ମନରେଗା
ଇତିହାସ ପାଲଟିବ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଯୋଜନା ବା ମନରେଗା। ଏହା ବଦଳରେ ଆଉ ଗୋଟିଏ ନୂଆ ଗ୍ରାମୀଣ ନିଯୁକ୍ତି ଯୋଜନା ଲାଗୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏମଜିନରେଗା ବା ମନରେଗା ଯୋଜନା ବଦଳରେ ଆଉ ଗୋଟିଏ ସ୍କିମ ଲାଗୁ କରିବା ପାଇଁ ସରକାର ଶୀତ ଅଧିବେଶନରେ ବିଲ ଆଗତ କରିଛନ୍ତି।
୨୦୦୫ରୁ ମନରେଗା ଲାଗୁ ହେଉଥିବା ବେଳେ ହଠାତ୍ ଏହାକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ସମସ୍ତଙ୍କୁ ଚିକିତ କରିଛି। ସେହିପରି ବିରୋଧୀ ମଧ୍ୟ ଏହାକୁ ସଂସଦରେ ବିରୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
ସରକାର ଆଣିଥିବା ନୂଆ ବିଲର ନାଁ ହେଉଛି The Viksit Bharat Guarantee For Rozgar And Ajeevika Mission ବା ଗ୍ରାମୀଣ। ଏହାକୁ ଭିବି ଜି ରାମ ଜି ମଧ୍ୟ କୁହାଯାଉଛି। ଏହି ବିଲକୁ ସଂସଦର ଉଭୟ ସଦନରେ ପାରିତ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏଥିପାଇଁ ବିଜେପି ପକ୍ଷରୁ ସମସ୍ତ ସାଂସଦକୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରାଯାଇଛି। ସରକାରଙ୍କ କହିବା କଥା ଯେ ନୂଆ ବିଲ୍ରେ ବିକଶିକ ଭାରତ ୨୦୨୪ ଭିଜନକୁ ପୂରଣ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଛି।
ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟ ଆଇନ ୨୦୦୫କୁ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଲଞ୍ଚ କରିଥିଲେ। ଏହା ନରେଗା ନାଁରେ ପ୍ରଥମେ ପରିଚିତ ଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ବା ଏମଜିନରେଗା ବା ମନେରଗା ନାଁକୁ ପରିବର୍ତ୍ତନ କରାଯାଇଥିଲା।
ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକ ମଧ୍ୟରେ ଅତିକମରେ ୧୦୦ ଦିନ କାର୍ଯ୍ୟ ଯୋଗାଇ ଦେଇ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହି ଯୋଜନାକୁ ଲାଗୁ କରାଯାଇଥିଲା। ଏହା ସମୟକ୍ରମେ ସବୁଠାରୁ ବଡ଼ କେନ୍ଦ୍ରୀୟ ନିଯୁକ୍ତି ଯୋଜନାରେ ପରିଣତ ହୋଇଛି।
କାମ କରିବାକୁ ଚାହୁଁଥିବା ଗ୍ରାମାଞ୍ଚଳର ଲୋକଙ୍କୁ ସରକାର କାର୍ଯ୍ୟ ଯୋଗାଇ ଦେବା ସହ ସେମାନଙ୍କୁ ଏହି ଯୋଜନା ଅନୁସାରେ ମଜୁରୀ(MGNREGA Wage) ଦେଉଛନ୍ତି। ଗ୍ରାମାଞ୍ଚଳରେ କାମର ଅଭାବକୁ ଦୂର କରିବା ଓ ଲୋକଙ୍କ ଜୀବନକୁ ଅଧିକ ସ୍ୱାଭାବଲମ୍ବୀ କରିବାରେ ଏମଜିନରେଗା ବା ମନେରଗା ୨୦୦୫ରୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି।
୨୦୦୫ରୁ ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଶ୍ଚିତ ୧୦୦ ଦିନର କାମ ମିଳୁଥିଲା। ଏବେ କେନ୍ଦ୍ର ସରକାର ଗ୍ରାମୀଣ ଯୋଜନା ଜରିଆରେ ୧୨୫ ଦିନ କାମ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଖାଲି ସେତିକି ନୁହେଁ, ଲୋକଙ୍କୁ ମିଳିଥିବା କାମ ଶେଷ ହେବାର ଗୋଟିଏ ସପ୍ତାହ କିମ୍ବା ୧୫ ଦିନ ମଧ୍ୟରେ ମଜୁରୀ ବାବଦ ଟଙ୍କା ଦିଆଯିବ। ଯଦି ଟଙ୍କା ଠିକ ସମୟରେ ମିଳିବ ନାଁ, ତା’ହେଲେ ବିଲ୍ରେ ବେକାରୀ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।
ପ୍ରସ୍ତାବିତ ବିଲରେ ଏହି ଯୋଜନା ଅଧୀନରେ କାମକୁ ୪ଟି ବର୍ଗରେ ବିଭକ୍ତ କରାଯାଇଛି। ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପ୍ରଶମନ ଭଳି ୪ଟି ବର୍ଗରେ ଲୋକଙ୍କୁ କାମ ମିଳିବ। ଚାଷ ସମୟରେ ଏହି ସବୁ କାମ ଆଦୌ କରାଯିବ ନାହିଁ। କାରଣ ଏହି ସମୟରେ ଗ୍ରାମାଞ୍ଚଳର ଲୋକମାନେ ଚାଷ କାମରେ ବ୍ୟସ୍ତ ରହିବେ।
ଚାଷ କାମ ଶେଷ ହେବା ପରେ ଏହି ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦିଆଯିବ। ଯୋଜନାରେ ସ୍ୱଚ୍ଛତା ରଖିବା ପାଇଁ ବାୟୋମେଟ୍ରିକ ଓ ଜିଓଟ୍ୟାଗିଂକୁ ବ୍ୟବହାର କରାଯିବ। ସେହିପରି ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା ମଧ୍ୟ କରାଯାଇଛି।
ମନରେଗା ଓ ଗ୍ରାମୀଣ ଯୋଜନା ମଧ୍ୟରେ ଥିବା ପ୍ରମୁଖ ପାର୍ଥକ୍ୟକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏମଜିନରେଗା ଗୋଟିଏ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅଣକୁଶଳୀ ଶ୍ରମିକଙ୍କୁ ୧୦୦% ମଜୁରୀ ବାବଦ ଅର୍ଥ ଦେଉଛନ୍ତି। ରାଜ୍ୟ ସରକାର ଗୁଡ଼ିକ କୁଶଳୀ ଶ୍ରମିକଙ୍କ ନିଯୁକ୍ତି ଓ ସାମଗ୍ରୀର ବ୍ୟବସ୍ଥା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାର କିଛି ଅଂଶ ଦେଉଛନ୍ତି।
କିନ୍ତୁ ନୂଆ ଜି ରାମ ଜି ଯୋଜନାରେ କୁହାଯାଇଛି ଯେ କେନ୍ଦ୍ର ଓ ଅଧିକାଂଶ ରାଜ୍ୟ ସରକାର ୬୦:୪୦ ଅନୁପାତରେ ଖର୍ଚ୍ଚ ବହନ କରିବେ। ଉତ୍ତରପୂର୍ବ ଓ ହିମାଳୟୀ ରାଜ୍ୟରେ ଏହା ୯୦: ୧୦ ଅନୁପାତ ରହିବ। କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ୧୦୦% ରହିବ ବୋଲି ଜଣାପଡ଼ିଛି। ବାର୍ଷିକ ୧.୫୧ ଲକ୍ଷ କୋଟି ଖର୍ଚ୍ଚ ମଧ୍ୟରୁ କେନ୍ଦ୍ର ସରକାର ୯୫,୬୯୨ କୋଟି ଟଙ୍କାର ଅନୁଦାନ ଦେବେ।
ତେବେ କେନ୍ଦ୍ର ସରକାରଙ୍କ ଏପରି ପରିବର୍ତ୍ତନ ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରା। ନିଶ୍ଚିତ ଗ୍ରାମୀଣ ଯୋଜନାର ନାଁ ବଦଳାଇବାର ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “କାହିଁକି ସେମାନେ ମହାତ୍ମା ଗାନ୍ଧିଙ୍କ ନାଁ ହଟାଇବାକୁ ଚାହୁଁଛନ୍ତି? ମହାତ୍ମା ଗାନ୍ଧି ହେଉଛନ୍ତି ଭାରତ ବର୍ଷର ସବୁଠାରୁ ବଡ଼ ନେତା। ଯେତେବେଳେ ବି ଏପରି ନାଁ ପରିବର୍ତ୍ତନ ହୁଏ, ବିଭିନ୍ନ କାଗଜପତ୍ର କାମ ପାଇଁ ଅଯଥା ଖର୍ଚ୍ଚ ହୋଇଥାଏ। ଏହା ସତ୍ତ୍ୱେ ନାଁ ବଦଳାଇବାର ଉଦ୍ଦେଶ୍ୟ କ’ଣ? ସଂସଦ ଚାଲୁ ନାହିଁ। ସମୟ ଓ ଲୋକଙ୍କ ଟଙ୍କା ପାଣିରେ ପଡ଼ିବାରେ ଲାଗିଛି।”
ଅନ୍ୟତମ କଂଗ୍ରେସ ସାଂସଦ ରଣଜୀତ ରଞ୍ଜନଙ୍କ କହିବା କଥା ଯେ ପୂର୍ବରୁ ଜବାହର ଲାଲ ନେହରୁ ଓ ଇନ୍ଦିରା ଗାନ୍ଧିଙ୍କ ସହ ବିଜେପିର ସମସ୍ୟା ଥିଲା। ଏବେ ସେମାନଙ୍କ ସମସ୍ୟା ବାପୁଙ୍କ ସହ ରହିଥିବା ପୂରା ଦେଶ ଦେଖୁଛି।
ଏମଜିନରେଗା ଅଧୀନରେ କେମିତି ରାଜ୍ୟଗୁଡ଼ିକ ଠିକ ସମୟରେ ଟଙ୍କା ପାଇବେ, ସେକଥା ସେମାନେ କରିବା କଥା। ସେମାନେ ଏହାର କାର୍ଯ୍ୟ ଦିବସ ୧୦୦ରୁ ୧୫୦କୁ ବୃଦ୍ଧି କରନ୍ତୁ। ଯୋଜନାରେ ସଂସ୍କାର ଆଣନ୍ତୁ। ହେଲେ ଏହି ସରକାର କେବଳ ନାଁ ବଦଳାଇବା ଉପରେ ଫୋକସ କରୁଛି ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/15/mgnarega-2025-12-15-14-08-55.jpg)