/odisha-reporter/media/media_files/2025/12/07/night-club-2025-12-07-17-15-05.jpg)
ଗୋଆର ରାଜଧାନୀ ପଣଜୀଠାରୁ ପ୍ରାୟ ୨୫ କିମି ଦୂର ଅରପୋରା ଗାଁରେ ଥିବା ନାଇଟ କ୍ଲବ୍ ‘Birch By Romeo Lane’ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୪ ଜଣ ନାଇଟକ୍ଲବର କର୍ମଚାରୀ ଥିବା ବେଳେ ୪ ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି।
ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। Birch By Romeo Lane ନାଇଟ୍ କ୍ଲବ୍ ପକ୍ଷରୁ ‘Bollywood Banger Night’ର ଆୟୋଜନ କରାଯାଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସେହି ସମୟରେ ସେଠାରେ ପ୍ରାୟ ୧୦୦ ଜଣ ଲୋକ ଉପସ୍ଥିତ ଥିଲେ। ନାଚଗୀତ ଚାଲିଥିବା ବେଳେ ହଠାତ୍ ନାଇଟକ୍ଲବରେ ନିଆଁ ଲାଗିଯାଇଥିଲା।
ନିଆଁ ଲାଗିବା ପରେ ନାଇଟ୍ କ୍ଲବରେ ଥିବା ଲୋକେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଅନେକ ସେଠାରୁ ବାହାରି ଯିବାରେ ସକ୍ଷମ ହୋଇଥିଲେ। ଆଉ କେତେକ ନାଇଟ୍ କ୍ଲବ୍ର ତଳ ମହଳାରେ ଥିବା ରୋଷେଇ ଘର ଆଡ଼କୁ ଦୌଡ଼ି ପଳାଇଥିଲେ। ଦେଖୁ ଦେଖୁ କିଛି ସମୟ ମଧ୍ୟରେ ନାଇଟ୍ କ୍ଲବ୍ଟି ଏକ ନିଆଁ ପିଣ୍ଡୁଳାରେ ପରିଣତ ହୋଇଯାଇଥିଲା।
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପରେ ପାଉଁଶ ହୋଇଯାଇଥିବା ନାଇଟ୍ କ୍ଲବ୍ରୁ ୨୫ଟି ମୃତ ଦେହ ମିଳିଥିଲା। ୧୮ଟି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ଆହୁରି ୭ ଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ।
ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ତା’ ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ତା’ ସହିତ ସେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହିତ ଏହି ଘଟଣା ସଂପର୍କରେ ଆଲୋଚନା କରିଛନ୍ତି ଓ ପୀଡ଼ିତମାନଙ୍କୁ ଯଥା ସମ୍ଭବ ସମସ୍ତ ପ୍ରକାର ସହାୟତା କରିବାକୁ କହିଛନ୍ତି।
କ’ଣ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ
ଅଗ୍ନିକାଣ୍ଡ ଘଟିବା ବେଳେ ନାଇଟ୍ କ୍ଲବ୍ରେ ଉପସ୍ଥିତ ଥିବା ହାଇଦ୍ରାବାଦର ଫାତିମା ଶେଖ କହିଛନ୍ତି ଯେ ନିଆଁ ଲାଗିବା ମାତ୍ରେ ଲୋକେ ଭୟଭୀତ ହୋଇ ଚିତ୍କାର କରି ଧାଁଦୌଡ଼ କରିଥିଲେ। ବାହାରକୁ ଆସିବା ପରେ ଆମେ ଦେଖିଲୁ ଯେ ପୂରା ନାଇଟ୍ କ୍ଲବ୍ଟିକୁ ନିଆଁ ନିଜ କବଳକୁ ନେଇ ଯାଇଛି।
ସେ କହିଛନ୍ତି ଯେ ନିଆଁ ଲାଗିଥିବା ଦେଖି କିଛି ଲୋକ ନାଇଟ୍ କ୍ଲବ୍ର ତଳ ମହଲାକୁ ଧାଇଁ ପଳାଇଥିଲେ। ସେମାନେ ସେଠାରେ ଫସି ଗଲେ। ସେଠାରେ ଥିବା ନାଇଟ୍ କ୍ଳବ୍ର କର୍ମଚାରୀମାନେ ମଧ୍ୟ ବାହାରି ପାରି ନଥିଲେ। ବହୁ ଲୋକେ ନାଇଟ୍ କ୍ଲବ୍ ବାହାରକୁ ଚାଲିଆସିବାରେ ସଫଳ ହୋଇଥିଲେ।
ଫାତିମା କହିଛନ୍ତି ଯେ ନାଇଟ୍ କ୍ଲବ୍ ଭିତରେ ଶୁଖିଲା ତାଳପତ୍ରରେ ତିଆରି ଅନେକ ସ୍ଥାନାନ୍ତର ହୋଇପାରୁଥିବା ଜିନିଷ ରହିଥିଲା। ସେଗୁଡ଼ିକ ସହଜରେ ନିଆଁ ଧରିଥିଲା। ଏଣୁ ଅତି ଅଳ୍ପ ସମୟ ମଧ୍ୟରେ ସ୍ଥିତି ଭୟଙ୍କର ରୂପ ଧାରଣ କରିଥିଲା।
ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର
Birch By Romeo Lane ନାଇଟ୍ କ୍ଲବ୍କୁ ଏକ ଆଇଲ୍ୟାଣ୍ଡ କ୍ଲବ୍ ଭାବେ ଉପସ୍ଥାପିତ କରାଯାଏ। କାରଣ ଏହାକୁ ଅରପୋରା ନଦୀର ବ୍ୟାକ୍ୱାଟର ବା ପଛୁଆ ପାଣିରେ ନିର୍ମାଣ କରାଯାଇଛି। ତେବେ ସେଠାକୁ ଯା’ଆସ କରିବାକୁ ରହିଛି ସଂକୀର୍ଣ୍ଣ ପଥ। ଫଳରେ ଅଗ୍ନିଶମ ବାହିନୀର ପାଣି ଭର୍ତ୍ତି ଗାଡ଼ି କ୍ଲବ୍ ନିକଟକୁ ଯାଇପାରି ନଥିଲା। ପ୍ରାୟ ୪୦୦ ମିଟର ଦୂରରେ ଗାଡ଼ି ରଖିବାକୁ ପଡ଼ିଥିଲା। ସେଥିପାଇଁ ନିଆଁ ଲିଭାଇବା ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି। ସେହିପରି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ଯେ ମୃତକଙ୍କ ମଧ୍ୟରୁ ଅନେକ ଅଣନିଃଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ନିଆଁ ଲାଗିବା ଯୋଗୁ ନିର୍ଗତ ହୋଇଥିବା ଧୂଆଁରେ ସେମାନେ ଅଣନିଃଶ୍ୱାସୀ ହୋଇଯାଇଥିଲେ।
ନିୟମକୁ ଭାଙ୍ଗି ନିର୍ମାଣ ହୋଇଛି Birch By Romeo Lane ନାଇଟ୍ କ୍ଲବ୍
ଅରପୋରା-ନାଗୋଆ ପଞ୍ଚାୟତର ସରପଞ୍ଜ ରୋଶନ ରେଦକର କହିଛନ୍ତି ଯେ ଏହି ନାଇଟ୍ କ୍ଲବ୍ର ମାଲିକମାନଙ୍କ ମଧ୍ୟରେ ବିବାଦ ଥିଲା। ସେମାନେ ପରସ୍ପର ବିରୋଧ ପଞ୍ଚାୟତରେ ଅଭିଯୋଗ କରିଥିଲେ। ଆମେ ନାଇଟ୍ କ୍ଲବ୍ ପରିସରରେ ଆସି ତଦନ୍ତ କରିଥିଲୁ। ଯାଞ୍ଚ ବେଳେ ଆମେ ଜାଣିବାକୁ ପାଇଥିଲୁ ଯେ ଏହାକୁ ବେଆଇନ ଭାବେ ନିର୍ମାଣ କରାଯାଇଛି। ତେଣୁ ଏହାକୁ ଭାଙ୍ଗିବା ପାଇଁ ପଞ୍ଚୟତ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। କିନ୍ତୁ ପଞ୍ଚାୟତ ନିର୍ଦ୍ଦେଶାଳୟ ପକ୍ଷରୁ ଏହା ଉପରେ ରୋକ୍ ଲଗାଯାଇଥିଲା।
କାହିଁକି ଲାଗିଲା ନିଆଁ
ଏକ ନ୍ୟୁଜ୍ ଏଜେନ୍ସୀକୁ ଗୋଆ ପୁଲିସ ମୁଖ୍ୟ ଆଲୋକ କୁମାର କହିଛନ୍ତି ଯେ ସିଲିଣ୍ଡର ଫାଟିବା ଯୋଗୁ ନିଆଁ ଲାଗିଥିଲା। କିନ୍ତୁ ଘଟଣା ଘଟିବା ବେଳେ ନାଇଟ କ୍ଲବ୍ରେ ଉପସ୍ଥିତ ଥିବା ଲୋକେ ଏହାକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ନିଆଁ ପ୍ରଥମେ ପ୍ରଥମ ମହଲାରେ ଲାଗିଥିଲା। ସେତେବେଳେ ସେଠାରେ ଡ୍ୟାନ୍ସ ଫ୍ଲୋରରେ ପ୍ରାୟ ୧୦୦ ପର୍ଯ୍ୟଟକ ଥିଲେ।
ଇତିମଧ୍ୟରେ ଏହି ଅଗ୍ନିକାଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି। ମହବୁବା ମହବୁବା ଗୀତର ତାଳେ ତଳେ ଜଣେ ନର୍ତ୍ତକୀ ନୃତ୍ୟ ପରିବେଷଣ କରୁଥିବା ବେଳେ ନାଇଟ୍ କ୍ଲବ୍ର ଛାତରେ ନିଆଁ ଲାଗିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ତେଣୁ ନିଆଁ ଲାଗିବାର କାରଣକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ତଦନ୍ତ ପରେ ସଠିକ୍ କାରଣ ଜଣାପଡ଼ିବ। ଘଟଣାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନାଇଟ୍ କ୍ଲବ୍ ମାଲିକଙ୍କ ନାଁରେ ମାମଲା ରୁଜୁ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
