Advertisment

କାଲିଠାରୁ ଲାଗୁହେବ ଜିଏସଟି ୨.୦, ତା’ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି କ’ଣ କହିଲେ ପ୍ରଧାନମନ୍ତ୍ରୀ

ଜିଏସ୍‌ଟି ୨.୦ରେ ୧୨% ଓ ୨୮% ସ୍ଲାବକୁ ହଟାଇ ଦିଆଯାଇଛି। କେବଳ ୫% ଓ ୧୮% ସ୍ଲାବକୁ ରଖାଯାଇଛି।

Narendra Modi

Narendra Modi

Advertisment

ଆସନ୍ତାକାଲିଠାରୁ ଜିଏସଟି ୨.୦ ଲାଗୁ ହେବାକୁ ଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିନ କରି GST ସଂସ୍କାର ଦେଶର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, ଜିଏସ୍‌ଟି ସଞ୍ଚୟ ଉତ୍ସବ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଫଳରେ ଆପଣମାନଙ୍କ ସଞ୍ଚୟ ବଢ଼ିବ। ଆପଣମାନେ ଆପଣମାନଙ୍କ ପ୍ରିୟ ଜିନିଷଗୁଡ଼ିକୁ କିଣିପାରିବେ। ଜିଏସ୍‌ଟି ସଂସ୍କାର ଯୋଗୁ ଗରିବ, ମଧ୍ୟବିତ୍ତ, ଯୁବବର୍ଗ, ମହିଳା ଓ ବ୍ୟବସାୟୀମାନେ ପ୍ରଚୁର ପରିମାଣରେ ଫାଇଦା ପାଇବେ। ଜିଏସ୍‌ଟି ସଂସ୍କାର ଦେଶର ଅଭିବୃଦ୍ଧିକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବ। ବ୍ୟବସାୟ କରିବା ସହଜ ହେବ। ନିବେଶକାରୀଙ୍କୁ ଏହା ଆକୃଷ୍ଟ କରିବ। ଦେଶର ବିକାଶରେ ପ୍ରତ୍ୟେକ ରାଜ୍ୟର ସମାନ ଭାଗିଦାରୀ ରହିବ ବୋଲି ଏହା ସୁନିଶ୍ଚିତ କରିବ।

ମୋଦି କହିଛନ୍ତି ଯେ ୨୦୧୭ରେ ତାଙ୍କ ସରକାର ଜିଏସ୍‌ଟି ଆଣି ଏକ ଐତିହାସିକ ପଦକ୍ଷେପ ନେଇଥିଲେ। ଦେଶର ହିତ ପାଇଁ ଜିଏସ୍‌ଟି ଲାଗୁ କରାଯାଇଥିଲା। ଆମେ ସମସ୍ତ ଷ୍ଟେକହୋଲ୍ଡରଙ୍କ ସହିତ ଆଲୋଚନା କରିଥିଲୁ। ରାଜ୍ୟମାନଙ୍କ କଥା ଶୁଣିଥିଲୁ। ତା’ପରେ ସମସ୍ତ ରାଜ୍ୟଙ୍କ ସମର୍ଥନରେ ଜିଏସ୍‌ଟିରେ ସଂସ୍କାର ଅଣାଯାଇ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ସଂସ୍କାର ଏକ ନିରନ୍ତର ପ୍ରକ୍ରିୟା। ସମୟ ବଦଳିବା ସହିତ ଦେଶର ଆବଶ୍ୟକତା ବଦଳିଥାଏ। ଏଣୁ ନେକ୍ସଟ୍‌ ଜେନେରେସନ (ପରବର୍ତ୍ତୀ ପିଢ଼ି) ସଂସ୍କାର ଜରୁରୀ।

Advertisment

ଜିଏସ୍‌ଟି ୨.୦ରେ ୧୨% ଓ ୨୮% ସ୍ଲାବକୁ ହଟାଇ ଦିଆଯାଇଛି। କେବଳ ୫% ଓ ୧୮% ସ୍ଲାବକୁ ରଖାଯାଇଛି। ପୂର୍ବରୁ ୧୨% ସ୍ଲାବରେ ଆସୁଥିବା ୯୯ ପ୍ରତିଶତ ସାମଗ୍ରୀ ୫% ସ୍ଲାବରେ ଅନ୍ତର୍ଭୁକ୍ତ ହେବ। ସେହିପରି ୨୮% ସ୍ଲାବରେ ଆସୁଥିବା ୯୦% ସାମଗ୍ରୀ ୧୨% ସ୍ଲାବର ଅନ୍ତର୍ଭୁକ୍ତ ହେବ। ବର୍ତ୍ତମାନ ଦାମୀ ଜିନିଷ ଓ ଶରୀରକୁ କ୍ଷତି ପହଞ୍ଚାଉଥିବା ଜିନିଷକୁ ଛାଡ଼ି ଏହି ଦୁଇଟି ସ୍ଲାବ (୫% ଓ ୧୮%) ସମସ୍ତ ଜିନିଷ ଓ ସେବା ଉପରେ ଲାଗୁ ହେବ। ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ସମସ୍ତ ଜିନିଷ, ଯେପରିକି କଫି, ଘିଅ, ବିସ୍କୁଟ, ତେଲ ଆଦି ଆସନ୍ତାକାଲିଠାରୁ ଶସ୍ତା ହୋଇଯିବ। ନୂଆ କାରଗୁଡ଼ିକ ଶସ୍ତା ହୋଇଯିବ। ମେଡିକାଲ ଇନସ୍ୟୁରାନ୍ସର ପ୍ରିମିୟମଗୁଡ଼ିକ ବି ଶସ୍ତା ହୋଇଯିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ପ୍ରାରମ୍ଭରେ ଆୟକରରେ ଛାଡ଼ (୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଇଛି) କରାଯାଇଥିଲା। ଆଉ ଏବେ ଜିଏସ୍‌ଟିରେ ସଂସ୍କାର କରାଯାଇଛି। ଏହି ଦୁଇଟି ପଦକ୍ଷେପ ଡବଲ ବୋନାଜା ସଦୃଶ ହୋଇଛି। ଯଦି ଆମେ ଆୟକର ଛାଡ଼ ଓ ଜିଏସ୍‌ଟି ଯୋଗୁ ଲୋକଙ୍କର ହେବାକୁ ଥିବା ସଞ୍ଚୟ ଆଦିକୁ ମିଶାଇ ଦେବା, ତା’ହେଲେ ଗୋଟିଏ ବର୍ଷରେ ସାଧାରଣ ଲୋକଙ୍କର ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ହେବ।

ଏହା ସହିତ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଦେଶବାସୀଙ୍କୁ ସ୍ୱଦେଶୀ ଜିନିଷ ବ୍ୟବହାର ପ୍ରତି ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆମକୁ ପ୍ରତ୍ୟେକ ଘରକୁ ସ୍ୱଦେଶୀର ପ୍ରତୀକ ବନାଇବାକୁ ପଡ଼ିବ। ସବୁ ଦୋକାନକୁ ସ୍ୱଦେଶୀ ଜିନିଷରେ ପୂର୍ଣ୍ଣ କରିବାକୁ ପଡ଼ିବ। ଗର୍ବର ସହିତ କୁହନ୍ତୁ, ‘ମୁଁ ସ୍ୱଦେଶୀ କିଣେ, ମୁଁ ସ୍ୱଦେଶୀ ବିକ୍ରି କରେ’। ଏହା ସମସ୍ତ ଭାରତୀୟଙ୍କ ମନୋଭାବ ହେବା ଉଚିତ।

ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟ ସରକାରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଏକାଠି କାମ କଲେ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe