Advertisment

ଗୁଜରାଟରୁ ପୁଣି ଜଣେ ନକଲି PMO ଅଧିକାରୀ ଧରାପଡ଼ିଲେ

ତିୱାରୀ ନିଜକୁ ନୂଆଦିଲ୍ଲୀରେ ଥିବା ପିଏମଓ କାର୍ଯ୍ୟାଳୟର ଜଣେ ନିର୍ଦ୍ଦେଶକ ଭାବେ ସମସ୍ତଙ୍କୁ ପରିଚୟ ଦେଇଥିଲେ। ଏହାପରେ ଗୁଜରାଟର ଗୋଟିଏ ଘରୋଇ ସ୍କୁଲ ସହ ଯୋଗାଯୋଗ କରିଥିଲେ।

author-image
Hemant Lenka
Gujarat

Gujarat

ପୁଣିଥରେ ଗୁଜରାଟରୁ ଧରା ପଡ଼ିଛନ୍ତି ଜଣେ ନକଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ଅଧିକାରୀ। ବ୍ୟକ୍ତି ଜଣଙ୍କ ନିଜକୁ ପିଏମଓର ଅଧିକାରୀ କହି ଗୋଟିଏ ଘରୋଇ ସ୍କୁଲରେ ନିଜର ଦୁଇ ପିଲାଙ୍କ ନାଁ ଲେଖାଇବା ସହ ନକଲି ପରିଚୟପତ୍ର ଦେଇ ବ୍ୟାପକ ଟଙ୍କା ହଡ଼କ କରିବାକୁ ଚେଷ୍ଟା କରୁଥିଲେ। ତେବେ ଏହି ନକଲି ପିଏଓ କର୍ମଚାରୀଙ୍କୁ ଗୁଜରାର ଭଦୋଦରା ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି।

Advertisment

ଗିରଫ ବ୍ୟକ୍ତି ଜଣଙ୍କ ହେଲେ ମୟଙ୍କ ତିୱାରୀ। ତାଙ୍କ ପୂର୍ବରୁ ଅହମଦାବାଦର ମୂଳବାସିନ୍ଦା କିରଣ ପଟେଲ ନିଜକୁ ପିଏମଓ ଅଧିକାରୀ କହି ସବୁ ପ୍ରକାରର ସୁବିଧା ସୁଯୋଗ ହାତେଇ ଥିଲେ। ପଟେଲ ଜମ୍ମୁ-କଶ୍ମୀରର ୫ଷ୍ଟାର ହୋଟେଲରେ ରହିବା ସହ ସୁରକ୍ଷା ବଳୟ ମଧ୍ୟରେ ଉପତ୍ୟକାରେ ଭ୍ରମଣ କରିଥିଲେ।

ପିଏମଓର ଅଧିକାରୀ ନାଁରେ କିରଣ ପଟେଲ ସମସ୍ତଙ୍କୁ ଧୋକା ଦେଇଥିଲେ। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ଗୁଜରାଟରୁ ଆଉ ଜଣେ ନକଲି ପିଏମଓ ଅଧିକାରୀ ମୟଙ୍କ ତିୱାରୀ ଧରାପଡ଼ିଛନ୍ତି।

Advertisment

ତିୱାରୀ ନିଜକୁ ନୂଆଦିଲ୍ଲୀରେ ଥିବା ପିଏମଓ କାର୍ଯ୍ୟାଳୟର ଜଣେ ନିର୍ଦ୍ଦେଶକ ଭାବେ ସମସ୍ତଙ୍କୁ ପରିଚୟ ଦେଇଥିଲେ। ଏହାପରେ ଗୁଜରାଟର ଗୋଟିଏ ଘରୋଇ ସ୍କୁଲ ସହ ଯୋଗାଯୋଗ କରିଥିଲେ। ତିୱାରୀ ୨୦୨୨ ମାର୍ଚ୍ଚରେ ସ୍କୁଲର ଟ୍ରଷ୍ଟୀଙ୍କ ସହ ଯୋଗାଯୋଗ କରି ନିଜର ଦୁଇ ପିଲାଙ୍କ ଆଡମିସନ ନିଶ୍ଚିତ କରିଥିଲେ।

ଜଣେ ଅଧିକାରୀ କହିଛନ୍ତି, ତିୱାରୀ ପ୍ରଥମେ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ତାଙ୍କ ବନ୍ଧୁଙ୍କ ଦୁଇ ପୁଅ କେମିତି ସ୍କୁଲରେ ଆଡମିସନ କରିପାରିବେ, ସେ ସମ୍ପର୍କରେ କଥା ହୋଇଥିଲେ। ତାଙ୍କ ବନ୍ଧୁ ଜଣେ ଆର୍ମି ଅଫିସର ଓ ତାଙ୍କର ବଦଳି ପୁଣେରୁ ଭଦୋଦରାକୁ ହୋଇଛି ବୋଲି କହିଥିଲେ। ଏକଥା ସ୍କୁଲ ନିର୍ଦ୍ଦେଶକ ଶୁଣିବା ପରେ ଟ୍ରଷ୍ଟୀଙ୍କୁ ଦେଖା କରିବାକୁ କହିଥିଲେ। ଏହି ସମୟରେ ତିୱାରୀଙ୍କ ହ୍ୱାଟସଆପ୍‌ ଷ୍ଟାଟସରେ ସେ ପିଏମଓ ଅଧିକାରୀ ବୋଲି ଉଲ୍ଲେଖ ରହିଥିଲା।

ଟ୍ରଷ୍ଟୀଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ତିୱାରୀ ତାଙ୍କୁ କହିଥିଲେ ଯେ ସେ ପିଏଓମର ସହାୟତା ନେଇ ସ୍କୁଲକୁ ରିସର୍ଚ୍ଚ କ୍ଷେତ୍ରରେ ସାମିଲ କରାଇବେ ଓ ବିଭିନ୍ନ ପ୍ରୋଜେକ୍ଟ ଆଣି ଦେବେ। ଏହା ବଦଳରେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ କଥା ସ୍କୁଲ ବୁଝିବ ବୋଲି ସେ ସର୍ତ୍ତ ରଖିଥିଲେ। ମିଛ କଥା କହି ତିୱାରୀ ଟ୍ରଷ୍ଟୀ ଓ ସ୍କୁଲ ନିର୍ଦ୍ଦେଶକଙ୍କ ବିଶ୍ୱାସ ଜିତିଥିଲେ। ଏହାପରେ ସ୍ପେଶାଲ କେସ୍‌ ଜରିଆରେ ସେ ସ୍କୁଲରେ ଦୁଇ ପିଲାଙ୍କ ନାଁ ମଧ୍ୟ ଲେଖାଇଥିଲେ।

କିନ୍ତୁ କିଛି ମାସ ପରେ ତିୱାରୀଙ୍କ ପିଏମଓ ଚାଲ୍‌କୁ ନେଇ ଟ୍ରଷ୍ଟୀଙ୍କ ସନ୍ଦେହ ଉପୁଜିଥିଲା। ତେଣୁ ସେ ଚୁପଚାପ ତିୱାରୀଙ୍କ ବିଷୟରେ ତଥ୍ୟ ଯୋଗାଡ଼ କରିବାରେ ଲାଗିଥିଲେ। ଶେଷରେ ତିୱାରୀ ମିଛ କଥା କହି ଏପରି କରିଥିବା ସେ ଜାଣିବାକୁ ପାଇଥିଲେ।

ଟ୍ରଷ୍ଟୀ ଗତ ମାସରେ ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ୱାଘୋଡିଆ ପୁଲିସ୍‌ ଶୁକ୍ରବାର ତିୱାରୀଙ୍କ ବିରୋଧରେ ମାମଲା କରିଥିଲା। ଏଥିସହ ତାଙ୍କୁ ଗିରଫ ମଧ୍ୟ କରିଥିଲା।

Gujarat PMO