Kumari
ସୁଯୋଗ କେତେବେଳେ କେମିତି ଆସେ, ସେକଥା କାହାକୁ ଜଣା ନଥାଏ। ହେଲେ ସୁଯୋଗ ପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼ିଥାଏ। ସୁଯୋଗ ପାଇଁ ଧୈର୍ଯ୍ୟ ଏକାନ୍ତ ଆବଶ୍ୟକ। ଧୈର୍ଯ୍ୟ ନଥିଲେ କିଛି ବି ସମ୍ଭବ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି। ହତାଶ ହୋଇ ପଡ଼ିଥିବା ଜଣେ ଛାତ୍ରୀଙ୍କୁ ମିଳିଛି ନୂଆ ସୁଯୋଗ। ଗୋଟିଏ ଭିଡିଓ ତାଙ୍କ ଜୀବନର ଗତି ପଥ ବଦଳାଇ ଦେଇଛି। ଲିଙ୍ଗଗତ ଭେଦଭାବର ସମ୍ମୁଖୀନ ହୋଇଥିବା ଛାତ୍ରୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଭିଡିଓ ଭାଇରାଲ ହେବା ପରେ ଛାତ୍ରୀଙ୍କ ପଢ଼ିବା କଥା ସରକାର ବୁଝିବେ ବୋଲି କହିଛନ୍ତି।
ପୂରା ଘଟଣା ବିହାରର ଧାନାପୁରର ଛାତ୍ରୀ ଖୁସବୁ କୁମାରୀଙ୍କ ଉପରେ ପର୍ଯ୍ୟବେସିତ। ସେ ଡାକ୍ତର ହେବାକୁ ଦେଖିଥିବା ସ୍ୱପ୍ନ ସାକାର ହେବାର ନୂଆ ଆଶା ସୃଷ୍ଟି ହୋଇଛି। ସେ ଲିଙ୍ଗଗତ ପାତରଅନ୍ତରର ଶିକାର ହୋଇଥିବା କଥା କହିବା ବେଳେ ବାନ୍ଦି ପକାଇଥିଲେ। ବାସ ଏହି ଗୋଟିଏ ଘଟଣା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଛନ୍ତି।
ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରେ କୁମାରୀ ଡାକ୍ତର ହେବାକୁ ଦେଖିଥିବା ସ୍ୱପ୍ନ କେମିତି ପରିବାର ଲୋକ ରଖିଥିବା ସର୍ତ୍ତ ଯୋଗୁ ଭାଙ୍ଗି ଯାଇଛି, ସେକଥା କହିଛନ୍ତି। ତାଙ୍କ ଘରେ ଚାଲିଥିବା ଲିଙ୍ଗଗତ ପାତରଅନ୍ତର ଘଟଣା ଉପରୁ ପରଦା ହଟାଇ କୁମାରୀ କହିଛନ୍ତି, “ଆଜିକା ଦିନକରେ ମଧ୍ୟ ଆମ ଘରେ ଭାଇ ଓ ମୋ କ୍ଷେତ୍ରରେ ବହୁତ ପାତରଅନ୍ତର କରାଯାଉଛି। ପାଢ଼ପଢ଼ିବାକୁ ଭାଇମାନଙ୍କ ପାଖରେ ସଂପୂର୍ଣ୍ଣ ସ୍ୱାଧୀନତା ରହୁଛି। କିନ୍ତୁ ଭଉଣୀମାନଙ୍କୁ ଘରେ ପଢ଼ିବାକୁ ସ୍ୱାଧୀନତା ମିଳୁନି।
ଆମେ ଝିଅ ହୋଇଥିବାରୁ ଆମକୁ ଆଜିକା ଦିନରେ ଫୋନ ମଧ୍ୟ ମିଳୁ ନାହିଁ। ମୋ ମା’ ମୋତେ କହିଥିଲେ ଯେ ଯଦି ମୁଁ ୪୦୦ ମାର୍କ ରଖିବି, ତା’ହେଲେ ମୋତେ ବିଜ୍ଞାନ ବିଭାଗରେ ପଢ଼ିବି। ନ ହେଲେ ମୁଁ ବିଜ୍ଞାନ ପଢ଼ିବାରୁ ବଞ୍ଚିତ ହେବି। ମୁଁ ପରୀକ୍ଷାରେ ୩୯୯ ମାର୍କ ରଖିଥିଲି। ଏହି କାରଣ ପାଇଁ ମୁଁ ଆଜି ଆର୍ଟସ ପଢ଼ିବାକୁ ବାଧ୍ୟ ହୋଇଛି।” ଏତିକି କହିବା ବେଳେ ସେ କ୍ୟାମେରା ସାମ୍ନାରେ କାନ୍ଦିବାକୁ ଲାଗିଥିଲେ।
ମା’ ଏପରି ସର୍ତ୍ତ ରଖିବା ପଛର କାରଣ ମଧ୍ୟ ରହିଛି। କାରଣ ଝିଅର ବିଜ୍ଞାନ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ପରିବାର ସକ୍ଷମ ନୁହନ୍ତି। ଏକଦଶ ଶ୍ରେଣୀର ବିଜ୍ଞାନ ପାଠ୍ୟକ୍ରମ ପାଇଁ ଖର୍ଚ୍ଚ ଅଧିକ କରିବାକୁ ପଡ଼ିଥାଏ ବୋଲି ପରିବାର ଲୋକ ଆଶଙ୍କା କରି ଝିଅକୁ କଳା ବିଭାଗରେ ନାଁ ଲେଖାଇଛନ୍ତି। କୁମାରୀଙ୍କ ବାପା ଉପେନ୍ଦ୍ର ରାୟ କହିଛନ୍ତି, “ଆର୍ଥିକ ସ୍ଥିତି ଯୋଗୁ ଆମେ ତା’କୁ କଳା ବିଭାଗରେ ନାଁ ଲେଖାଇଛୁ। ଯଦି ତା’ ନାଁ ବିଜ୍ଞାନ ବିଭାଗରେ ଲେଖାଇ ଥାଆନ୍ତୁ, ତା’ହେଲେ ଆମକୁ ଅଧିକ ଟଙ୍କା ଦରକାର ପଡ଼ିଥାଆନ୍ତା।”
ଏସବୁ ଭିତରେ କୁମାରୀଙ୍କ କାନ୍ଦିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇ ସାରିଥିଲା। ଭିଡିଓକୁ ଦେଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି। କୁମାରୀଙ୍କ ନାଁ ଗୋଟିଏ ଭଲ କଲେଜରେ ଲେଖାଇବାକୁ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପାଟନା ମାଜିଷ୍ଟ୍ରେଟଙ୍କ ଜରିଆରେ ଶ୍ରୀ ପ୍ରଧାନ ଭିଡିଓ କଲ ମାଧ୍ୟମରେ କୁମାରୀଙ୍କ ସହ କଥା ହୋଇଛନ୍ତି। ତାଙ୍କୁ ଭଲ ପାଠ ପଢ଼ିବା ସହ ବାପା ମା’ଙ୍କ ସମ୍ପର୍କରେ କୌଣସି ଆପତ୍ତି ଓ ଅଭିମାନ ଜାହିର ନ କରିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, “ଆଦୌ ବ୍ୟସ୍ତ ହୁଅନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୁମର ଶିକ୍ଷା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବେ। ତୁମେ ମନଦେଇ ଭଲ ପାଠପଢ଼। ମନରେ ବାପା ମା’ଙ୍କ ବିରୋଧରେ କିଛି ରଖନାହିଁ। ସେମାନେ ନିଜର କ୍ଷମତା ଅନୁସାରେ ତୁମକୁ ସବୁ ପ୍ରକାରର ସହାୟତା କରିବାକୁ ଚେଷ୍ଟା କରିଛନ୍ତି।”
କୁମାରୀ ବିଜ୍ଞାନ ପାଠ ପଢ଼ା ହେଉଥିବା ଯେକୌଣସି ଭଲ କଲେଜରେ ସେ କେମିତି ନାଁ ଲେଖାଇବେ, ତା’ର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନଙ୍କ ଆଗରେ ଇଚ୍ଛା ପ୍ରକାଶ କରିଛନ୍ତି। ପାଟନା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂହଙ୍କ କହିବା କଥା ଯେ ଛାତ୍ରୀ ଜଣଙ୍କ ୨୦୨୫-୨୭ ଶିକ୍ଷା ବର୍ଷରେ ବିଜ୍ଞାନ ପଢ଼ିବେ। ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଉଛି। ଅଧିକାରୀମାନେ ଏହି କାମରେ ଲାଗ ପଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kumari_1742203980.jpg)