Advertisment

Love Marriage: ସରକାର ଆଣିବେ ନିୟମ: ପ୍ରେମ ବିବାହ ପାଇଁ ଜରୁରୀ ବାପା ମା’ଙ୍କ ଅନୁମତି

ବିବାହ ପଞ୍ଜିକରଣ ବେଳେ ଅଧିକାରୀମାନେ ବାଧ୍ୟତାମୂଳକ ଭାବେ ବର-କନ୍ୟାଙ୍କ ବାପା ମା’ଙ୍କୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଇବେ। ବାପା ମା’ଙ୍କ ବିନା ଅନୁମତିରେ କୌଣସି ବିବାହକୁ ସ୍ୱୀକୃତି ମିଳିବ ନାହିଁ ବୋଲି ସରକାର କହିଛନ୍ତି।

author-image
Hemant Lenka
Love

ପ୍ରେମ ବିବାହ

ମନଇଚ୍ଛା ପ୍ରେମୀ ଯୁଗଳ କରୁଥିବା ବିବାହ ଉପରେ ଲାଗିବ ରୋକ। ଆଉ ନିଜ ଇଚ୍ଛାରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିପାରିବେ ନାହିଁ ପ୍ରେମପକ୍ଷୀ। ପ୍ରେମ ବିବାହ(Love Marriage) ପାଇଁ ପ୍ରେମୀ ଯୁଗଳଙ୍କୁ ଦରକାର ପଡ଼ିବ ପରିବାର ଲୋକଙ୍କ ସହମତି। ବାପା ମା’ କିମ୍ବା ପରିବାର ଲୋକଙ୍କ ବିନା ଅନୁମତିରେ ସେମାନେ ଆଉ ବିବାହ କରିପାରିବେ ନାହିଁ।

Advertisment

ଏପରି ଏକ ନିୟମ ଲାଗୁ କରିବାକୁ ଯାଉଛନ୍ତି ଗୁଜରାଟ ସରକାର। ଗୁଜରାଟରେ ହେଉଥିବା ଯେକୌଣସି ବିବାହ କେବଳ ଦମ୍ପତିଙ୍କ ବାପା ମା’ଙ୍କ ସହମତିରେ ହିଁ ହେବ। ସରକାର ଏନେଇ ଚିନ୍ତା କରୁଥିବା ବେଳେ ରାଜ୍ୟରେ ପ୍ରଚଳିତ ବିବାହ ପଞ୍ଜିକରଣ ନିୟମରେ ସଂଶୋଧନ କରିବାକୁ ବିଚାର କରୁଛନ୍ତି।

ଗୁଜରାଟ ବିବାହର ପଞ୍ଜିକରଣ ଆଇନରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସରକାର। ପରବର୍ତ୍ତନ କରି ସରକାର ଏମିତି ଏକ ପ୍ରାବଧାନ ଯୋଡ଼ିବାକୁ ଚାହୁଁଛନ୍ତି ଯେଉଁଥିରେ ପୁଅ-ଝିଅ ବାହାଘର ସମ୍ପର୍କରେ ନିଜ ବାପା ମା’ କିମ୍ବା ପରିବାର ଲୋକଙ୍କୁ ଜଣାଇଛନ୍ତି କି ନାହିଁ, ସେକଥା ଘୋଷଣା କରିବେ। ସେହିପରି ବିବାହ ପଞ୍ଜିକରଣ ବେଳେ ଅଧିକାରୀମାନେ ବାଧ୍ୟତାମୂଳକ ଭାବେ ବର-କନ୍ୟାଙ୍କ ବାପା ମା’ଙ୍କୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଇବେ। ବାପା ମା’ଙ୍କ ବିନା ଅନୁମତିରେ କୌଣସି ବିବାହକୁ ସ୍ୱୀକୃତି ମିଳିବ ନାହିଁ ବୋଲି ସରକାର କହିଛନ୍ତି। 

Advertisment

ଶୁକ୍ରବାର ରାଜ୍ୟ ବିଧାନସଭା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏପରି ପ୍ରସ୍ତାବ ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରେମୀ ଯୁଗଳ ଫେରାର ଓ ଲଭ ଜିହାଦ ଭଳି ଘଟଣାରେ ବିବାହ ପଞ୍ଜିକରଣ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସରକାର ଏପରି ପଦକ୍ଷେପ ନେବାକୁ ଚାହୁଁଛନ୍ତି। 

ଗୁଜରାଟର ଉପ ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀ ହର୍ଷ ସାଙ୍ଘଭୀ ନିଜେ ବିଧାନସଭାରେ ଏହି ପ୍ରସ୍ତାବ ସମ୍ପର୍କରେ ଘୋଷଣା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନିରୀହ ଝିଅମାନଙ୍କୁ ଫସା ଯାଉଛି ଓ ଏପରି ଘଟଣା ସମାଜରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ତେଣୁ ସରକାର ଏହାକୁ ଆଉ ଅଣଦେଖା କରିପାରିବେ ନାହିଁ। 

ତେବେ ଗୁଜରାଟଙ୍କ ସରକାରଙ୍କ ପ୍ରସ୍ତାବିତ ସଂଶୋଧନ ସମ୍ଭବତଃ ଆଇନ ଜାଲରେ ଫସିପାରେ। କାରଣ ସୁପ୍ରିମକୋର୍ଟ ନିୟମିତ ଭାବେ କହି ଆସିଛନ୍ତି ଯେ ସହମତି ଭିତିରେ ଦୁଇ ଜଣ ପ୍ରାପ୍ତବୟସ୍କ ବିବାହ କରିବା ସମ୍ବିଧାନର ମୌଳିକ ଅଧିକାର ଶ୍ରେଣୀରେ ଆସୁଛି। 

ହାଦିୟା ମାମଲାରେ ସୁପ୍ରିମକୋର୍ଟ ନିଜର ଐତିହାସିକ ରାୟରେ କହିଥିଲେ ଯେ ବାପା-ମା’ଙ୍କ ପାଖରେ ଥିବା ପିଲାଙ୍କ ସୁରକ୍ଷା ଅଧିକାର ଉଲ୍ଲଙ୍ଘନ ହେଉଥିଲେ ହେଁ ପ୍ରାପ୍ତ ବୟସ୍କ ଭାରତୀୟ ସେମାନଙ୍କ ଜୀବନ ସାଥୀ ନିଜ ଇଚ୍ଛାରେ ବାଛି ପାରିବେ।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ବିବାହ କରିବା କିମ୍ବା ବିବାହ ନ କରିବା ଓ କାହାକୁ ବିବାହ କରିବାର ନିଷ୍ପତ୍ତି ସରକାରଙ୍କ ନିୟନ୍ତ୍ରଣ ବାହାରେ। ସରକାର ଏହାକୁ ନିୟନ୍ତ୍ରଣ କରିପାରିବେ ନାହିଁ। ୨୦୧୮ରେ ସୁପ୍ରିମକୋର୍ଟ କେଳର ହାଦିୟା ମମଲାରେ ଏପରି କହିଥିଲେ। ଏବେ ଗୁଜରାଟ ସରକାରଙ୍କ ପ୍ରସ୍ତାବ ଆଇନକୁ ସମସ୍ତେ ଉକ୍ତ ରାୟ ଆଧାରରେ କାଉଣ୍ଟର ମଧ୍ୟ କରୁଛନ୍ତି।

ପ୍ରମୁଖ ପ୍ରସ୍ତାବିତ ପରିବର୍ତ୍ତନ  

ମନ୍ତ୍ରୀଙ୍କ ଅଫିସ ପକ୍ଷରୁ ସାର୍ବଜନୀନ ହୋଇଥିବା ଡ୍ରାଫ୍ଟ ରୁଲରେ କୁହାଯାଇଛି ଯେ ପ୍ରତିଟି ବିବାହ ପଞ୍ଜିକରଣ ଆବେଦନ ନିଶ୍ଚିତ ଭାବେ ଜଣେ ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ ହେବ। ବର ଓ କନ୍ୟା ସେମାନଙ୍କ ବାହାଘର ସମ୍ପର୍କରେ ବାପା ମା’ଙ୍କୁ ଜଣାଇଛନ୍ତି କି ନାହିଁ, ସେକଥା ମଧ୍ୟ ଗୋଟିଏ ଘୋଷଣାପତ୍ର ଜରିଆରେ ଅବଗତ କରାଇବେ। 

ଆବେଦନକାରୀ ନାଁ, ଠିକଣା, ଆଧାର ତଥ୍ୟ ଓ ବାପା ମା’ଙ୍କୁ ଯୋଗାଯୋଗ କରିବା ଉପଲବ୍ଧ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିବେ। ଆସିସଷ୍ଟାଣ୍ଟ ରେଜିଷ୍ଟ୍ରାର ଆବେଦନରେ ସନ୍ତୁଷ୍ଟ ହେବା ପରେ ୧୦ଟି କାର୍ଯ୍ୟ ଦିବସ ମଧ୍ୟରେ ବର-କନ୍ୟାଙ୍କ ବାପା ମା’ଙ୍କୁ ଅବଗତ କରାଇବେ।

ଏହାପରେ ଆବେଦନକୁ ବିଭାଗୀୟ ଜିଲ୍ଲା କିମ୍ବା ତାଲୁକାର ରେଜିଷ୍ଟ୍ରାରଙ୍କ ନିକଟକୁ ପଠାଯିବ। ଯଦି ସବୁ କିଛି ଆବଶ୍ୟକତା ପୂରଣ ହେବ, ତା’ହେଲେ ୩୦ ଦିନ ପରେ ବାହାଘର ପଞ୍ଜିକରଣ ହେବ। ବାହାଘର ସଂକ୍ରାନ୍ତ ସମସ୍ତ ତଥ୍ୟ ଗୋଟିଏ ସରକାରୀ ପୋର୍ଟଲାରେ ଅପଲୋଡ ମଧ୍ୟ କରାଯିବ। 

ନିୟମ ଅନୁସାରେ ଗୋଟିଏ ବାହାଘର ପ୍ରମାଣପତ୍ର ରେଜିଷ୍ଟ୍ରାରଙ୍କ ଯାଞ୍ଚର ୩୦ ଦିନ ପରେ ମିଳିଥାଏ। ତେବେ ଯଦି ବାପା –ମା’ ବାହାଘର ବିରୋଧରେ ଆପତ୍ତି ଉଠାନ୍ତି, ତା’ହେଲେ କ’ଣ ହେବ ସେକଥା ଜଣାପଡ଼ିନି। 

Love Marriage