Advertisment

ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ରର ‘କମିଟି’ ପ୍ରତିଶ୍ରୁତି

ଟ୍ରେନି ଡ୍ରାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି।

author-image
Hemant Lenka
Doctor

Doctor

କୋଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ନିଆଁ ଏବେ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି। ଟ୍ରେନି ଡ୍ରାକ୍ତରଙ୍କ ବିରୋଧରେ ହୋଇଥିବା ଭୟଙ୍କର ନିର୍ଯାତନା ପ୍ରତିବାଦରେ ଆଜି ଇଣ୍ଡିଆନ ମେଡିକାଲ ଆସୋସିଏସନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି। ଏଥିଯୋଗୁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି।

Advertisment

ହସ୍ପିଟାଲରେ ନିଜର ସୁରକ୍ଷା ପାଇଁ ଡାକ୍ତରମାନେ ବିକ୍ଷୋଭ କରୁଛନ୍ତି। ଦିନକୁ ଦିନ ଡାକ୍ତର ଓ ହସ୍ପିଟାଲରେ କାର୍ଯ୍ୟରତ କର୍ମଜଚାରୀଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏହାକୁ ନେଇ ଫୋର୍ଡା, ଆଇଏମଏ ଓ ରେସିଡେଣ୍ଟ ଡାକ୍ତର ଚିନ୍ତା ପ୍ରକଟ କରିଛନ୍ତି।

ବିଭିନ୍ନ ସଂସ୍ଥା ଚିନ୍ତା ପ୍ରକଟ କରିବାରୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କମିଟି ଗଠନର ପ୍ରତିଶ୍ରୁତି ଦେଇଛି। ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ପ୍ରସ୍ତାବ ଦେବା ପାଇଁ ଗୋଟିଏ କମିଟି ଗଠନ କରାଯିବ। ଏହି କମିଟି ସୁରକ୍ଷା ନେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ, ତା’ର ପ୍ରସ୍ତାବ ଦେବ। ରାଜ୍ୟ ସରକାରଙ୍କ ସମେତ ସବୁ ଅଂଶୀଦାରମାନେ ସୁରକ୍ଷାକୁ ନେଇ କମିଟି ଆଗରେ ନିଜ ନିଜର ପ୍ରସ୍ତାବ ଉପସ୍ଥାପନ କରିପାରିବେ। ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ସବୁ ବେଳେ ପ୍ରତିଶ୍ରୁତି ବଦ୍ଧ ବୋଲି ମନ୍ତ୍ରଣାଳୟ କହିଛି।

Advertisment

ଏଥିସହ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ନିଜ ଡ୍ୟୁଟିରେ ଯୋଗ ଦିଅନ୍ତୁ। ଏବେ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ବଢ଼ୁଥିବାରୁ ମନ୍ତ୍ରଣାଳୟ ସମସ୍ତଙ୍କୁ ରୋଗୀ ସେବା ଆରମ୍ଭ କରିବାକୁ ଅନୁରୋଧ କରିଛି।

ସୁରକ୍ଷା ଦାବି ନେଇ ଚାଲିଥିବା ବିକ୍ଷୋଭ ଓ ପ୍ରତିବାଦ ମଧ୍ୟରେ ଦେଶର ସମସ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ପାଇଁ ଗତକାଲି ମଧ୍ୟ କେନ୍ଦ୍ର ସରକାର ଗୋଟିଏ ନିର୍ଦ୍ଦେଶନାମା ଜାରି କରିଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ଯଦି କେଉଁଠାରେ ଡାକ୍ତରଙ୍କ ବିରୋଧରେ ହିଂସା ହେଉଛି ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଏଫଆଇଆର ରୁଜୁ ହେବ। ମେଡିକାଲ ପ୍ରତିଷ୍ଠାନର ମୁଖ୍ୟ ଏହି ଅଭିଯୋଗ ଦାଖଲ କରିପାରିବେ।

ସୁରକ୍ଷା ଦାବିରେ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଡାକ୍ତରଙ୍କ ଆନ୍ଦୋଳନ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ଧର୍ମଘଟରେ ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏମର୍ଜେନ୍ସି ସେବା ଛାଡ଼ି ଓପିଡି, ଓଟି ଓ ଲ୍ୟାବ ସେବାକୁ ବନ୍ଦ କରାଯାଇଛି।

Doctor Kolkata Kolkata Doctor Rape And Murder Case Kolkata Rape-Murder Case