/odisha-reporter/media/post_attachments/uploadimage/library/16_9/16_9_0/Thief_1757154373.jpg)
Thief
ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ତ୍ରୁଟି। ପ୍ରସିଦ୍ଧ ଲାଲ୍ଲାକିଲ୍ଲାରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମ ବେଳେ ହୋଇଛି ଚୋରି। ୨ଟି ସୁନା କଳସ ଓ ଅନ୍ୟ ମୂଲ୍ୟବାନ ଜିନିଷ ଲୁଟି ନେଇଛି ଲୁଟେରା। ପ୍ରାୟ ୧.୫ କୋଟିର ଜିନିଷ ଚୋରି ହୋଇଯାଇଛି। ଦିଲ୍ଲୀର ଲାଲକିଲ୍ଲା ପରିସରରେ ଆୟୋଜିତ ଗୋଟିଏ ଜୈନ ଧର୍ମର ଧାର୍ମିକ କାର୍ଯ୍ୟକ୍ରମରେ ଏପରି ଘଟଣା ଘଟିଛି।
ଚୋର ଜଣକ ଜୈନ ପୂଜକ ବେଶରେ କାର୍ଯ୍ୟକ୍ରମକୁ ଆସିଥିଲା। ଏହାପରେ ସୁନା କଳସ ଓ ଅନ୍ୟ ମୂଲ୍ୟବାନ ଜିନିଷ ଧରି ଚମ୍ପଟ ମାରିଛି। ଚୋରର ସବୁ କାରନାମା ସିସିଟିଭିରେ ମଧ୍ୟ କଏଦ ହୋଇଛି। ସିସିଟିଭିରୁ ପୁଲିସ୍ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ଓ ତା’କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ଚୋରି ହୋଇଥିବା ଜିନିଷଗୁଡ଼ିକ ମଧ୍ୟରେ ଗୋଟିଏ ସୁନାର ମାଠିଆ, ଗୋଟିଏ ସୁନାର ପଇଢ଼(ଓଜନ ୭୫୦ ଗ୍ରାମ), ୧୧୫ ଗ୍ରାମ ଓଜନର ଆଉ ଗୋଟିଏ ମାଠିଆ ରହିଛି। ଏହି କଳସରେ ୧୫୦ ଗ୍ରାମ ଓଜନର ହୀରା, ମାଣିକ ଓ ରତ୍ନ ଖଚିତ ମଧ୍ୟ ହୋଇଥିଲା ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି। ଏହି ଜିନିଷଗୁଡ଼ିକୁ ଜୈନ ଧର୍ମର ନୀତିକାନ୍ତିରେ ବ୍ୟବହାର ହୋଇଥାଏ। ତେଣୁ ଏସବୁ ପବିତ୍ର ଜିନିଷ। ଜୈନ ଧର୍ମର ଧାର୍ମିକ କାର୍ଯ୍ୟକ୍ରମ ପାଇଁ ପ୍ରତିଦିନ ବ୍ୟବସାୟୀ ସୁଧୀର ଜୈନ ଏହି ମୂଲ୍ୟବାନ ଜିନିଷ ସବୁ ଧରି ଆସନ୍ତି।
ରେଡ ଫୋର୍ଟ ବା ଲାଲକିଲ୍ଲା ପରିସରରେ ଥିବା ୧୫ ଅଗଷ୍ଟ ପାର୍କରେ ଆୟୋଜିତ ୧୦ ଦିନିଆ ଧାର୍ମିକ କାର୍ଯ୍ୟକ୍ରମ ‘ଦଶଲକ୍ଷଣ ମହାପର୍ବ’ ସମୟରେ ବୁଧବାର ଏପରି ଚୋରି ହୋଇଛି। ସିସିଟିଭିରୁ ଜଣାପଡ଼ିଛି ଯେ ଚୋର ଜଣକ ଜୈନ ପୂଜକ ବେଶରେ କାର୍ଯ୍ୟକ୍ରମକୁ ଆସୁଛି ଓ ମୂଲ୍ୟବାନ ଜିନିଷକୁ ବ୍ୟାଗରେ ଧରି ଚାଲି ଯାଉଛି। କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼ ହୋଇଥିବାରୁ ଏହା ଫାଇଦା ଉଠାଇ ସେ ବେଶ ସହଜରେ ଚୋରି କରିବାକୁ ସକ୍ଷମ ହୋଇଛି।
ବିଶେଷ କରି ଆୟୋଜକମାନେ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା କାମରେ ବ୍ୟସ୍ତ ଥିବା ବେଳେ ଏପରି ଘଟଣା ଘଟିଛି। ସ୍ୱାଗତ କାର୍ଯ୍ୟକ୍ରମ ପରେ ପାରମ୍ପରିକ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହି ସମୟରେ ଷ୍ଟେଜରୁ କଳସ ଗାଏବ ହୋଇଯାଇଥିବା ଜଣାପଡ଼ିଥିଲା।
ବ୍ୟବସାୟୀ କୈଳାସ ଜୈନ କହିଛନ୍ତି, “ଚୋର ଜଣକ ଭିଡ଼ର ଫାଇଦା ଉଠାଇଛନ୍ତି। ପୋତି ଓ ହୀରା କେବଳ ଡିଜାଇନ ପାଇଁ ଲଗାଯାଇଥିଲା। କିନ୍ତୁ କଳସ ଆମ ଭାବନା ସହ ଜଡ଼ିତ। ଏପରି ଭାବନକୁ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ। ପୁଲିସ୍କୁ ଲିଡ ମିଳିଛି ଓ ସେମାନେ ଖବୁଶୀଘ୍ର ଅଭିଯୁକ୍ତକୁ ଗିରଫ କରିବେ।” ଚୋର ଜଣକ ପୂର୍ବରୁ ମଧ୍ୟ ୩ଟି ମନ୍ଦିରରେ ସମାନ ଉଦ୍ୟମ କରିଥିବା ମଧ୍ୟ ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
