Advertisment

ହେଟସ୍ପିଚ୍‌କୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ: କମିଟି ଗଠନ ପାଇଁ କେନ୍ଦ୍ରକୁ ପରାମର୍ଶ

ଦେଶରେ କ୍ରମାଗତ ଭାବେ ହେଟସ୍ପିଚ ମାମଲା ବଢ଼ିବାରେ ଲାଗିଛି। ନିକଟରେ ହରିଆଣାର ନୁହରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା।

author-image
Hemant Lenka
SC

SC

ହେଟସ୍ପିଚ ବା ଘୃଣା ସୃଷ୍ଟିକାରୀ ବୟାନ ଓ ହେଟ କ୍ରାଇମକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ହେଟସ୍ପିଚ ଓ ହେଟ କ୍ରାଇମ ଆଦୌ ଗ୍ରହଣୀୟ ନୁହେଁ। ଭବିଷ୍ୟତରେ ଏପରି ଘଟଣା ଯେମିତି ନ ଘଟିବ, ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ହେବ। ଆମକୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ଦେଶରେ କ୍ରମାଗତ ଭାବେ ହେଟସ୍ପିଚ ମାମଲା ବଢ଼ିବାରେ ଲାଗିଛି। ନିକଟରେ ହରିଆଣାର ନୁହରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳିଥିଲା। ୬ ଦିନର ହିଂସା ପରେ ଏବେ ନୁହ ସ୍ୱାଭାବିକ ହେଉଛନ୍ତି। କିନ୍ତୁ ଏସବୁ ଭିତରେ ହିନ୍ଦୁ ମହାପଞ୍ଚାୟତରେ ମୁସଲମାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିବା ନିଷ୍ପତ୍ତି ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଏପରି ବିବାଦୀୟ ମହାପଞ୍ଚାୟତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ କରାଯାଇଥିଲା। ଏବେ ସୁପ୍ରିମକୋର୍ଟ ହେଟସ୍ପିଚ ଓ ହେଟ କ୍ରାଇମକୁ ରୋକିବା କେନ୍ଦ୍ର ସରକାରଙ୍କୁ କମିଟି ଗଠନ ଉପରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସାମ୍ବାଦିକ ଶାହୀନ ଅବଦୁଲ୍ଲା ହେଟସ୍ପିଚ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରି ପିଟିସନ ଦାଏର କରିଥିଲେ। କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକ ସଂଖ୍ୟାଲଘୁ ସଂପ୍ରଦାୟ ବିରୋଧରେ ଘୃଣା ସୃଷ୍ଟିକାରୀ ବୟାନ ଦେଉଛନ୍ତି।

ବିଶେଷ କରି ହରିଆଣାର ନୁହ୍‌ରେ ଦେଖାଯାଇଥିବା ସାଂପ୍ରଦାୟିକ ହିଂସାର ସେ ଉଦାହରଣ ଦେଇଥିଲେ। ସେଠାରେ ସଂଖ୍ୟାଲଘୁମାନଙ୍କୁ ଆର୍ଥିକ ଓ ବ୍ୟବସାୟିକସ୍ତରରେ ବୟକଟ କରିବାକୁ ଅଭିଯାନ ଆରମ୍ଭ ହୋଇଥିବା ଅଭିଯୋଗ କରି ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସଭିଏନନ ଭାଟ୍ଟି ଏହାର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଦୁଇ ସଂପ୍ରଦାୟ ମଧ୍ୟରେ ସଦଭାବ ଓ ଶିଷ୍ଟାଚାର ରହିବା ଉଚିତ। ସବୁ ସଂପ୍ରଦାୟର ଲୋକ ଏହାକୁ ପାଳନ କରିବା ଦରକାର। ହେଟସ୍ପିଚର ସମସ୍ୟା ଆଦୌ ଭଲ ନୁହେଁ। ଏହାକୁ କେହି ବି ଗ୍ରହଣ କରିବେ ନାହିଁ। ହେଟସ୍ପିଚ ଆଦୌ ଗ୍ରହଣୀୟ ନୁହେଁ।”

ଅତିରିକ୍ତ ସଲିସିଟର ଜେନେରାଲ କେଏମ ନଟରାଜ ଗଠନ ହେବାକୁ ଥିବା କମିଟି ସମ୍ପର୍କରେ ଜବାବ ଅଗଷ୍ଟ ୧୮ ସୁଦ୍ଧା ରଖିବେ। ଏଥିସହ ଆବେଦନକାରୀଙ୍କୁ ହେଟସ୍ପିଚ ସଂକ୍ରାନ୍ତ ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ଏକାଠି କରି ନୋଡାଲ ଅଧିକାରୀଙ୍କୁ ଦେବାକୁ ଖଣ୍ଡପୀଠ କହିଛନ୍ତି।

ଜଷ୍ଟିସ ଖାନ୍ନା ଶୁଣାଣି ବେଳେ କହିଛନ୍ତି, ସୁପ୍ରିମକୋର୍ଟ ଦରକାର ପଡ଼ିଲେ ପୁଲିସ୍‌ ମୁଖ୍ୟଙ୍କୁ କମିଟି ଗଠନ କରିବାକୁ କହିବେ। ଏହି କମିଟି ବିଭିନ୍ନ ଥାନାକୁ ଆସୁଥିବା ହେଟସ୍ପିଚ ସଂକ୍ରାନ୍ତ ଅଭିଯୋଗର ତଦନ୍ତ କରିବ ବୋଲି ସେ କହିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ ହେବ।

ଆବେଦନକାରୀ କହିଛନ୍ତି, “ଆମର ଆଶା ଓ ବିଶ୍ୱାସ ଯେ ବିଭିନ୍ନ ରାଜ୍ୟ ସରକାର ଓ ପୁଲିସ ହେଟସ୍ପିଚ ଯେମିତି କେଉଁ ସଂପ୍ରଦାୟର ଲୋକ ନ ଦେବେ, ତା’କୁ ନିଶ୍ଚିତ କରିବ। ହେଟସ୍ପିଚକୁ ଦେଇ ଯେମିତି ହିଂସା କିମ୍ବା ସର୍ବସାଧାରଣ ସମ୍ପତ୍ତି କ୍ଷତି ନହେବ, ତା’ର ବ୍ୟବସ୍ଥା କରିବେ।”

Supreme Court On Hate Speech Haryana Clashes In Supreme Court Haryana Communal Clashes