Advertisment

ହାତଗଣ୍ଠି ପୂର୍ବରୁ ଚମ୍ପଟ ମାରିଲେ ବର; ଫେରିବା ପରେ ଅଟକ ରଖିଲେ କନିଆଁ ଘର

ଅଯୋଧ୍ୟାର ସୋହନଲାଲ ଯାଦବ ବାହାଘର କିଛି ଦିନ ପୂର୍ବରୁ ହଠାତ୍‌ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। ତାଙ୍କର କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକ ପୁଲିସ୍‌ରେ ଯୋଗାଯୋଗ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Groom

Groom

ସାମ୍ନାକୁ ଆସିଛି ଗୋଟିଏ ଅଜବ ଘଟଣା। ବରକୁ ପଣବନ୍ଦୀ କରିଛନ୍ତି କନ୍ୟା ଘର ଲୋକ। ବାହା ହେବାକୁ ଆସିଥିବା ବରକୁ କନ୍ୟା ଘର ଅଟକ ରଖି ଟଙ୍କା ମାଗିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁବକ ଜଣଙ୍କ ବର ବେଶରେ ବାହା ହେବାକୁ ଆସିଥିଲେ ହେଁ କନ୍ୟା ଘର ବାହାଘରକୁ ଭାଙ୍ଗି ଦେଇଛନ୍ତି। ଏଥିସହ ବାହାଘରର ପ୍ରସ୍ତୁତି ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଦାବି କରି ବରକୁ ବନ୍ଦୀ କରିଛନ୍ତି। ଉତ୍ତର ପ୍ରଦେଶର ଆମେଠିରୁ ଏପରି ଘଟଣା ସାମ୍ନାକୁ ଆସିଛି।

Advertisment

ଗତକାଲି ବାହାଘର ପୂର୍ବରୁ ଘଟିଥିବା ନାଟକୀୟ ଘଟଣା ଯୋଗୁ ପଣବନ୍ଦୀ ସ୍ଥିତି ଉପୁଜିଛି। ବର ହୋଇଥିବା ଅଯୋଧ୍ୟାର ସୋହନଲାଲ ଯାଦବ ବାହାଘର କିଛି ଦିନ ପୂର୍ବରୁ ହଠାତ୍‌ ଅନ୍ତର୍ଧ୍ୟାନ ହୋଇଯାଇଥିଲେ। ତାଙ୍କର କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକ ପୁଲିସ୍‌ରେ ଯୋଗାଯୋଗ କରିଥିଲେ।

ଏକଥା କନ୍ୟା ଘରକୁ ଜଣାନଥିଲା। ସେମାନେ ବାହାଘର ପାଇଁ ଭବ୍ୟ ଆୟୋଜନ କରିବାରେ ଲାଗିଥିଲେ। ବାହାଘର ଦିନ ଅତିଥିମାନେ ମଣ୍ଡପକୁ ଆସିଥିଲେ ହେଁ ବିଳମ୍ବିତ ରାତି ଯାଏ ବରର ଦେଖା ମିଳି ନଥିଲା।

Advertisment

ବିଳମ୍ବିତ ରାତିତରେ ସ୍ଥାନୀୟ ପୁଲିସ୍‌ କନ୍ୟା ଘର ଲୋକଙ୍କୁ ଥାନାକୁ ଡାକିଥିଲା। ସେଠାରେ ସେମାନେ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୁଲିସ୍‌ର ହସ୍ତକ୍ଷେପ ଯୋଗୁ ସୋହନଲାଲ ବାହା ହେବାକୁ ରାଜି ହେବା ସହ ବରଯାତ୍ରୀ ଧରି ରାତି ୨.୩୦ରେ କନ୍ୟା ଘରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ କନ୍ୟା ଘର ଲୋକ ମନ ବଦଳାଇ ସାରିଥିଲେ। ସେମାନେ ପ୍ରଥମେ ବର ଘର ଲୋକ ଓ ସୋହନଲାଲଙ୍କୁ ଖାଇବାକୁ ଦେଇଥିଲେ। ହେଲେ ବାହାଘର ଆଉ ହୋଇପାରିବ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।

ବାହାଘରକୁ ବାତିଲ କରିଥିବା କନ୍ୟା ଘର ଲୋକ ଏଥିପାଇଁ ଖର୍ଚ୍ଚ କରିଥିବା ଟଙ୍କା ବର ପକ୍ଷଙ୍କୁ ମାଗିଥିଲେ। ଏଥିସହ ସୋହନଲାଲଙ୍କୁ ମଣ୍ଡପରେ ଅଟକ ରଖିଥିଲେ।

ଫୁଲରେ ସଜିତ କାରରେ ଅଟକ ରହିଥିଲା ସୋହନଲାଲ କହିଛନ୍ତି, “କୌଣସି ସମସ୍ୟା ନାହିଁ। ଆମେ କେବଳ ବିଳମ୍ବରେ ଆସିଥିଲୁ। ଏବେ ସେମାନେ କହୁଛନ୍ତି ବାହାଘର ହୋଇ ପାରିବ ନାହିଁ। ବାହାଘର ବାବାଦ ଖର୍ଚ୍ଚ ଦେବାକୁ ସେମାନେ କହୁଛନ୍ତି। ସେମାନେ ମୋତେ ଛାଡ଼ୁ ନାହାନ୍ତି। ମୁଁ କେଉଁ ଆଡ଼େ ଅନ୍ତର୍ଧ୍ୟାନ ହୋଇ ନଥିଲି।

ମୁଁ ଲକ୍ଷ୍ନୌରେ ଥିଲି। ମୋ ଫୋନ ଖରାପ ହୋଇଯାଇଥିଲା। ଏହାକୁ ଠିକ କରିବା କ୍ଷଣି ପୁଲିସ୍‌ର ଫୋନ ଆସିଥିଲା ଓ ମୁଁ ଥାନାରେ ପହଞ୍ଚିଥିଲି। ମୁଁ ବାହାଘର ପାଇଁ ରାଜି। କିନ୍ତୁ ସେମାନେ ମନା କରୁଛନ୍ତି।”

କନ୍ୟାର ବାପା ଲାଲ ବାହାଦୂର ଯାଦବଙ୍କ କହିଛନ୍ତି, “ବାହାଘର ୧୦ ମାସ ତଳକୁ ଧାର୍ଯ୍ୟ ହୋଇଥିଲା। ତିଳକ ଉତ୍ସବର ୩ ଦିନ ପରେ ସୋହନଲାଲ ବାହା ହେବାକୁ ମନା କରି ଦେଇଥିଲେ। ଆମେ କାରଣ ପଚାରିବାରୁ ସେ କାର ମାଗିଥିଲେ। ଆମେ ଏଥିରେ ରାଜି ହୋଇଥିଲୁ। ଏହାପରେ ସେ କାର ବଦଳରେ ଟଙ୍କା ମାଗିଥିଲେ।

ସେଥିରେ ମଧ୍ୟ ଆମେ ଅରାଜି ହୋଇ ନଥିଲୁ। ଆଉ କିଛି ସମସ୍ୟା ଅଛି ବୋଲି ଆମେ ପଚାରିବାରୁ ସେ ମନା କରିଥିଲେ। ସବୁ କିଛି ଫାଇନାଲ ହେବା ପରେ ଆମେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲୁ।

ବାହାଘର ଦିନ ରାତିରେ ଅତିଥିମାନେ ଖାଇବା ପିଇବା କରି ବାହାରିଥିଲେ ମଧ୍ୟ ବରର ଦେଖା ନଥିଲା। ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ କିଛି ଲାଭ ମିଳି ନଥିଲା। ବରର ଘର ଅଞ୍ଚଳରେ ମୋ ସାଳକ ରୁହନ୍ତି। ସେ ଆମକୁ ପୁଲିସ୍‌ ଷ୍ଟେସନକୁ ଡାକିଥିଲେ। ଆମେ ସେଠାରେ ପହଞ୍ଚିବା ପରେ ସୋହନଲାଲଙ୍କୁ ପାଇଥିଲୁ।

ପୁଲିସ୍‌ ଯୌତକୁ ମାମଲାର ଧମକ ଦେବାରୁ ସେ ବାହାଘର ପାଇଁ ଚାପରେ ରାଜି ହୋଇଥିଲେ। ସେ ଯେତେବେଳେ ବର ଯାତ୍ରୀ ଧରି ଏଠାକୁ ଆସିଲେ ସେତେବେଳେ ଗାଁ ଲୋକ ତାଙ୍କୁ ମାରିବା ପାଇଁ ଉଠିଥିଲେ। ହେଲେ ମୁଁ ସମସ୍ତଙ୍କୁ ଅଟକାଇଥିଲି। ଆମେ ତାଙ୍କୁ ଖାଇବାକୁ ଦେଇଛୁ। ସେ ବାହାଘରର ୩ ଦିନ ପୂର୍ବରୁ ଅନ୍ତର୍ଧ୍ୟାନ ହୋଇଯାଇଥିଲେ।

ସେ ଆଉ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି। ଆମକୁ ସେ ଏକଥା ପୂର୍ବରୁ କହି ପାରିଥାଆନ୍ତେ। ଫଳରେ ଆମେ ବାହାଘର ପାଇଁ ଏତେ ସବୁ ଆୟୋଜନ କରି ନଥାଆନ୍ତୁ। ଆମେ ଖର୍ଚ୍ଚ କରିଥିବା ଟଙ୍କା ଏବେ ସୋହନଲାଲଙ୍କ ପରିବାର ଲୋକ ଦିଅନ୍ତୁ। ଏହାପରେ ଆମେ ତାଙ୍କୁ ଛାଡ଼ିବୁ। ଆମେ ଏ ବାହାଘର ଚାହୁଁନାହୁଁ। ସେ ବାହାଘର ପୂର୍ବରୁ ଧୋକା ଦେଇଛନ୍ତି। ଭବିଷ୍ୟତରେ ଆମେ ତାଙ୍କ ଠାରୁ କ’ଣ ଆଶା କରିବୁ।”

ପୁଲିସ କନ୍ୟା ଘରର ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ବାହାଘର ପାଇଁ ଆଦୌ ରାଜି ହୋଇ ନଥିଲେ।

Uttar Pradesh Police Groom Bride