Advertisment

୩୧ ବର୍ଷ ଧରି ଦୁଷ୍କର୍ମର ଶିକାର ହୋଇଥିବା କହିଲେ ମହିଳା, କିନ୍ତୁ ମାମଲା ଖାରଜ କରି ଦେଲେ କୋର୍ଟ

ବ୍ୟକ୍ତି ଜଣଙ୍କ ୧୯୮୭ରୁ ୨୦୧୭ ଅର୍ଥାତ ଦୀର୍ଘ ୩୧ ବର୍ଷୀ ଧରି ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା।

author-image
Hemant Lenka
Court

Court

ଜଣେ ୭୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ଦୁଷ୍କର୍ମ ମାମଲାକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ୧୯୮୭ରୁ ୨୦୧୭ ଅର୍ଥାତ ଦୀର୍ଘ ୩୧ ବର୍ଷୀ ଧରି ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ ସହମତି ଭିତ୍ତିରେ ସମ୍ପର୍କ ରହିଥିବାରୁ କୋର୍ଟ ଉକ୍ତ ମାମଲାକୁ ରଫାଦଫା କରି ଦେଇଛନ୍ତି।

Advertisment

ବମ୍ବେ ହାଇକୋର୍ଟରର ଡିଭିଜନ ବେଞ୍ଚ ବିଚାରପତି ଜଷ୍ଟିସ ଏଏସ ଗଡକରୀ ଓ ନୀଳା ଗୋଖଲେ କହିଛନ୍ତି, ସହମତି ଭିତ୍ତିରେ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ରହିଥିବା ଏଫଆଇଆରରେ ଥିବା ବିଷୟବସ୍ତୁରୁ ସଙ୍କେତ ମିଳୁଛି। ଏଫଆଇଆର ୨୦୧୮ରେ ରୁଜୁ କରାଯାଇଥିଲା। କିନ୍ତୁ କାହିଁକି ଏତେ ବିଳମ୍ୱ ହେଲା, ତା’ର ସଠିକ କାରଣ ଦିଆଯାଇ ନଥିଲା।

ଦୁଇ ପକ୍ଷ ମଧ୍ୟରେ ୩୧ ବର୍ଷ ଧରି ଯୌନ ସମ୍ପର୍କ ରହିଥିଲା। ହେଲେ ଅଭିଯୋଗକାରୀ ଗୋଟିଏ ହେଲେ ବି ଶବ୍ଦ ଏହି ସମ୍ପର୍କ ବିରୋଧରେ ଉଚାରଣ କରି ନଥିଲେ। ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଆସିଥିଲା ଓ ଏହାପରେ ହିଁ ଅଭିଯୋଗକାରୀ ପୁଲିସ୍‌ରେ ଏଫଆଇଆର ଦେଇଥିବା କୋର୍ଟ କହିଛନ୍ତି।

Advertisment

ସୂଚନାରୁ ଜଣାପଡ଼ିଛି ଯେ ବ୍ୟକ୍ତିଙ୍କ କମ୍ପାନୀରେ ମହିଳା ଜଣଙ୍କ ୧୯୮୭ରେ ଯୋଗ ଦେଇଥିଲେ। ସେହି ସମୟରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସହ ବଳପୂର୍ବକ ଯୌନ ସମ୍ପର୍କ ରଖିଥିଲେ। ଏହାପରେ ୧୯୮୭ ଜୁଲାଇରୁ ୨୦୧୭ ମଧ୍ୟରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ମୁମ୍ବାଇର କଲ୍ୟାଣ, ଭିୱାଣ୍ଡି ଓ ଅନ୍ୟାନ୍ୟ ସ୍ଥାନରେ ଏକାଧିକ ଥର ଦୁଷ୍କର୍ମ କରିଥିଲେ।

ଶାରୀରିକ ସମ୍ପର୍କ ରଖିବା ପରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ତାଙ୍କ ବେକରେ ୧୯୯୩ରେ ମଙ୍ଗଳସୂତ୍ର ମଧ୍ୟ ପକାଇଥିଲେ। ମହିଳାଙ୍କୁ ବ୍ୟକ୍ତି ଜଣଙ୍କ ତାଙ୍କ ଦ୍ୱିତୀୟ ପତ୍ନୀ ଭାବେ ଘୋଷଣା କରି ଆଉ କାହା ସହ ବାହା ହେବାକୁ ମଧ୍ୟ ଦେଇ ନଥିଲେ।

୧୯୯୬ରେ ଅଭିଯୁକ୍ତ ହୃଦଘାତର ଶିକାର ହେବାରୁ ମହିଳା ଜଣଙ୍କ ତାଙ୍କ କମ୍ପାନୀ ବୁଝାସୁଝା ଆରମ୍ଭ କରିଥିଲେ। ୨୦୧୭ ସେପ୍ଟେମ୍ବର ମାସରେ ମହିଳାଙ୍କ ମା’ କର୍କଟ ରୋଗରେ ପୀଡ଼ିତ ଥିବାରୁ ସେ କମ୍ପାନୀରୁ ଛୁଟି ନେଇ ଯାଇଥିଲେ। ସେ ଛୁଟିରୁ ଫେରିଲା ବେଳକୁ କମ୍ପାନୀରେ ତାଲା ପଡ଼ିଥିଲା।

ମହିଳା ଜଣଙ୍କ କୌଣସି ଉପାୟ ନ ପାଇ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେ ତାଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏଥିସହ ବ୍ୟାଙ୍କ, ଆୟକର, ଔଷଧ ଦୋକାନ ସହ ହୋଇଥିବା ଚୁକ୍ତିନାମା ଓ ସୁନା ମଙ୍ଗଳସୂତ୍ର ଦେଇ ନଥିଲେ। ଏପରି କି ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ଭେଟିବାକୁ ମଧ୍ୟ ମନା କରି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଖଣ୍ଡପୀଠ କହିଛନ୍ତି ଯେ ଏଫଆଇଆରରୁ ଜଣାପଡ଼ୁଛି ଯେ ଅଭିଯୋଗକାରୀ ଭଲ ଭାବେ ଜାଣିଥିଲେ ଯେ ଅଭିଯୁକ୍ତ ଜଣଙ୍କ ବିବାହିତ। ତଥାପି ସେ ତାଙ୍କ ବିବାହ ପ୍ରତିଶ୍ରୁତିରେ ପ୍ରଲୋଭିତ ହୋଇଥିଲେ। ଦ୍ୱିତୀୟ ବିବାହ ପାଇଁ ଆଇନ ବାରଣ କରିଥିବା କଥା ଭଲ ଭାବେ ଅଭିଯୋଗକାରୀ ଜାଣିଥିଲେ।

ଅଭିଯୁକ୍ତ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇ ନଥିଲେ। ଅଭିଯୋଗକାରୀ ନିଜ ଆଡ଼ୁ ଭାବି ନେଇଥିଲେ ଯେ ଅଭିଯୁକ୍ତ ଜଣଙ୍କ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କରିବେ। ଏହି ୩୧ ବର୍ଷ ମଧ୍ୟରେ ମହିଳାଙ୍କ ପାଖରେ ସମ୍ପର୍କକୁ ଭାଙ୍ଗି ଅଭିଯୋଗ କରିବାର ସୁଯୋଗ ଥିଲା। କିନ୍ତୁ ସେ ସେମିତି କିଛି କରି ନଥିଲେ ବୋଲି କୋର୍ଟ କହିଛନ୍ତି।

Bombay HighCourt