Advertisment

Supreme Court: କୁକୁର କାମୁଡ଼ିଲେ ମୋଟା ଅଙ୍କର ଫାଇନ ଦେବ ରାଜ୍ୟ! ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ବୁଲା କୁକୁରମାନଙ୍କୁ ରାସ୍ତାରେ ଖାଇବାକୁ ଦେଉଥିବା ତଥାକଥିତ କୁକୁର ପ୍ରେମୀମାନେ ମଧ୍ୟ ଆକ୍ରମଣ ପାଇଁ ଦାୟୀ ରହିବେ। କୁକୁର କାମୁଡ଼ା ଗୋଟିଏ ଜୀବନବ୍ୟାପୀ ପ୍ରଭାବ ହୋଇ ରହୁଛି ବୋଲି ଖଣ୍ଡପୀଠ କହିଛନ୍ତି।

author-image
Hemant Lenka
Dogs

ବୁଲା କୁକୁର

ବୁଲା କୁକୁର ପ୍ରସଙ୍ଗରେ ମଙ୍ଗଳବାର ଚାଲିଥିବା ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ। ଯଦି ବୁଲା କୁକୁର କାହାକୁ କାମୁଡ଼ିବ କିମ୍ବା କୁକୁର କାମୁଡ଼ିବା ଯୋଗୁ କାହାର ମୃତ୍ୟୁ ହେବ, ତା’ହେଲେ ରାଜ୍ୟ ସରକାରଙ୍କ ଉପରେ ସର୍ବୋଚ୍ଚ ଅଦାଲତ ମୋଟା ଅଙ୍କର ଫାଇନ ଲାଗୁ କରିବାକୁ ପଛାଇବେ ନାହିଁ। ସ୍ଥାନୀୟ ପ୍ରଶାସନ ବୁଲା କୁକୁର ନିୟନ୍ତ୍ରଣ ପାଇଁ ଲାଗୁ ହେଉଥିବା ଏବିସି ନିୟମକୁ କାର୍ଯ୍ୟକାରୀ କରିବାରେ ବିଫଳ ହେଉଥିବା ପୀଡ଼ିତମାନେ କୋର୍ଟଙ୍କୁ ଜଣାଇଛନ୍ତି।

Advertisment

ଏହା ଶୁଣିବା ପରେ କୋର୍ଟ ଆଜି ଏପରି ଚେତାବନୀ ଦେଇଛନ୍ତି। ସେହିପରି ବୁଲା କୁକୁରମାନଙ୍କୁ ରାସ୍ତାରେ ଖାଇବାକୁ ଦେଉଥିବା ତଥାକଥିତ କୁକୁର ପ୍ରେମୀମାନେ ମଧ୍ୟ ଆକ୍ରମଣ ପାଇଁ ଦାୟୀ ରହିବେ। କୁକୁର କାମୁଡ଼ା ଗୋଟିଏ ଜୀବନବ୍ୟାପୀ ପ୍ରଭାବ ହୋଇ ରହୁଛି ବୋଲି ଖଣ୍ଡପୀଠ(Supreme Court) କହିଛନ୍ତି। 

ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କହିଛନ୍ତି ଯେ “ଆମେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଉତ୍ତରଦାୟୀ କରିବୁ। ଏହି ସମସ୍ୟା ଦଶନ୍ଧିରୁ ରହି ଆସିଛି। ଆପଣ ନିଜ ଆଡ଼ୁ ହିଁ ସଂସଦ ୧୯୫୦ରୁ ଏହାର ବିଚାର କରୁଥିବା କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଇଁ ଏହି ସମସ୍ୟା ୧୦୦୦ ଗୁଣ ବଢ଼ି ଯାଇଛି।

Advertisment

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ପୂରା ବିଫଳତା ଦେଖିବାକୁ ମିଳିଛି। କୁକୁର କାମୁଡ଼ିବା ଯୋଗୁ ପ୍ରାଣ ହରାଉଥିବା ପ୍ରତ୍ୟେକ ପୁରୁଷ, ମହିଳା, ବୟସ୍କ ଓ ଛୋଟ ପିଲାଙ୍କ ପାଇଁ ଆମେ ଉତ୍ତରଦାୟୀ ସରକାରଙ୍କ ଉପରେ ବଡ଼ଧରରଣ କ୍ଷତିପୂରଣ ଲାଗୁ କରିବୁ।” 

ଶୁଣାଣି ବେଳେ ଖଣ୍ଡପୀଠ ରାସ୍ତାରେ ବୁଲା କୁକୁର(Stray Dogs)ଙ୍କୁ ଖାଇବାକୁ ଦେଉଥିବା ଲୋକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଏଥିସହ କୁକୁରମାନଙ୍କୁ ସେମାନେ ନିଜ ଘରକୁ ନେଇ ଯାଆନ୍ତୁ ବୋଲି କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, “କୁକୁରମାନଙ୍କୁ ଖାଇବାକୁ ଦେଉଥିବା ଲୋକମାନଙ୍କୁ ମଧ୍ୟ ଉତ୍ତରଦାୟୀ କରାଯାଉଛି। ଆପଣମାନେ ସେମାନଙ୍କୁ ନିଜ ଘରକୁ ନିଅନ୍ତୁ, ପାଖରେ ରଖନ୍ତୁ। ସେମାନେ ଏଠି ସେଠି ବୁଲିବା, କାମୁଡ଼ିବା ଓ ପିଛା କରିବାକୁ କାହିଁକି ଅନୁମତି ପାଇବେ? କୁକୁର କାମୁଡ଼ିବାର ପ୍ରଭାବ ଜୀବନ ବ୍ୟାପୀ ରହିଥାଏ।” 

ଆଜିର ଶୁଣାଣି ବେଳେ ଖଣ୍ଡପୀଠ ପୁଣି ନିଜର ମତାମତ ରଖିଛନ୍ତି। ବୁଲା କୁକୁର ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ନିୟମକୁ କାର୍ଯ୍ୟକାରୀ କରିବାକୁ ଖଣ୍ଡପୀଠ ଉଭୟ ପକ୍ଷରୁ ଓକିଲଙ୍କୁ ଅନୁରୋଧ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, “୧୯୫୭ରେ ଯାହା ହୋଇଥିଲା ତା’କୁ ଲାଗୁ କରିବାର ଉତ୍ତର ଦାୟିତ୍ୱ ଆମେ କେନ୍ଦ୍ର, ରାଜ୍ୟ ଓ ଅନ୍ୟ ସ୍ଥାନୀୟ ଅଧିକାରୀଙ୍କୁ ଦେବାକୁ ଚାହୁଁଛୁ। ଏଥିପାଇଁ ସମସ୍ତ ଓକିଲ ଆମକୁ ଅନୁମତି ଦିଅନ୍ତୁ। ଆମେ ନିର୍ଦ୍ଦେଶ ପାରିତ କରିବାକୁ ଅନୁମତି ଚାହୁଁଛୁ।

ଆମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଅଧା ଦିନ ବିତାଇବାର ଅଛି। ସେମାନଙ୍କ ପାଖରେ କୌଣସି ଯୋଜନା ଅଛି କି ନାହିଁ, ତା’କୁ ଦେଖିବାକୁ ଚାହୁଁଛୁ। ସମସ୍ୟା ହଜାର ଗୁଣ ବଢ଼ି ଗଲାଣି। ଆମେ କେବଳ ବୈଧାନିକ ପ୍ରାବଧାନର କାର୍ଯ୍ୟକାରୀ ଚାହୁଁଛୁ। ଆମକୁ ଏମିତି କରିବାକୁ ଅନୁମତି ଦିଆଯାଉ।

ଆମକୁ କାମ କରିବାକୁ ଛଡ଼ା ଯାଉ। ଆମକୁ ଆଗକୁ ବଢ଼ିଆକୁ ଦିଅଯାଉ। ସେହି ପୁରୁଣା କଥା ବାରମ୍ବାର ସାମ୍ନାକୁ ଆସୁଛି। ଏହା ନ୍ୟାୟିକ କାର୍ଯ୍ୟ ସ୍ଥଳ ବଦଳରେ ଗୋଟିଏ ସାର୍ବଜନୀନ ମଞ୍ଚରେ ପରିଣତ ହୋଇଗଲାଣି।” 

ଶୁଣାଣି ବେଳେ ତଥାକଥିତ କୁକୁର ପ୍ରେମୀଙ୍କୁ ଧୋଇଛନ୍ତି ସୁପ୍ରିମକୋର୍ଟ। ଯେତେବେଳେ ଗୁଜରାଟରେ ଜଣେ ଓକିଲଙ୍କୁ କୁକୁର କାମୁଡ଼ିଥିଲା ସେତେବେଳେ ପୌର କର୍ମଚାରୀମାନେ ବୁଲା କୁକୁରଙ୍କୁ ଧରିବାକୁ ଯାଇଥିଲେ। ହେଲେ ସେମାନଙ୍କୁ ମାଡ଼ ମରାଯାଇଥିଲା। କିଛି ଓକିଲ ଓ ଏହି ସବୁ ତଥାକଥିତ କୁକୁର ପ୍ରେମୀ ଏପରି କରିଥିଲେ ବୋଲି ଖଣ୍ଡପୀଠ କହିଛନ୍ତି।

ବୁଲା କୁକୁର ପ୍ରସଙ୍ଗକୁ ଓକିଲ ମେନକା ଗୁରୁସ୍ୱାମୀ ଗୋଟିଏ ଭାବପ୍ରବଣ ପ୍ରସଙ୍ଗ କହିବାରୁ ଏହାର ଜବାବ ଜଷ୍ଟିସ ନାଥ ରଖିଛନ୍ତି। ସେ କହିଛନ୍ତି, “ଭାବପ୍ରବଣତା ଏଯାଏ କେବଳ କୁକୁରଙ୍କ ପାଇଁ ଦେଖିବାକୁ ମିଳିଛି।” ଏହାର ଜବାବରେ ଗୁରୁସ୍ୱାମୀ କହିଥିଲେ ଯେ “ଏହା ମାମଲା ନୁହେଁ। ମୁଁ ଲୋକଙ୍କ ପାଇଁ ମଧ୍ୟ ସମାନ ଭାବେ ଚିନ୍ତିତ।” 

ଜଷ୍ଟିସ ନାଥ ପୁଣି କହିଥିଲେ ଯେ “ଭଲ କଥା। ଗୋଟେ କାମ କରନ୍ତୁ, କୁକୁରମାନଙ୍କୁ ନିଜ ଘରକୁ ନେଇ ଯାଆନ୍ତୁ। କାହିଁକି କୁକୁରମାନେ ବାହାରେ ବୁଲିବେ, କାମୁଡ଼ିବେ ଓ ଲୋକଙ୍କୁ ଡରାଇବେ?” 

ଏକଥା କହିବା ପରେ ଆଜି ପାଇଁ ବୁଲା କୁକୁର ପ୍ରସଙ୍ଗର ଶୁଣାଣି ଶେଷ ହୋଇଛି। ଜାନୁଆରୀ ୨୦ରେ ପୁଣି ଏହାର ଶୁଣାଣି ହେବ। 

Supreme Court Stray Dogs