Advertisment

ଦୁଇ ଟ୍ରେନ ମଧ୍ୟରେ ପୁଣି ଧକ୍କା, ୧୨ ବଗି ଲାଇନ ଚ୍ୟୁତ

ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ପୁଣି ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ରବିବାର ଭୋର ୪ଟାରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Train accident

Train accident

ଭାରତୀୟ ରେଳବାଇର ପିଛା ଛାଡ଼ୁନି ଦୁର୍ଘଟଣା। ଜୁନ ୨ ଓଡ଼ିଶାର ଟ୍ରେନ ଟ୍ରାଜେଡି ପରେ ଏକାଧିକ ରେଳ ଦୁର୍ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହିକ୍ରମରେ ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ପୁଣି ଦୁଇଟି ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ରବିବାର ଭୋର ୪ଟାରେ ଦୁର୍ଘଟଣା ଘଟିଥିବା ବେଳେ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ଦୁଇଟି ମାଲବାହୀ ଟ୍ରେନ ମଧ୍ୟରୁ ଗୋଟିଏ ଅନ୍ୟଟିକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ଟ୍ରେନ କ୍ଷତିଗ୍ରସ୍ତ ହେବାର ସହ ୧୨ଟି ବଗି ଲାଇନଚ୍ୟୁତ ହୋଇଯାଇଛି। ଓଣ୍ଡା ଷ୍ଟେସନରେ ଦୁର୍ଘଟଣା ଘଟିଥିବାରୁ ରେଳ ସେବା ପ୍ରଭାବିତ ହୋଇଛି।

ଦୁର୍ଘଟଣାରେ କିଛି ବଡ଼ ଅଘଟଣ ଘଟିନି। କିନ୍ତୁ ଗୋଟିଏ ମାଲବାହୀ ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ଲାଟଫର୍ମ ଓ ସିଗ୍ନାଲ ରୁମ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। 

Advertisment

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁର୍ଘଟଣା ପରେ ଗୋଟିଏ ମାଲବାହୀ ଟ୍ରେନ ଅନ୍ୟଟି ଉପରେ ଚଢ଼ି ଯାଇଛି। ସେହିପରି ୧୨ଟି ବଗି ଲାଇନଚ୍ୟୁତ ହୋଇ ତଳେ ପଡ଼ି ରହିଛି। ସ୍ଥାନୀୟ ଲୋକ ଓ ରେଳ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ରେଳବାଇ ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଯାକ ମାଲବାହୀ ଟ୍ରେନ ଖାଲି ରହିଥିଲା। କ’ଣ ପାଇଁ ଦୁଇ ଟ୍ରେନ ମଧ୍ୟରେ ଧକ୍କା ହେଲା, ତା’ର କାରଣ ଜଣାପଡ଼ିନି। ଘଟଣା ପରେ ଅଦ୍ରା ଡିଭିଜନରେ ଟ୍ରେନ ସେବା ପ୍ରଭାବିତ ହୋଇଛି।

ଅଦ୍ରା ଡିଭିଜନ ଅଧୀନରେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର, ବଙ୍କୁରା, ପୁରୁଲିଆ ଓ ବୃନ୍ଦାବନ ରହିଥିବା ବେଳେ ଝାରଖଣ୍ଡର ଧନବାନ, ବୋକାରୋ ଓ ସିଂହଭୂମୀ ରହିଛି। ଏହି ସବୁ ଜିଲ୍ଲାରେ ଟ୍ରେନ ସେବା ପ୍ରଭାବିତ ହୋଇଛି। ରେଳ ଅଧିକାରୀମାନେ ସ୍ଥିତିକୁ ସ୍ୱାଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଖୁବଶୀଘ୍ର ଯାତାୟାତ ସ୍ୱାଭାବିକ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାର ବାଲେଶ୍ୱର ଅନ୍ତର୍ଗତ ବାହାନଗାରେ ଜୁନ ୨ରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଏଥିରେ ୨୯୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

Odisha West Bengal Goods Train Accident