Advertisment

ଦୋଷ ଝାଡ଼ି ଦେଲେ ଭୋଲେ ବାବା, କହିଲେ- ଦଳାଚକଟା ପଛରେ ଦୁଷ୍ଟ ଲୋକଙ୍କ ହାତ

ଭୋଲେ ବାବା ନିଜ ଓକିଲ ଏ.ପି ସିଂହ ଜରିଆରେ ଏହି ବୟାନ ଦେଇଛନ୍ତି।

ଅଦ୍ୟତନ ହୋଇଛି
Bhole Baba

Bhole Baba

Advertisment

ଉତ୍ତରପ୍ରଦେଶ ହାଥରସ ସତସଙ୍ଗ ଦଳାଚକଟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି। କାନ୍ଦ ବୋବାଳିରେ ଫାଟି ପଡୁଛି ପୂରା ଅଞ୍ଚଳ। ଏବେବି ମୃତଦେହ ମଧ୍ୟରେ ଲୋକମାନେ ନିଜ ନିଜ ନିଖୋଜ ପରିବାର ସଦସ୍ୟଙ୍କୁ ଖୋଜୁଛନ୍ତି। ଏହି ଅଘଟଣ ଯେଉଁ ବାବାଙ୍କ ସତ୍‌ସଙ୍ଗରେ ଘଟିଥିଲା ତାଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ନିଜ ମୁଣ୍ଡ ଉପରୁ ଦୋଷ ଝାଡ଼ି ଦେଇଛନ୍ତି ନାରାୟଣ ହରି ଓରଫ ଭୋଲେ ବାବା।

Advertisment

ଭୋଲେ ବାବା କହିଛନ୍ତି ଏହି ଦଳଚକଟା ପଛରେ ଉଦ୍ଦେଶ୍ୟମୂଳକ ଭାବେ କିଛି ଦୁଷ୍ଟ ଲୋକଙ୍କ ହାତ ରହିଛି। ଦଳାଚକଟା ପୂର୍ବରୁ ସେ ଉକ୍ତ ସ୍ଥାନ ଛାଡି ସାରିଥିଲେ। ସତ୍‌ସଙ୍ଗ ବେଳେ ଭୋଲେ ବାବାଙ୍କ ପାଦ ଛୁଇଁବାକୁ ନେଇ ଅନୁଗାମୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବାରୁ ଏଭଳି ସ୍ଥିତି ଉପୁଜିଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି। ଏହି ତଦନ୍ତରେ ସହଯୋଗ କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି। ବାବା ତାଙ୍କ ଅନୁଗାମୀମାନଙ୍କ ମୃତ୍ୟୁରେ ଦୁଃଖ ଓ ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିବାକୁ କହିଛନ୍ତି।

ଭୋଲେ ବାବା ନିଜ ଓକିଲ ଏ.ପି ସିଂହ ଜରିଆରେ ଏହି ବୟାନ ଦେଇଛନ୍ତି। ଏ.ପି ସିଂହ ହେଉଛନ୍ତି ସେହି ଓକିଲ ଯିଏ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଦୋଷୀମାନଙ୍କ ସପକ୍ଷରେ ଲଢ଼ିଥିଲେ। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଏପି ସିଂହ କହିଛନ୍ତି, କେତେଜଣ ଅସାମାଜିକ ବ୍ୟକ୍ତି ଏହି ଷଡ଼ଯନ୍ତ୍ର ରଚିଥିଲେ। ବାବା ସ୍ଥାନ ଛାଡ଼ି ନିଜ ଗାଡ଼ି ନିକଟକୁ ଯିବାବେଳେ ଆମ ସ୍ୱେଚ୍ଛାସେବୀ ଓ ଅନୁଗାମୀମାନେ ଷଡ଼ଯନ୍ତ୍ର ବିଷୟରେ ଜାଣିପାରି ନ ଥିଲେ। ଭୋଲେ ବାବା ତଦନ୍ତରେ ସହଯୋଗ କରିବାକୁ ପ୍ରସ୍ତୁତ ଥିବା ସେ ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ଯେତେବେଳେ ଲୋକମାନେ ଦଳାଚକଟାରେ ପ୍ରାଣହରାଉଥିଲେ, ସେତେବେଳେ ବାବା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେବେଠାରୁ ବାବାଙ୍କ ବିଷୟରେ ଅଧିକ କିଛି ସୂଚନା ନାହିଁ। ବିଶ୍ୱାସ କରାଯାଏ ଯେ ବର୍ତ୍ତମାନ ସେ ତାଙ୍କର କିଛି ଅନୁଗାମୀମାନଙ୍କ ସହିତ ମୈନପୁରୀରେ ଥିବା ତାଙ୍କ ଭବ୍ୟ ଆଶ୍ରମରେ ଅଛନ୍ତି। ପୁଲିସ ବାବାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଅଧିକାରୀଙ୍କ ଅନୁଯାୟୀ ବାବା କାହାକୁ ଭେଟିବାକୁ ମନା କରି ଦେଇଛନ୍ତି।

କହିରଖୁ ଯେ, ମଙ୍ଗଳବାର ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨୨ ଜଣଙ୍କ ମୃତ୍ୟୁ ହୋଇଛି।

Uttar Pradesh Hathras Stampede Bhole Baba
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe