୍ରାର୍ଥୀ ଦେଇ ନଥିଲା। ଫଳରେ ବିଭିନ୍ନ ସ୍ୱାଧୀନ ପ୍ରାର୍ଥୀ ଓ କିଛି ପ୍ରତିଷ୍ଠିତ ରାଜନୀତିକ ଦଳ ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ସମସ୍ତଙ୍କୁ ପଛରେ ପକାଇ ଶ୍ରୀକାନ୍ତ ବାଜି ମାରିଛନ୍ତି। 

Advertisment

ଶ୍ରୀକାନ୍ତ ହେଉଛନ୍ତି ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ଅଭିଯୁକ୍ତ। ତାଙ୍କ ବିରୋଧରେ ଅପରାଧିକ ମାମଲାର ବିଚାର ଚାଲିଛି। ତଥାପି ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ୱାର୍ଡ ନମ୍ବର ୧୩ରୁ ଜିତିଛନ୍ତି। ବିଜୟ ପରେ ଶ୍ରୀକାନ୍ତ କହିଛନ୍ତି ଯେ ସେ ଏଯାଏ କୌଣସି ଅପରାଧରେ ଦଣ୍ଡିତ ହୋଇନାହାନ୍ତି। ଆଇନଗତ ପ୍ରକ୍ରିୟା ଏବେ ବି ଜାରି ରହିଛି। 

ଗୌରୀ ଲଙ୍କେଶ ହତ୍ୟାକାଣ୍ଡ 

ଜଣେ ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ ଗୌରୀ ଲଙ୍କେଶ। ତାଙ୍କୁ ୨୦୧୭ ମସିହା ସେପ୍ଟେମ୍ବର ୫ ତାରିଖରେ ବେଙ୍ଗାଲୁରୁ ସ୍ଥିତ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିବା ସହ ବାକ ସ୍ୱାଧୀନତାର ବିତର୍କକୁ ଜନ୍ମ ଦେଇଥିଲା। ରାଜନୀତିକ ଅସହିଷ୍ଣୁତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା। 

ପରବର୍ତ୍ତୀ ଅବସ୍ଥାରେ ଶ୍ରୀକାନ୍ତ ପାଙ୍ଗରକରଙ୍କୁ ଏହି ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲେ। ତେବେ ୨୦୨୪ ସେପ୍ଟେମ୍ବର ୪ରେ ତାଙ୍କୁ କର୍ଣ୍ଣାଟକା ହାଇକୋର୍ଟ ଜାମିନ ଦେଇଥିଲେ। ଏହାପରେ ସେ ଜେଲରୁ ବାହାରି ନିର୍ବାଚନ ଲଢ଼ିବାକୁ ସଜବାଜ ହୋଇଥିଲେ। ଏବେ ସେ ଜଣେ ସ୍ୱାଧୀନ କର୍ପୋରେଟର ହୋଇଯାଇଛନ୍ତି। 

ରାଜନୀତିକ ଯାତ୍ରା ଓ ଆଇଗତ ଇତିହାସ 

୨୦୦୧ରୁ ୨୦୦୬ ଯାଏ ଶ୍ରୀକାନ୍ତ ଅବିଭକ୍ତ ଶିବସେନାରୁ ଜଲନା ପୌର ପରିଷଦର ଜଣେ କର୍ପୋରେଟର ଭାବେ କାମ କରିଥିଲେ। ୨୦୧୧ରେ ତାଙ୍କୁ ଟିକେଟ ନ ମିଳିବାରୁ ସେ ହିନ୍ଦୁ ଜନଜାଗୃତି ସମିତିରେ ସାମିଲ ହୋଇଥିଲେ। ୨୦୧୮ ମସିହା ଅଗଷ୍ଟ ମାସରେ ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧ ସ୍କ୍ୱାଡ ତାଙ୍କୁ ଗିରଫ କରିଥିଲା।

ଏହାପୂର୍ବରୁ ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରୁ ବୋମା ଓ ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଥିଲା। ସେହି ସମୟରେ ବିସ୍ଫୋରକ ଆଇନ ଓ ୟୁଏପିଏ ବଳରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। 

୨୦୨୪ ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତ ହଠାତ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଥିଲେ। କିନ୍ତୁ ତୀବ୍ର ସମାଲୋଚନା ଯୋଗୁ ସିନ୍ଦେ ଦଳରେ ଶ୍ରୀକାନ୍ତଙ୍କ ଯୋଗାଦନ ଉପରେ ରୋକ ଲଗାଇ ଦେଇଥିଲେ। 

Maharashtra