Gold
ଦୁବାଇରୁ ଭାତକୁ ସୁନା ଚୋରା ଚାଲାଣା ହେବା କୌଣସି ନୂଆ କଥା ନୁହେଁ। ଦୁବାଇରୁ ଭାରତକୁ ଆସୁଥିବା ବିଭିନ୍ନ ବିମାନ ଯାତ୍ରୀଙ୍କ ଠାରୁ ଦେଶର ଭିନ୍ନଭିନ୍ନ ଏୟାରପୋର୍ଟରୁ ବିପୁଳ ପରିମାଣର ସୁନା ଜବତ କରାଯାଉଛି। ଅଧିକାରୀମାନଙ୍କୁ ମାତ ଦେବାକୁ ଚାଲାଣକାରୀମାନେ ନୂଆ ପନ୍ଥା ଆପଣାଇବାର ନଜିର ମଧ୍ୟ ରହିଛି। ଅନେକ ଘଟଣାରେ ଚାଲାଣକାରୀ ଧରାପଡ଼ୁଥିବା ବେଳେ ଅନେକ ସମୟରେ ସେମାନେ ଖସି ମଧ୍ୟ ଯାଉଛନ୍ତି।
ନିକଟରେ କନ୍ନଡ ଅଭିନେତ୍ରୀ ରନୟା ରାଓଙ୍କୁ ୧୪.୨ କେଜି ସୁନା ସହ ବେଙ୍ଗାଲୁରୁ ଏୟାରପୋର୍ଟରୁ ଗିରଫ କରାଯାଇଥିଲା। ସେ ଦୁବାଇରୁ ଏତେ ପରିମାଣର ସୁନା ଚୋରା ଚାଲାଣ କରୁଥିବା ବେଳେ ଡିରେକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟଲିଜେନ୍ସ(ଡିଆରଆଇ) ତାଙ୍କୁ ନାଟକୀୟ ଢଙ୍ଗରେ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟରୁ ସୋମବାର ରାତିରେ ଗିରଫ କରିଥିଲା। ରନୟା ହେଉଛନ୍ତି କର୍ଣ୍ଣାଟକା ଡିଜିପି(ପୁଲିସ ହାଉସିଂ କର୍ପୋରେସନ) କେ ରାମଚନ୍ଦ୍ର ରାଓଙ୍କ ସାବତ ଝିଅ।
ସେ ୧୫ ଦିନ ଭିତରେ ୪ଥର ଦୁବାଇ ଗସ୍ତ କରିଥିବାରୁ ତାଙ୍କ ଗିତି ବିଧି ଉପରେ ପୁଲିସ ନଜର ରଖିଥିଲା। ସୋମବାର ରାତିରେ ସେ ଦୁବାଇରୁ ଫେରିବା କ୍ଷଣି ଡିଆରଆଇ ଅଧିକାରୀମାନେ ତାଙ୍କୁ ଏୟାରପୋର୍ଟରେ ଯାଞ୍ଚ କରିଥିଲେ। ଏହି ସମୟରେ ସେ ପିନ୍ଧିଥିବା ବେଲ୍ଟରେ ୧୪ କେଜି ଓଜନର ୧୪ଟି ସୁନା ବାର ବେଶ ଗୁପ୍ତ ଭାବେ ଖଞ୍ଜା ହୋଇ ରହିଥିଲା। ସେହିପରି ତାଙ୍କ ପାଖରୁ ୮୦୦ ଗ୍ରାମ ଓଜନର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି।
ତେବେ ଦୁବାଇରୁ କାହିଁକି ହେଉଛି ସୁନାର ସ୍ମଗଲିଂଗ? ଦୁବାଇରେ କ’ଣ ସୁନା ଖଣି ରହିଛି କି? ଭାରତ ତୁଳନାରେ ଦୁବାଇରେ କ’ଣ ସୁନା ଶସ୍ତା?
ଦୁବାଇରେ ସୁନା ଶସ୍ତା କି?
ଭାରତ ତୁଳନାରେ ଦୁବାଇରେ ସୁନା ଶସ୍ତା। ସୁନା ବ୍ୟବସାୟର ଗଡ଼ ଭାବେ ଦୁବାଇ ପରିଚିତ। ଭାରତରେ ଉପଲବ୍ଧ ହେଉଥିବା ସୁନାକୁ ଦୁବାଇ ବହୁତ କମ ଦାମରେ ବିକ୍ରି କରିଥାଏ। କିନ୍ତୁ କାହିଁକି ଭାରତ ତୁଳନାରେ ଦୁବାଇରେ ସୁନା ଶସ୍ତା? ଏହା ପଛରେ ଏକାଧିକ କାରଣ ରହିଛି।
୧- ଦୁବାଇ ସୁନା କିଣିବା ବେଳେ କୌଣସି ପ୍ରକାରର ଟିକସ ଲାଗୁ କରି ନଥାଏ। ଗ୍ରାହକମାନେ ବିନା କୌଣସି ଅତିରିକ୍ତ ଚାର୍ଜ ଦେଇ ଦୁବାଇରେ ମାର୍କେଟ ଦାମ ଅନୁସାରେ ସୁନା କିଣିବାକୁ ସକ୍ଷମ ହୁଅନ୍ତି।
୨- ଭାରତ ଭଳି ଦୁବାଇ ସୁନା ଉପରେ କୌଣସି ପ୍ରକାରର ସୀମା ଶୁଳ୍କ ଲାଗୁ କରେ ନାହିଁ। ଏଥିଯୋଗୁ ଗ୍ରାହକମାନଙ୍କ ପାଇଁ ଏହାର ଦାମ ମୋଟ ଉପରେ କମ ହୋଇଥାଏ।
୩- ଦୁବାଇର ସୁନା ମାର୍କେଟ ବେଶ ପ୍ରତିଯୋଗିତାପୂର୍ଣ୍ଣ। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଡିଲରମାନେ ଯଥା ସମ୍ଭବ କମ ରେଟରେ ସୁନା ବିକ୍ରି କରନ୍ତି। ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବାରୁ ସୁନାର ଦାମ ସମସ୍ତେ ଯଥା ସମ୍ଭବ କମ ରଖିବାକୁ ଚେଷ୍ଟା କରନ୍ତି। ଏଠାରେ ଅନେକ ସୁନା ମାର୍କେଟ ରହିଛି। ଛକ ଛକରେ ସୁନା ଗହଣା ବିକ୍ରି କରାଯାଲ।
ପାରମ୍ପରିକ ଭାବେ ଦୁବାଇର ସୁନା ମାର୍କେଟରେ ନୂଆ ନୂଆ ଡିଜାଇନର ଅଳଙ୍କାର ଉପଲବ୍ଧ ହୋଇଥାଏ। ଏହି ମାର୍କେଟ ଗୁଡ଼ିକ ବିକ୍ରି ଓ ବ୍ୟବସାୟର ଗଡ଼ ଭାବେ ପରିଚିତ। ୨୦୨୪ ସେପ୍ଟେମ୍ବର ତଥ୍ୟ ଅନୁସାରେ ୨୪ କ୍ୟାରେଟ ସୁନାକୁ ଦୁବାଇରେ ଗ୍ରାମ ପିଛା ୩୧୩.୬୬ ଏଇଡି ବା ୭,୧୩୮ ଟଙ୍କାରେ ବିକ୍ରି କରାଯାଉଥିଲା। ଏହି ସମୟରେ ଭାରତରେ ସୁନାର ଗୋଟିଏ ଗ୍ରାମ ପିଛା ଦର ୮,୨୨୫ ଟଙ୍କା ଥିଲା।
ଭାରତ ସୁନା ଆମଦାନୀ ଟିକସ ଓ କଟକଣା
ସୁନା ଆମଦାନୀ ଉପରେ ଭାରତ ସରକାର ବିଭିନ୍ନ ଶୁଳ୍କ ଓ କଟକଣା ଲଗାଇଛନ୍ତି। ୨୦୨୪ ଜୁଲାଇ ମାସରେ ସୁନା ଉପରେ ଲାଗୁଥିବା ସୀମା ଶୁଳ୍କକୁ ଭାରତ ସରକାର ୧୫%ରୁ ୬%କୁ ହ୍ରାସ କରିଥିଲେ। ଏହାଦ୍ୱାରା ସରକାର ଆଶା କରିଛନ୍ତି ଯେ ସୁନା ସ୍ମଗଲିଂଗ ହ୍ରାସ ପାଇବ ଓ ଆଇନଗତ ଉପାୟରେ ଆମଦାନୀ ହେବ। ଏଥିସହ ଗ୍ରାହକମାନେ ବେଶ କମ ଦାମରେ ସୁନା ପାଇପାରିବେ ବୋଲି ସରକାର ଆଶା ରଖିଛନ୍ତି।
ସୀମା ଶୁଳ୍କ ହ୍ରାସ ହୋଇଥିଲେ ହେଁ ସରକାର ସୁନା ଆମଦାନୀ ପରିମାଣ ଉପରେ କଟକଣା ଲଗାଇଛନ୍ତି। ଆଇନ ଜାଲରେ ଫସିବାକୁ ଚାହୁଁ ନଥିବା ଲୋକଙ୍କୁ ଅତିରିକ୍ତ ଟିକସ ବିନା ଯଦି ସୁନା ଆମଦାନୀ କରିବାର ଅଛି, ତା’ହେଲେ ସେମାନଙ୍କୁ ସରକାର ଗାଇଡଲାଇନ ମାନିବାକୁ ପଡ଼ିବ।
ଦୁବାଇ କିମ୍ବା ବିଦେଶରୁ ଆସୁଥିବା ପୁରୁଷ ଯାତ୍ରୀମାନେ ସେମାନଙ୍କ ସହ ସର୍ବାଧିକ ୨୦ ଗ୍ରାମ ଯାଏ ସୁନା ଆଣିପାରିବେ। ୫୦ ହଜାର ଟଙ୍କା ଯାଏ ସେମାନଙ୍କ ଉପରେ କୌଣସି ପ୍ରକାରର ସୀମା ଶୁଳ୍କ ଲାଗିବ ନାହିଁ। ସେହିପରି ମହିଳା ଯାତ୍ରୀମାନେ ସର୍ବାଧିକ ୪୦ ଗ୍ରାମ ସୁନା ଆଣିପାରିବେ ଓ ସେମାନଙ୍କୁ ୧ ଲକ୍ଷ ଟଙ୍କା ଯାଏ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।
ସରକାର ସୀମା ଶୁଳ୍କ ହ୍ରାସ କରିବାରୁ ସୁନା ଆମଦାନୀ ବୃଦ୍ଧି ପାଇଛି। ୨୦୨୪ ଅଗଷ୍ଟ ମାସରେ ଭାରତ ସୁନା ଆମଦାନୀ ରେକର୍ଡ ୧୦.୬ ବିଲିୟନ ଡଲାରରେ ପହଞ୍ଚିଛି। ପାର୍ବଣ ପୂର୍ବରୁ ଭାରତୀୟ ମାର୍କେଟରେ ଗ୍ରାହକଙ୍କ ସୁନାର ଚାହିଦା ବଢ଼ିବାରୁ ଏପରି ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gold_1741602041.jpg)