Advertisment

ରାତି ପାହିଲେ ପୁଅ ସାଜିଥାନ୍ତା ବର, ଛୁରୀ ଭୁଷିଦେଲା ବାପା

ବିବାହ ପୂର୍ବ ଦିନ ହିଁ ସବୁ ଦିନ ପାଇଁ ନିଜ ପୁଅକୁ ଆରପାରିକୁ ପଠାଇଦେଲା। ଅତି ନିର୍ମମ ଭାବେ ଛୁରୀ ଭୁଷି ଭୁଷି ବାପା ନେଇଗଲା ପୁଅର ଜୀବନ ।

author-image
Niharika Rout
Murder

Murder

ରାତି ପାହିଲେ ବର ବେଶରେ ସଜେଇ ହୋଇଥାନ୍ତା ପୁଅ। ମୁଣ୍ଡରେ ପିନ୍ଧିଥାନ୍ତା ପଗଡ଼ି । ଆଉ ବରଯାତ୍ରୀ ଧରି ଯାଇଥାନ୍ତା କନିଆଁକୁ ଅଣିବାକୁ । ହେଲେ ପୁଅର ଖୁସିକୁ ସହି ପାରିଲାନି ବାପା। ବିବାହ ପୂର୍ବ ଦିନ ହିଁ ସବୁ ଦିନ ପାଇଁ ନିଜ ପୁଅକୁ ଆରପାରିକୁ ପଠାଇଦେଲା। ଅତି ନିର୍ମମ ଭାବେ ଛୁରୀ ଭୁଷି ଭୁଷି ବାପା ନେଇଗଲା ପୁଅର ଜୀବନ । ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

Advertisment

ଜଣେ ୨୯ ବର୍ଷୀୟ ଜିମ୍‌ ମାଲିକଙ୍କ ହତ୍ୟା ମାମଲାରେ ପୁଲିସ୍‌ ତାଙ୍କ ବାପାଙ୍କୁ ବାନ୍ଧିଛି। ମୃତକଜଣକ ହେଲେ ଗୌରବ ସିଂଘଲ । ଗୌରବଙ୍କ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ବାପା ରଙ୍ଗଲାଲ ସିଂଘଲଙ୍କୁ ଗିରଫ କରିଛି।

ଗୌରବଙ୍କ ବିବାହ ନିମନ୍ତେ ଘରେ ବନ୍ଧୁବାନ୍ଧବ ଭର୍ତ୍ତି ହୋଇ ଯାଇଥିଲେ। ବ୍ୟାଣ୍ଡ ବାଜା ବାଜି ଆଖପାଖ ଅଞ୍ଚଳ ଫାଟି ପଡ଼ୁଥିଲା। ସଙ୍ଗୀତ ସେରିମନି ପାଇଁ ବି ପ୍ରସ୍ତୁତି ଚାଲିଥିଲା।

Advertisment

ଏହି ସମୟରେ ଘରେ ଥିବା ଗୌରବ ଓ ତାଙ୍କ ବାପାଙ୍କ ମଧ୍ୟରେ ବଚସା ହୋଇଥିଲା। ପୁଅ ସବୁବେଳେ ଅପମାନିତ କରୁଥିବାରୁ ତା’ ଉପରେ ଉତ୍ତ୍ୟକ୍ତ ହୋଇଥିଲେ ରଙ୍ଗଲାଲ । ଏହାପରେ ବାଜା, ବାଣ ଯୋଗୁ ବାହାରକୁ ଶବ୍ଦ ଶୁଭୁ ନ ଥିବା ବେଳେ ଏହାର ସୁଯୋଗ ନେଇ ରଙ୍ଗଲାଲ ନିଜ ପୁଅକୁ ବାରମ୍ବାର ଛୁରୀରେ ଆକ୍ରମଣ କରିବାକୁ ଲାଗିଲେ। ରଙ୍ଗଲାଲ ନିଜ ପୁଅର ମୁହଁ ଓ ଛାତିରେ ପ୍ରାୟ ୧୫ରୁ ଅଧିକ ଥର ଛୁରୀ ଭୁଷିଥିବା ଜଣାଯାଇଛି। ଫଳରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ଗୌରବଙ୍କ ମୃତ୍ୟୁ ହୋଇ ଯାଇଥିଲା।

ପରିବାର ଲୋକେ ବହୁ ଖୋଜାଖୋଜି ପରେ ରୁମ୍‌ ଚଟାଣରେ ଗୌରବଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଗୌରବଙ୍କ ପିତା ଫେରାର ହୋଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ପୁଅ ଦ୍ୱାରା ବାରମ୍ବାର ଅପମାନିତ ହେବା ପରେ ଏପରି ଚରମ ପଦକ୍ଷେପ ଉଠାଇଥିବା ରଙ୍ଗଲାଲ ପୁଲିସ୍‌ ନିକଟରେ ସ୍ୱୀକାର କରିଛନ୍ତି।

Murder Delhi