Advertisment

ଜ୍ଞାନବ୍ୟାପି ମସଜିଦ ସର୍ଭେ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ସବୁ ପ୍ରକାରର ସର୍ଭେ ଉପରେ ରୋକ ଲଗାଇ ଦେଇଛନ୍ତି।

Masjid

Masjid

Advertisment

ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବ୍ୟାପି ମସଜିଦରେ ଆଜି ସକାଳୁ ଆରମ୍ଭ ହୋଇଥିବା ସର୍ଭେ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ଆଜି ସକାଳୁ ଏଏସ୍‌ଆଇର ପ୍ରାୟ ୩୮ ଜଣ ସଦସ୍ୟ ଜ୍ଞାନବ୍ୟାପି ମସଜିଦରେ ପହଞ୍ଚି ସାଇଣ୍ଟିଫିକ୍‌ ସର୍ଭେ ଆରମ୍ଭ କରିଥିଲେ।

Advertisment

ସର୍ଭେ ସମୟରେ ଏହି ଐତିହାସିକ ମସଜିଦକୁ କାଳେ ସେମାନେ ଖୋଳିଦେବେ, ଏଥିପାଇଁ ମସଜିଦ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି କରି ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ସବୁ ପ୍ରକାରର ସର୍ଭେ ଉପରେ ରୋକ ଲଗାଇ ଦେଇଛନ୍ତି।

ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଥିବା ଏହି ଜ୍ଞାନବ୍ୟାପି ମସଜିଦରେ ସର୍ଭେ କରିବାକୁ ତଳ କୋର୍ଟ ଏଏସ୍‌ଆଇକୁ କହିଥିଲେ। କିନ୍ତୁ ଏବେ ସର୍ବୋଚ୍ଚ ଅଦାଲତ ଏହା ଉପରେ ରୋକ ଲଗାଇଛନ୍ତି।

Advertisment

ଶୁଣାଣି ବେଳେ କେନ୍ଦ୍ର ସରକାର ସର୍ଭେ ସପକ୍ଷରେ ମତ ରଖିଥିଲେ। ମସଜିଦକୁ କୌଣସି ପ୍ରକାରର କ୍ଷତି ପହଞ୍ଚା ଯିବନାହିଁ ଓ ଏଯାଏ ଏହାର ଗୋଟିଏ ହେଲେ ଇଟାକୁ କଢ଼ା ଯାଇନି କିମ୍ବା କାଢ଼ିବାକୁ ଯୋଜନା ନଥିବା ସର୍ବୋଚ୍ଚ ଅଦାଲତକୁ ଜଣାଇଥିଲେ।

ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟଙ୍କୁ କହିଛନ୍ତି, ସର୍ଭେ ବେଳେ କେବଳ ସୀମା ମପା ଯିବ, ଫଟୋ ଉଠାଯିବ ଓ ରାଡରର ଯାଞ୍ଚ କରାଯିବ। ଏହାକୁ ରେକର୍ଡ କରି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ “ଯାହା ଜଣାପଡ଼ୁଛି ଏଏସ୍‌ଆଇ ବର୍ତ୍ତମାନ ସ୍ଥିତିରେ ଖୋଳାଖୋଳି କରିବା ମୁଡରେ ନାହିଁ। ଆମେ ଏଏସ୍‌ଆଇର ବୟାନକୁ ରେକର୍ଡ କରୁଛୁ। ସପ୍ତାହ ଯାଏ ଏଏସ୍‌ଆଇ ମସଜିଦ ମଧ୍ୟରେ କୌଣସି ପ୍ରକାରର ଖନନ କରିବ ନାହିଁ ବୋଲି କହିଛି।”

ସର୍ବୋଚ୍ଚ ଅଦାଲତ ମସଜିସ କମିଟିକୁ ସର୍ଭେ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ସିଜେଆଇ କହିଛନ୍ତି, “ମସଜିଦ କମିଟିକୁ ନିଃଶ୍ୱାସ ନେବାକୁ କିଛି ସମୟ ମିଳିବା ଦରକାର। ଆମେ ମସଜିଦ କମିଟିକୁ ଆବେଦନ ପାଇଁ ସମୟ ଦେବା ସହ ଜିଲ୍ଲା କୋର୍ଟଙ୍କ ରାୟକୁ ଜୁଲାଇ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ କାର୍ଯ୍ୟକାରୀ ନ କରିବାକୁ କହୁଛୁ।

ଯଦି ଆବେଦନକାରୀ ହାଇକୋର୍ଟଙ୍କୁ ଯାଆନ୍ତି, ତା’ହେଲେ ହାଇକୋର୍ଟର ରେଜିଷ୍ଟାର ଏହାକୁ ଶୁଣାଣି ପାଇଁ ତାଲିକା ଭୁକ୍ତ କରିବେ। ଆଜି ଦିଆଯାଇଥିବା ନିର୍ଦ୍ଦେଶର ସମୟସୀମା ସରିବା ପୂର୍ବରୁ ହିଁ ଆବେଦନର ଶୁଣାଣି ପାଇଁ ବ୍ୟବସ୍ଥା କରିବେ।” ସିଜେଆଇଙ୍କ ବ୍ୟତୀତ ଖଣ୍ଡପୀଠରେ ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ରହିଛନ୍ତି।

ଜ୍ଞାନବ୍ୟାପୀ ମସଜିଦ ମଧ୍ୟରେ ଥିବା ହିନ୍ଦୁ ଦେବଦେବୀଙ୍କ ନିୟମିତ ପୂଜାର୍ଚ୍ଚନା କରିବା ଦାବିରେ କିଛି ହିନ୍ଦୁ ମହିଳା ୨୦୨୧ରେ ଉତ୍ତର ପ୍ରଦେଶର ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଜିଲ୍ଲା କୋର୍ଟ ଏହାର ଶୁଣାଣି କରି ଭିଡିଓ ସର୍ଭେ ପାଇଁ କହିଥିଲେ। ସର୍ଭେ ବେଳେ ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋକୁ ଦେଖି କିଛି ଲୋକ ମସଜିଦ ଭିତରେ ଶିବଲିଙ୍ଗ ଥିବା ଦାବି କରିଥିଲେ।

ତେବେ ଏହାକୁ ମସଜିଦ କମିଟି ବିରୋଧ କରିବା ସହ ଏହା ୱଜୁଖାନାରେ ଥିବା ଗୋଟିଏ ଫାଉଣ୍ଟେନର ଅଂଶ ବିଶେଷ ବୋଲି କହିଥିଲା। ପ୍ରାର୍ଥନା ପୂର୍ବରୁ ଏଠାରେ ଇସଲାମ ଧର୍ମର ଲୋକମାନେ ହାତ ଓ ଗୋଡ଼ ଧୋଇ ଥାଆନ୍ତି। ଘଟଣାର ଗୁରୁତ୍ୱକୁ ଦେଖି ସୁପ୍ରିମକୋର୍ଟ ୱଜୁଖାନାକୁ ଅଞ୍ଚଳକୁ ସିଲ୍‌ କରି ଦେଇଥିଲେ।

ଏବେ ପୁଣି ଜିଲ୍ଲା କୋର୍ଟ ବିବାଦୀୟ ଅଞ୍ଚଳକୁ ଛାଡ଼ି ଜ୍ଞାନବ୍ୟାପିରେ ସର୍ଭେ କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ।

Uttar Pradesh ASI Gyanvapi Masjid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe