/odisha-reporter/media/post_attachments/uploadimage/library/16_9/16_9_0/Train_1682075765.jpg)
Train
ବହୁ ଚର୍ଚ୍ଚିତ ୨୦୦୨ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୮ ଜଣଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଉ ୪ ଜଣଙ୍କ ଆବେଦନ ଖାରଜ ହୋଇଯାଇଛି। ଘଟଣାରେ ସେମାନଙ୍କ ଭୂମିକାକୁ ଦେଖି ସର୍ବୋଚ୍ଚ ଅଦାଲତ ଏପରି ନିଷ୍ପତ୍ତି ନେଇଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ୮ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେମାନେ ୧୭ ବର୍ଷରୁ ଅଧିକ ସମୟ ହେଲା ଜେଲରେ ରହିଥିବାରୁ ସମସ୍ତଙ୍କୁ ଜାମିନ ମିଳିଛି। ଜାମିନ ପାଇଥିବା ୮ ଜଣଙ୍କୁ ଗୋଧ୍ରା ଟ୍ରେନ ପୋଡ଼ି ଘଟଣାରେ ଆଜୀବନ ଜେଲଦଣ୍ଡ ମିଳିଛି।
ତେବେ ଟ୍ରାଏଲ କୋର୍ଟଙ୍କ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅନ୍ୟ ୪ ଜଣଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଛନ୍ତି। ଏହି ୪ ଜଣଙ୍କୁ ଟ୍ରାଏଲ କୋର୍ଟ ପ୍ରଥମେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଗୁଜରାଟ ହାଇକୋର୍ଟ ଏହାକୁ ଆଜୀବନ ଜେଲଦଣ୍ଡରେ ପରିଣତ କରିଥିଲେ।
ଗୋଧ୍ରା ଟ୍ରେନ ପୋଡ଼ି ଘଟଣାର ବିଚାର କରି ଟ୍ରାଏଲ କୋର୍ଟ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଅନ୍ୟ ୨୦ ଜଣଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା।
ସୋମବାର ଦୋଷୀଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଗୁଜରାଟ ସରକାର କହିଥିଲେ ଯେ ଦଣ୍ଡ ପାଇଥିବା ଲୋକମାନେ ଅତ୍ୟନ୍ତ ଗୁରୁତର ଅପରାଧ ଘଟାଇଥିଲେ। ତେଣୁ ସେମାନଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ନ ମିଳୁ। ସଲିସିଟର ଜେନେରାଲ ତୁଷାର ମେହେଟା ଜାମିନ ଆବେଦନକୁ ବିରୋଧ କରି କହିଥିଲେ ଦଣ୍ଡ ପାଇଥିବା ଲୋକମାନେ ଟ୍ରେନର ଦ୍ୱାରକୁ ବାହାର ପଟୁ ବନ୍ଦ କରି ଲୋକଙ୍କୁ ତା’ ଭିତରେ ମରିବାକୁ ଛାଡ଼ି ଦେଇଥିଲେ।
ତେବେ ଆବେଦନକାରୀ ଓକିଲ କହିଥିଲେ ଯେ ଏମାନେ ୧୭ ବର୍ଷ ହେଲା ଜେଲରେ ସଜା କାଟି ସାରିଲେଣି। ତେଣୁ ସେମାନଙ୍କୁ ଜାମିନ ଦିଆଯାଉ। ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ୮ ଜଣଙ୍କ ଜାମିନ ଆବେଦନ ଉପରେ ମୋହର ମାରିଛନ୍ତି।
୨୦୦୨ ମସିହା ଫେବୃଆରୀ ୨୭ରେ ସାବରମତି ଏକ୍ସପ୍ରେସର ଏକାଧିକ କୋଚକୁ ଗୋଧ୍ରା ରେଳ ଷ୍ଟେସନ ନିକଟରେ ପୋଡ଼ି ଦିଆଯାଇଥିଲା। ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୂରା ଗୁଜରାଟରେ ସାଂପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଥିଲା। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।
ଗୋଧ୍ରା ଟ୍ରେନ ପୋଡ଼ି ଘଟଣାରେ ସ୍ଥାନୀୟ କୋର୍ଟ ୨୦୧୧ରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୬୩ ଜଣଙ୍କୁ ଦୋଷମୁକ୍ତ କରିଥିଲା। ଦୋଷୀ ସାବ୍ୟସ୍ତ ହୋଇଥିବା ୩୧ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୨୦ ଜଣଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା।
ଗୁଜରାଟ ହାଇକୋର୍ଟ ତଳ କୋର୍ଟର ରାୟକୁ କାଏମ ରଖିଥିଲେ। କିନ୍ତୁ ମୃତ୍ୟୁଦଣ୍ଡକୁ ଆଜୀବନ ଜେଲଦଣ୍ଡରେ ପରିଣତ କରିଥିଲେ।
ଦୋଷୀମାନେ ଗୁଜରାଟ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ସେମାନଙ୍କ ଆବେଦନ ୨୦୧୮ରୁ ସୁପ୍ରିମକୋର୍ଟରେ ପଡ଼ି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
