/odisha-reporter/media/post_attachments/uploadimage/library/16_9/16_9_0/Sofiya_1747304274.jpg)
Sofiya
ମଧ୍ୟପ୍ରଦେଶରର କ୍ଷମତାସୀନ ବିଜେପିର ବରିଷ୍ଠ ମନ୍ତ୍ରୀ ବିଜୟ ଶାହଙ୍କ ଆପତ୍ତିଜନକ ଓ ଅଭଦ୍ର ଟିପ୍ପଣୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ସେନାର କର୍ଣ୍ଣେଲ ସୋଫିୟା କ୍ୟୁରେଶିଙ୍କ ସମ୍ପର୍କରେ ଶ୍ରୀ ଶାହ ଅତ୍ୟନ୍ତ ଅପମାନ ସୂଚକ ବୟାନ ଦେଇଥିଲେ। ଏହାକୁ ନେଇ ବିବାଦ ତୀବ୍ର ହେଉଥିବା ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ ମନ୍ତ୍ରୀଙ୍କ ବୟାନ ଅତ୍ୟନ୍ତ ଅସମ୍ବେଦନଶୀଳ ଓ ଅଗ୍ରହଣୀୟ ବୋଲି କହିଛନ୍ତି। ଏଥିସହ ସାମ୍ବିଧାନିକ ପଦପଦବୀରେ ଥିବା ବ୍ୟକ୍ତବିଶେଷ ଏପରି ବୟାନ ଠାରୁ ଦୂରେଇ ରହିବା ଦରକାର ବୋଲି ସିଜେଆଇ ମତ ରଖିଛନ୍ତି।
ସିଜେଆଇ ଜଷ୍ଟିସ ଗବାଇ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରି ଶ୍ରୀ ଶାହଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ଯେ “ଆପଣ କେଉଁ ପ୍ରକାରର ମନ୍ତବ୍ୟ ଦେଉଛନ୍ତି? ଆପଣ କିଛି ମାତ୍ରାରେ ସମ୍ବେଦନଶୀଳତା ଦେଖାଇବା ଉଚିତ। ଯାଆନ୍ତୁ ଓ ହାଇକୋର୍ଟରେ କ୍ଷମା ମାଗନ୍ତୁ।”
ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ଶାହଙ୍କ ଅତ୍ୟନ୍ତ ଆପତ୍ତିଜନକ ବୟାନକୁ ବିଭିନ୍ନ ମହଲରେ ଜୋରଦାର ବିରୋଧ କରାଯାଉଛି। ବିବାଦ ବଢ଼ୁଥିବାରୁ ମଧ୍ୟପ୍ରଦେଶ ହାଇକୋର୍ଟ ତାଙ୍କ ନାଁରେ ମାମଲା ରୁଜୁ କରିବା ପାଇଁ ପୁଲିସ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, “ଗୋଟିଏ ଦିନରେ ଆପଣଙ୍କ ସହ କିଛି ହେବନି। ଆପଣ ଜାଣିଛନ୍ତି ଆପଣ କିଏ?” ସୁପ୍ରିମକୋର୍ଟ ଗିରଫଦାରୀରୁ ଆଗୁଆ ସୁରକ୍ଷା ଆବେଦନକୁ ଖାରଜ କରି ଦେଇଛନ୍ତି। ଶୁକ୍ରବାର ଏହା ଉପରେ ପୁଣି ସୁପ୍ରିମକୋର୍ଟ ଶୁଣାଣି କରିବେ।
କର୍ଣ୍ଣେଲ କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଅପରେସନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ସମସ୍ତ ସୂଚନା ଦେଇ ଚର୍ଚ୍ଚାକୁ ଆସିଥିଲେ। ଅପରେସନ ସିନ୍ଦୂର ସମ୍ପର୍କରେ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଉଭୟ ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ସହ ଉପସ୍ଥିତ ରହୁଥିଲେ।
ମଙ୍ଗଳବାର ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶାହ ମହୋରେ ଆୟୋଜିତ ଗୋଟି ସାଂସ୍କୃତି କାର୍ଯକ୍ରମରେ ଅପରେସନ ସିନ୍ଦୂର ସମ୍ପର୍କରେ ମତ ରଖିଥିଲେ। ସେ ଅଧିକ ଉତ୍ସାହିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ପହଲଗାମ ନରସଂହାରର ବଦଲା ଅପରେସନ ସିନ୍ଦୂର ମାଧ୍ୟମରେ ନେଇଛନ୍ତି, ସେକଥା ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ସେ କହିଥିଲେ ଯେ “ଆତଙ୍କବାଦୀମାନେ ଆମ ଭଉଣୀ ଓ ଝିଅମାନଙ୍କର ସିନ୍ଦୂର ପୋଛି ଦେଇଥିଲେ। ଏହାର ବଦଲା ନେବାକୁ ଆମେ ସେମାନଙ୍କ ଜଣେ ଭଉଣୀଙ୍କୁ ପଠାଇଥିଲୁ। ଆତଙ୍କବାଦୀମାନେ ହିନ୍ଦୁମାନଙ୍କୁ ଉଲଗ୍ନ କରି ହତ୍ୟା କରିଥିଲେ। ଏହାପରେ ମୋଦିଜୀ ସେମାନଙ୍କ ଭଉଣୀକୁ ଏହାର ଜବାବ ଦେବାକୁ ପଠାଇଥିଲେ। ମୋଦିଜୀ ତ ସେମାନଙ୍କ ପୋଷକ ଖୋଲି ପାରିବେ ନାହିଁ, ତେଣୁ ତାଙ୍କରି ସଂପ୍ରଦାୟର ଜଣେ ଝିଅକୁ ଏହି କାମ ପାଇଁ ପଠାଇଥିଲେ।
ତୁମେମାନେ ଆମ ସଂପ୍ରଦାୟର ଭଉଣୀମାନଙ୍କୁ ବିଧବା ସଜାଇଥିଲ। ତେଣୁ ତୁମମାନଙ୍କ ସଂପ୍ରଦାୟର ଜଣେ ଝିଅ ତୁମାନଙ୍କୁ ଉଲଗ୍ନ କରିବ। ମୋଦିଜୀ ପ୍ରମାଣିତ କରି ଦେଲେ ଯେ ତୁମମାନଙ୍କ ଜାତିର ଝିଅମାନଙ୍କୁ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ପଠାଯାଇପାରେ।”
ମନ୍ତ୍ରୀ ଶାହ ଏପରି ବିବାଦୀୟ ଭାଷଣ ଦେବା ବେଳେ ସେଠାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାରୁକ, ବିଧାୟକ ଉଷା ଠାକୁର ଓ ଅନେକ ସ୍ଥାନୀୟ ବିଜେପି ନେତା ଉପସ୍ଥିତ ରହିଥିଲେ। ଶାହଙ୍କ ଏପରି ବୟାନକୁ ଆର୍ମି ଭେଟରାନ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା। କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ସିଧାସଳଖ ଶ୍ରୀ ଶାହଙ୍କ ବହିଷ୍କାର ଦାବି କରିଛନ୍ତି।
ପ୍ରଥମେ ନିଜ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ନେଇ ସଫେଇ ଦେଉଥିବା ଶାହ ପରବର୍ତ୍ତୀ ଅବସ୍ଥାରେ କ୍ଷମା ମାଗିଛନ୍ତି। ସେ କ୍ଷମା ମାଗି କହିଛନ୍ତି, “କର୍ଣ୍ଣେଲ ସୋଫିୟା କ୍ୟୁରେଶି ମୋ ଉଭଣୀ ଠାରୁ ମଧ୍ୟ ମୋ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ଜାତି ଓ ସଂପ୍ରଦାୟରୁ ଉପରି ରହି ପ୍ରତିଶୋଧ ନେଇଛନ୍ତି। ଅପମାନିତ କରିବାକୁ ମୋର କୌଣସି ଉଦ୍ଦେଶ୍ୟ ନଥିଲା। ତଥାପି ଯଦି କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ ଥରେ ନୁହେଁ ବରଂ ୧୦ ଥର କ୍ଷମା ମାଗୁଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
