Advertisment

ପାକ୍‌ ସେନାରେ କାମ କରୁଥିଲା ପହଲଗାମ ନରରାକ୍ଷସ ହାଶିମ ମୁସା!

ପହଲଗାମ ନରସଂହାର ଘଟଣାରେ ହାଶିମ ସାମିଲ ଥିଲେ ହେଁ ତା’କୁ ଜୀବନ୍ତ ଧରିବାକୁ ସୁରକ୍ଷାକର୍ମୀ ଉଦ୍ୟମ କରୁଛନ୍ତି।

author-image
Hemant Lenka
Hashim Mossa

Hashim Mossa

ଜମ୍ମୁ-କଶ୍ମୀରର ପହଲଗାମରେ ଥିବା ବୈସାରନ ଭ୍ୟାଲି ନରସଂହାର ଘଟଣାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ତଥ୍ୟ। ଆକ୍ରମଣରେ ସାମିଲ ଥିବା ୪ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପାକିସ୍ତାନୀ ଓ ଜଣେ ସ୍ଥାନୀୟ ଆତଙ୍କୀ। ଏମାନେ ମିଳିତ ଭାବେ ପାକିସ୍ତାନରେ ବସିଥିବା ସେମାନଙ୍କ ଆକ୍କାର ନିର୍ଦ୍ଦେଶରେ ପହଲଗାମରେ ନରସଂହାର କରିଥିଲେ। ଏଥିରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଘୋଡ଼ା ବାଲାଙ୍କ ମୃତ୍ୟୁ ହୋଇଛି।

Advertisment

ପହଲଗାମ ନରସଂହାରର ବଦଲା ନେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଏବେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିବା ୩ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିଛି। ୩ ଜଣଙ୍କ ମଧ୍ୟରୁ ୨ ଜଣ ହେଲେ- ଲସ୍କର-ଇ-ତାଏବାର ମୁଖ୍ୟ ହାଫିଜ ସୟିଦ ଓ ତା’ର ଡେପୁଟି ସୈଫୁଲ୍ଲା କସୁରୀ। ଏବେ ଉଭୟ ପାକିସ୍ତାନରେ ଅଛନ୍ତି। ପହଲଗାମ ନରସଂହାରର ତୃତୀୟ ଆତଙ୍କବାଦୀ ହେଲା ହାଶିମ ମୁସା। ସେ ପହଲଗାମ ନରସଂହାରର ଯୋଜନା କରିବା ସହ ଘଟଣା ବେଳେ ବୈସାରନ ଭ୍ୟାଲିରେ ଉପସ୍ଥିତ ଥିଲା। ସେ ଆକ୍ରମଣ ପରେ ମଧ୍ୟ ଜମ୍ମୁ-କଶ୍ମୀରର ଲୁଚି ରହିଛି। ତା’କୁ ଧରିବା ପାଇଁ ସୁରକ୍ଷାକର୍ମୀ ଦିନ ରାତି ଏକ କରି ଦେଇଛନ୍ତି।

ସୁରକ୍ଷା ଏଜେନ୍ସି ସୂତ୍ରରୁ ମିଳିଥିବା ଖବର ଅନୁସାରେ, ହାଶିମ ମୁସା ଦକ୍ଷିଣ କଶ୍ମୀରରେ ଥିବା କୌଣସି ଜଙ୍ଗଲ ଭିତରେ ରହିଛି। ତା’କୁ କାବୁ କରିବା ପାଇଁ ସବୁଠାରୁ ବଡ଼ ଅପରେସନ ଆରମ୍ଭ ହୋଇଯାଇଛି। ହାଶିମ ପାକିସ୍ତାନ ଫେରାର ହେବାର ଆଶଙ୍କା ଥିବାରୁ ସୁରକ୍ଷାକର୍ମୀ ଅଧିକ ସର୍ତକତାର ସହ ପଦକ୍ଷେପ ନେଇଛନ୍ତି। ଜମ୍ମୁ-କଶ୍ମୀର ପୁଲିସ୍‌ ମଧ୍ୟ ହାଶିମ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ହାଶିମ ସମ୍ପର୍କରେ ଦେଲେ ୨୦ ଲକ୍ଷ ଟଙ୍କା ମିଳିବ ଓ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପହଲଗାମ ନରସଂହାର ଘଟଣାରେ ହାଶିମ ସାମିଲ ଥିଲେ ହେଁ ତା’କୁ ଜୀବନ୍ତ ଧରିବାକୁ ସୁରକ୍ଷାକର୍ମୀ ଉଦ୍ୟମ କରୁଛନ୍ତି। ୨୬/୧୧ ଆକ୍ରମଣ ବେଳେ ଯେମିତି ଅଜମଲ କସାବକୁ ଜୀବନ୍ତ ଧରି ଭାରତ ସରକାର ପାକିସ୍ତାନର ମୁଖା ପୂରା ବିଶ୍ୱରେ ଖୋଲି ଦେଇଥିଲେ, ଏବେ ସମାନ ନୀତି ଆପଣାଇବାକୁ ଚାହୁଁଛନ୍ତି। ପହଲଗାମ ଆତଙ୍କୀ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ ବୋଲି ଭାରତ ସରକାର ସୂଚନା ପାଇଥିବା ବେଳେ ଏହାକୁ ନିଶ୍ଚିତ କରିବା ପାଇଁ ହାଶିମକୁ ଜୀବନ୍ତ ଧରାଯିବା ଅତ୍ୟନ୍ତ ଜରୁରୀ।

ଭାରତରେ ରକ୍ତର ହୋଲି ଖେଳିଥିବା ହାଶିମ ମୁସା ଏକଦା ପାକିସ୍ତାନ ସେନାରେ କମାଣ୍ଡ ଭାବେ କାମ କରୁଥିଲା। ସେ ପାକିସ୍ତାନ ସ୍ପେଶାଲ ସର୍ଭିସ ଗ୍ରୁପରେ ଜଣେ ପାରା କମାଣ୍ଡୋ ଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାରେ ଯୋଗ ଦେଇଥିଲା। ଲସ୍କରରେ ସାମିଲ ହେବା ପରଠାରୁ ସେ ଏକାଧିକ ଆତଙ୍କବାଦୀ ହମଲାରେ ସକ୍ରିୟ ଭୂମିକା ଗ୍ରହଣ କରି ଚାଲିଛି। ୨୦୨୩ରୁ ସେ ପାକିସ୍ତାନରେ ସ୍ୱତନ୍ତ୍ର ତାଲିମ ନେଇ ଭାରତରେ ପ୍ରବେଶ କରିଥିଲା।

ଗତବର୍ଷ ଅକ୍ଟୋବର ମାସରେ ଜମ୍ମୁ-କଶ୍ମୀରର ଗାନ୍ଦେରବଲରେ ହୋଇଥିବା ଆତଙ୍କୀ ହମଲାରେ ହାଶିମ ସାମିଲ ଥିଲା। ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ବାରମୁଲ୍ଲାରେ ହୋଇଥିବା ଆତଙ୍କବାଦୀ ହମଲାରେ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଏହା ପଛରେ ବି ହାଶିମ ରହିଥିଲା। ଉପତ୍ୟକାରେ ହୋଇଥିବା ୬ଟି ଆକ୍ରମଣରେ ହାଶିମ ସାମିଲ ଥିବା ସୁରକ୍ଷା ଏଜେନ୍ସି ଜାଣିବାକୁ ପାଇଛନ୍ତି।

ପହଲଗାମ ନରସଂହାରର ତଦନ୍ତରୁ ଜଣାପଡ଼ିଛି ଯେ ବୈସାରନ ଭ୍ୟାଲିରେ ନୀରିହ ପର୍ଯ୍ୟଟକଙ୍କୁ ଟାର୍ଗେଟ ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ହାଫିଜ, ସୈଫୁଲ୍ଲା ସହ ହାଶିମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହାଶିମ ସହ ଆଦିଲ ଥୋକର ଓ ଆସିଫ ଶେଖ ମଧ୍ୟ ବୈସାରନ ଭ୍ୟାଲି ଆକ୍ରମଣରେ ସାମିଲ ରହିଛନ୍ତି।

ଆଦିଲ ୨୦୧୮ରେ ପାକିସ୍ତାନକୁ ଟେରର ଟ୍ରେନିଂ ପାଇଁ ଯାଇଥିଲା। ସେଠାରୁ ୬ ବର୍ଷ ପରେ ୩ରୁ ୪ ଜଣ ଆତଙ୍କବାଦୀଙ୍କୁ ସାଙ୍ଗରେ ଧରି ଭାରତ ଫେରିଥିଲା। ଆଦିଲର ଘର ହେଉଛି ଅନନ୍ତନାଗର ଗୁରେ ଗାଁରେ। ସେ ଉକ୍ତ ଜିଲ୍ଲାରେ ଥିବା ପହଲଗାମର ବୈସାରନ ଭ୍ୟାଲି ବିଷୟରେ ବେଶ ଭଲ ଭାବେ ଅବଗତ ଥିଲା। ସେ ନିଜର ପାକିସ୍ତାନୀ ସହଯୋଗୀଙ୍କ ସହ ମିଶି ଏପ୍ରିଲ ୨୨ରେ ନରସଂହାର କରିଥିଲା।

୨୦୧୮ରେ ଆଦିଲ ଗୁରେ ସ୍ଥିତ ନିଜ ଘର ଛାଡ଼ି ପାକିସ୍ତାନକୁ ପାଠ ପଢ଼ିବା ନାଁରେ ଶିକ୍ଷାର୍ଥୀ ଭିସାରେ ଯାଇଥିଲା। ଭାରତ ଛାଡ଼ିବା ପୂର୍ବରୁ ସେ ମୌଳବାଦୀ ଚିନ୍ତା ଧାରାରେ ପ୍ରଭାବିତ ହୋଇ ସାରିଥିଲା। ପାକିସ୍ତାନ ଯିବା ପୂର୍ବରୁ ସେ ଜମ୍ମୁ-କଶ୍ମୀରରେ ରହି ଇସଲାମାବଦରେ ସକ୍ରିୟ ବିଭିନ୍ନ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଆକ୍କାମାନଙ୍କ ସହ ଯୋଗାଯୋଗ କରିଥିଲା। ପାକିସ୍ତାନରେ ପହଞ୍ଚିବା ପରେ ସେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇ ଯାଇଥିଲା।

ଆଦିଲ ୨୦୨୩ ମସିହା ଅକ୍ଟୋବର ମାସରେ ପୁଞ୍ଚ-ରଜୌରୀ ସେକ୍ଟର ସ୍ଥିତ ଏଲଓସି ଦେଇ ଭାରତରେ ଦାଖଲ ହୋଇଥିଲା। ସେ ପାହାଡ଼ିଆ ଅଞ୍ଚଳ ଦେଇ ଭାରତରେ ପ୍ରବେଶ କରିଥିଲା। ଉକ୍ତ ସ୍ଥାନଟି ପାହାଡ଼ିଆ ହୋଇଥିବା ବେଳେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ସେଠାରେ ପ୍ୟାଟ୍ରୋଲିଂ କରିବା ଆଦୌ ସହଜ ନୁହେଁ। ଏହାର ଫାଇଦା ଉଠାଇ ଆଦିଲ ବେଆଇନ ଭାବେ ଭାରତରେ ପ୍ରବେଶ କରି ଯାଇଥିଲା।

ଆଦିଲ ସହ ୩ରୁ ୪ ଜଣ ଯୁବକ ମଧ୍ୟ ଭାରତକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲା ପାକିସ୍ତାନୀ ନାଗରିକ ହାଶିମ ମୁସା। ପହଲଗାମ ଆତଙ୍କୀ ହମଲାରେ ମୁସାମଧ୍ୟ ସାମିଲ ଥିଲା। ଆଦିଲ ସହାୟତାରେ ମୁସା ଭାରତରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା ବୋଲି ଜଣାପଡ଼ିଛି।

ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପରେ ସୁରକ୍ଷାକର୍ମୀଙ୍କୁ ଚକମା ଦେବା ପାଇଁ ଆଦିଲ ବେଶ ସନ୍ତର୍ପଣର ସହ ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ଆଗକୁ ବଢ଼ିଥିଲା। ତେବେ ଏକଦା ସେ କିସ୍ତୱାର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡ଼ିଥିଲା। କିନ୍ତୁ ତ୍ରାଲର ପାହାଡ଼ିଆ ଅଞ୍ଚଳ ଦେଇ ଅନନ୍ତନାଗରେ ପହଞ୍ଚି ଯିବାକୁ ସକ୍ଷମ ହୋଇ ଯାଇଥିଲା।

Terror Attack Jammu Kashmir Pahalgam Hashim Moosa