Advertisment

ଦେଢ଼ ଘଣ୍ଟା ଆଗୁଆ ଆସି ୫ ମିନିଟରେ ଛାଡ଼ିଦେଲା ଟ୍ରେନ, ୪୫ ଯାତ୍ରୀ ହନ୍ତସନ୍ତ

ମନ ଇଚ୍ଛାରେ ଆସି ଦେଢ଼ ଘଣ୍ଟା ଆଗରୁ ଷ୍ଟେସନ୍ ଛାଡ଼ି ଦେଲା ଟ୍ରେନ୍। ହନ୍ତସନ୍ତ ହେଲେ ୪୫ ଯାତ୍ରୀ।

ଅଦ୍ୟତନ ହୋଇଛି
Manmad junction

Manmad junction

Advertisment

ବାହାନାଗାରେ ଟ୍ରେନ୍ ଟ୍ରାଜେଡ଼ି ପରଠାରୁ ପ୍ରତିଦିନ କିଛି ନା କିଛି ରେଳଜନିତ ତ୍ରୁଟି ଦେଖିବାକୁ ମିଳୁଛି। କେତେବେଳେ ଧାରଣାରେ ଡବା ଛାଡ଼ି ଇଞ୍ଜିନ୍ ଚାଲିଯାଉଛି ତ ଆଉ କେତେବେଳେ ବଗିରେ ନିଆଁ ଲାଗିଯାଉଛି। ନିୟମିତ ଏହି ଖବର ସାଧାରଣ ଜନତାଙ୍କୁ ମଧ୍ୟ ଅତିଷ୍ଠ କରିପକାଇଲାଣି। ଏହାରି ମଧ୍ୟରେ ରେଲୱେର ଆଉ ଏକ ତ୍ରୁଟି ସାମ୍ନାକୁ ଆସିଛି। ଆପଣ ଟ୍ରେନ୍ ବିଳମ୍ବରେ ଆସିବାର ସମ୍ମୁଖୀନ ହୋଇଥିବେ, ହେଲେ ଟ୍ରେନ୍ କେବେ ଆଗୁଆ ଆସିବାର ଶୁଣିନଥିବେ। ମନମାଡ଼ ଜଙ୍କସନରେ ଦେଖିବାକୁ ମିଳିଛି ଏପରି ତ୍ରୁଟି।

ଦିଲ୍ଲୀ ଅଭିମୁଖେ ଆସୁଥିବା ଭାସ୍କୋ ଡା ଗାମା ନିଜାମୁଦ୍ଦିନ-ଗୋଆ ଏକ୍ସପ୍ରେସ୍ ପାଖାପାଖି ଦେଢ଼ ଘଣ୍ଟା ଆଗୁଆ ଆସି ଷ୍ଟେସନରେ ମାତ୍ର ୫ ମିନିଟ୍ ରହିବା ପରେ ଛାଡ଼ି ଦେଇଛି। ଫଳରେ ପୂର୍ବରୁ ଟିକେଟ୍ କରିଥିବା ପ୍ରାୟ ୪୫ ଜଣ ଯାତ୍ରୀ ମନମାଡ ଜଙ୍କସନରେ ଅଟକି ରହିଥିଲେ। ମାର୍ଗ ପରିବର୍ତ୍ତନ(ରୁଟ୍ ଡାଇଭର୍ସନ) କାରଣରୁ ଏକ୍ସପ୍ରେସ୍ ଆଗୁଆ ଆସିଥିବା କୁହାଯାଉଛି। ତେବେ ଏନେଇ ଯାତ୍ରୀଙ୍କୁ କୌଣସି ଅବଗତ ନକରାଇ ମାତ୍ର ୫ ମିନିଟରେ ଟ୍ରେନ୍ କିପରି ଷ୍ଟେସନ୍ ଛାଡ଼ିଦେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ମନମାଡ ଜଙ୍କସନରେ ଟ୍ରେନ ପହଞ୍ଚିବା ପାଇଁ ନିର୍ଦ୍ଧାରିତ ସମୟ ଥିଲା ସକାଳ ୧୦.୩୫ ଘଣ୍ଟା। ଗୁରୁବାର(ଜୁଲାଇ ୨୭)ରେ ଟ୍ରେନ୍ ସକାଳ ୯.୦୫ ଘଣ୍ଟାରେ ଷ୍ଟେସନରେ ପହଞ୍ଚିଥିଲା। ମାତ୍ର ୫ ମିନିଟ୍ ରହିବା ପରେ ତୁରନ୍ତ ୯.୧୦ ଘଣ୍ଟାରେ ଛାଡ଼ିଦେଇଥିଲା। ଟ୍ରେନ ପାଇଁ ଟିକେଟ୍ କରିଥିବା ଯାତ୍ରୀମାନେ ସକାଳ ୯.୪୫ ସୁଦ୍ଧା ଷ୍ଟେସନରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ, ଟ୍ରେନ୍ ଷ୍ଟେସନ୍ ଛାଡ଼ି ସାରିଲାଣି। ଏହା ପରେ ଉତ୍ତେଜିତ ହୋଇ ଯାତ୍ରୀମାନେ ଷ୍ଟେସନ୍ ମ୍ୟାନେଜରଙ୍କ କାର୍ଯ୍ୟାଳୟକୁ ଯାଇ ସ୍ପଷ୍ଟୀକରଣ ମାଗିଥିଲେ ଏବଂ ସେମାନଙ୍କ ଯାତ୍ରା ଜାରି ରଖିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଟ୍ରେନ୍ ନିର୍ଦ୍ଧାରିତ ସମୟ ପୂର୍ବରୁ କିପରି ଛାଡ଼ିପାରିବ ସେ ପ୍ରଶ୍ନ କରିଥିଲେ ଷ୍ଟେସନ୍ ମ୍ୟାନେଜରଙ୍କୁ।

କେନ୍ଦ୍ରୀୟ ରେଲୱେ ଜୋନର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବରାଜ ମନସପୁର କହିଛନ୍ତି, "ମନମାଡ ଜଙ୍କସନରେ ପହଞ୍ଚିବା ପୂର୍ବରୁ ସାଧାରଣତଃ ମିରାଜ, ପୁନେ ଏବଂ ଦାଉଣ୍ଡ ଦେଇ ଚାଲୁଥିବା ଗୋଆ ଏକ୍ସପ୍ରେସକୁ ଡାଇଭର୍ଟ କରାଯାଇଥିଲା। ଗୁରୁବାର ଟ୍ରେନଟି ରତ୍ନଗିରି, ପାନଭେଲ, କଲ୍ୟାଣ ଏବଂ ନାଶିକ ରୋଡ୍ ଦେଇ ମନମାଡରେ ପହଞ୍ଚିବାର ଥିଲା। ରୁଟ୍ ଡାଇଭର୍ଟ ହୋଇଥିବାରୁ ଟ୍ରେନ ଆଗୁଆ ପହଞ୍ଚିଛି, କିନ୍ତୁ ପୂର୍ବପରି ଷ୍ଟେସନରେ ନ ଅଟକି ଛାଡ଼ି ଦେଇଛି।" ଅଧିକାରୀଙ୍କ କହିବାନୁସାରେ, ଯେଉଁ ଯାତ୍ରୀମାନେ ଗୋଆ ଏକ୍ସପ୍ରେସରେ ଚଢିପାରିନଥିଲେ, ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିବା ମୁମ୍ବାଇ-ହାୱଡା ଗୀତାଞ୍ଜଳି ଏକ୍ସପ୍ରେସରେ ଯିବାର ବନ୍ଦୋବସ୍ତ କରାଯାଇଥିଲା। କାରଣ ଭୁସାୱାଲ ଜଙ୍କସନ ପର୍ଯ୍ୟନ୍ତ ଉଭୟ ଟ୍ରେନର ଏକ ସାଧାରଣ ମାର୍ଗ ଅଛି।

"ମନମାଡଠାରେ ଅଟକି ରହୁନଥିବା ଗୀତାଞ୍ଜଳି ଏକ୍ସପ୍ରେସକୁ ଏଠାରେ ୧୧.୨୬ରେ ଅଟକି ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଦିଲ୍ଲୀ ଟ୍ରେନର ୪୫ ଜଣ ଯାତ୍ରୀ ଗୀତାଞ୍ଜଳିରେ ଯିବାକୁ ଅନୁମତି ମିଳିଥିଲା। ଏହି ସମୟରେ ମନମାଡ ଏବଂ ଭୁସାୱାଲ ମଧ୍ୟରେ ଥିବା ଜଲଗାଓଁ ଜଙ୍କସନର ଷ୍ଟେସନ ମ୍ୟାନେଜର ଏହି ଯାତ୍ରୀମାନଙ୍କୁ(ଗୀତାଞ୍ଜଳି ଏକ୍ସପ୍ରେସରେ) ଷ୍ଟେସନରେ ପହଞ୍ଚିବା ପର୍ଯ୍ୟନ୍ତ ସେଠାରେ ଗୋଆ ଏକ୍ସପ୍ରେସକୁ ଅଟକାଇ ରଖିବାକୁ କହିଥିଲେ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାର ବନ୍ଦୋବସ୍ତ କରାଯାଇଥିବା ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେପଟେ ରେଲୱେ କର୍ତ୍ତୃପକ୍ଷ କହିଛନ୍ତି ଯେ, "ସେମାନେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏପରି ହେବାର କାରଣ କଣ ଏବଂ ଆଗକୁ ଯେପରି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ପଦକ୍ଷେପ ନିଆଯିବ।"

Advertisment
Railway Goa Express Express Delay News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe