Advertisment

୨ ନୂଆ ନିର୍ବାଚନ କମିଶନରଙ୍କୁ ମିଳିଲା ନିଯୁକ୍ତି, ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନରଙ୍କୁ ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା।

author-image
Hemant Lenka
EC

EC

ନିର୍ବାଚନ କମିଶନରେ ଖାଲି ପଡ଼ିଥିବା ପଦରେ ୨ ଜଣଙ୍କୁ କମିଶନର ଭାବେ ନିଯୁକ୍ତି ମିଳିଛି। ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନରଙ୍କୁ ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗ ଦେଇଥିଲେ।

କମିଟି ଚୟନ କରିଥିବା ୨ଟି ନାଁକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ୨ ଜଣଙ୍କ ନାଁରେ ମୋହର ମାରିଛନ୍ତି। ଏହାର ଅର୍ଥ ଶ୍ରୀ ସିଂହ ଓ ଶ୍ରୀ କୁମାର ଦେଶର ନିର୍ବାଚନ କମିଶନର ଭାବେ କାମ କରିବେ। ରାଜୀବ କୁମାର ପୂର୍ବଭଳି ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ସମ୍ପାଦନ କରିବେ। ଏମାନେ ୩ ଜଣ ଲୋକସଭା ନିର୍ବାଚନ ପରିଚାଳନା କରିବେ।

Advertisment

ବୈଠକ ପୂର୍ବ ୨୧୨ ଜଣଙ୍କ ନାମ ଉପସ୍ଥାପନ କରାଯାଇଥିଲା। ତେବେ ବୈଠକ ଆରମ୍ଭ ହେବାର ୧୦ ମିନିଟ୍ ପୂର୍ବରୁ ୬ଟି ନାଁ ଅଧୀରଙ୍କ ପାଖକୁ ଆସିଥିଲା। ସୁଖବୀର ସିଂହ ସାନ୍ଧୁ, ଜ୍ଞାନେଶ କୁମାର, ଉତ୍ପଲ କୁମାର ସିଂହ, ପ୍ରଦୀପ କୁମାର ତ୍ରିପାଠୀ, ଇନ୍ଦୀବର ପାଣ୍ଡେ, ଓ ଗଙ୍ଗାଧର ରାହତଙ୍କ ନାଁ ଏଥିରେ ସାମିଲ ଥିଲା। ୧୦ ମିନିଟ୍‌ ଭିତରେ ଦୁଇ ଜଣଙ୍କ ନାଁ ଚୟନ କରାଯାଇଥିଲା।

ଏହାକୁ ନେଇ ଅଧୀର ଆପତ୍ତି ଉଠାଇଥିଲେ। ବିଜେପିର ସଂଖ୍ୟା ଗରିଷ୍ଠତା ଅଛି। ତେଣୁ ସେମାନେ ଯାହାକୁ ଚାହୁଁଥିଲେ ସେହି ପ୍ରାର୍ଥୀଙ୍କୁ ଚୟନ କଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ଗତ ମାସ ସରିଥିଲା। ସେ ଅବସର ନେବା ପରେ ଗୋଟିଏ ପଦବୀ ଖାଲି ପଡିଥିଲା। ଏହାର କିଛି ଦିନ ପରେ ହଠାତ୍ ଇସ୍ତଫା ଦେଇଥିଲେ ଅରୁଣ ଗୋଏଲ।

Election Election Commissioner Election Commission Of India