Bihar family stranded in jungle
ପୁଣି ଧୋକା ଦେଲା ଗୁଗୁଲ ମ୍ୟାପ୍। ଦେଖାଇଲା ଭୁଲ୍ ବାଟ। ପୂରା ପରିବାରକୁ ନେଇ ଜଙ୍ଗଲରେ ଛାଡ଼ିଦେଲା। ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକରେ। ବିହାରରୁ ଗୋଆ ଯାଉଥିବା ଏକ ପରିବାର ଗୁଗଲ୍ ମ୍ୟାପ୍ ମାୟାରେ ବାୟା ହୋଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଛନ୍ତି।
ନିକଟରେ ଗୁଗୁଲ ମ୍ୟାପ୍କୁ ଭରସା କରି ଅନେକ ଜୀବନ ଯାଇଛି। ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ପରିବାରକୁ ଗୁଗୁଲ ମ୍ୟାପ୍ ଉପରେ ଭରସା କରିବା ମହଙ୍ଗା ପଡିଛି। ଏମାନେ ବିହାରରୁ ଗୋଆ ଯାଉଥିଲେ। ହେଲେ ସଠିକ୍ ବାଟ ପାଇବା ପାଇଁ ଗୁଗୁଲ ମ୍ୟାପ୍ର ସାହାରା ନେଇଥିଲେ। ତେବେ ଗୁଗୁଲ ମ୍ୟାପ୍ର ଭୁଲ୍ ନେଭିଗେସନ୍ ହେତୁ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ଏମାନଙ୍କୁ ରାତି କଟାଇବାକୁ ପଡିଛି।
ଶର୍ଟକଟ୍ ପାଇଁ ଗୁଗୁଲ ମ୍ୟାପ୍ର ବ୍ୟବହାର କରିଥିଲେ ପରିବାର। ଏହାପରେ ଜଙ୍ଗଲ ଦେଇ ଏକ ଛୋଟ ରାସ୍ତା ଦେଖାଇଥିଲା। ଶିରୋଲି ଏବଂ ହେମାଡାଗା ନିକଟ ଜଙ୍ଗଲ ଦେଇ ଏକ ଛୋଟ ମାର୍ଗକୁ ନିର୍ଦ୍ଦେଶ ଦେଇଥିଲା ମ୍ୟାପ୍। ବିପଦ ବିଷୟରେ ଜାଣି ନ ଥିବାରୁ ପ୍ରାୟ ଆଠ କିଲୋମିଟର ଦୁର୍ଗମ ଜଙ୍ଗଲ ଅଞ୍ଚଳରେ ପ୍ରବେଶ କରିଥିଲେ ପୂର ପରିବାର।
ଏହାପରେ ଘଞ୍ଚ ଜଙ୍ଗଲ ଭିତରେ ସେମାନେ ବାହାରକୁ ଯିବାକୁ ଆଉ ବାଟ ପାଇନଥିଲେ। କେବଳ ସେତିକି ନୁହେଁ ମୋବାଇଲ୍ ନେଟ୍ଓ୍ୱର୍କ କନେକ୍ସନ ନଥିବାରୁ ହରଡଘଣାରେ ପଡିଥିଲେ। ବାହାରକୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତ ସଫଳ ହୋଇପାରି ନଥିଲେ। ତେଣୁ ବାଧ୍ୟ ହୋଇ ପୂରା ପରିବାରକୁ ଜଙ୍ଗଲ ଭିତରେ ହିଁ ରାତି ବିତାଇବାକୁ ପଡିଥିଲା।
ପରଦିନ ସକାଳେ, ୪ କିଲୋମିଟର ଚାଲିବା ପରେ ମୋବାଇଲ୍ ନେଟୱାର୍କ ପାଇଥିଲେ। ଏହାପରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ୧୧୨କୁ ଫୋନ କରିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରେ ଫସି ରହିଥିବା ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us