Advertisment

ବିଲକିସ୍‌ ବାନୋ ମାମଲା: ଆତ୍ମସମର୍ପଣ କଲେ ୧୧ ଅଭିଯୁକ୍ତ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଅଭିଯୁକ୍ତ ଗତକାଲି ଆତ୍ମସମର୍ପଣ କରି ସାରିଛନ୍ତି।

author-image
Niharika Rout
Bilkis Bano

Bilkis Bano

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ, ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଅଭିଯୁକ୍ତ ଗତକାଲି ଆତ୍ମସମର୍ପଣ କରି ସାରିଛନ୍ତି। ସମସ୍ତ ଅଭିଯୁକ୍ତ ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଉପ-କାରଗାରରେ ଗତକାଲି ଆତ୍ମସମର୍ପଣ କରିଛନ୍ତି।

Advertisment

ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିଥିବା ବେଳେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ଦୁଇ ସପ୍ତାହ ଭିତରେ ଆତ୍ମସମର୍ପଣ କରିବାକୁ ସମସ୍ତ ଦୋଷୀଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। 

ମାତ୍ର ଅଭିଯୁକ୍ତମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ସ୍ୱାସ୍ଥ୍ୟ ଖରାପ ଥିବା, ନିକଟରେ ସର୍ଜରୀ ଆବଶ୍ୟକ ଥିବା ତଥା ପୁଅ, ଝିଅଙ୍କ ବିବାହ ଥିବାରୁ ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଥିଲେ। ମାତ୍ର ଏହି ସବୁ କାରଣ ସେତେ ଠୋସ୍‌ ହୋଇ ନ ଥିବା କହି ସୁପ୍ରିମ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଏହାପରେ ଗତ କାଲି ସମସ୍ତ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି।

Advertisment

ଅଗଷ୍ଟ ୨୦୨୨ରେ ଗୁଜରାଟ ସରକାର ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ତେବେ ସମୟ ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନେଇ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା।

ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ଜେଲ ପଠାଇବାକୁ ଦାବି କରାଯାଇଥିଲା। ଦ୍ୱିତୀୟଟିରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଖଲାସ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ସେହି ସମୟରେ ବିଲକିସ ବାନୋଙ୍କ ବୟସ ୨୧ ବର୍ଷ ଥିଲା ଓ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ଏହି ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧ ଜାନୁଆରୀ ୨୦୦୮ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ସମର୍ଥନ ଜଣାଇଥିଲେ।

Supreme Court Bilkis Bano Case