Advertisment

ଉତ୍ତରପ୍ରଦେଶରେ ବଜ୍ରପାତ ଓ ବର୍ଷା ନେଲା ୩୪ ଜୀବନ; ଉତ୍ତର ଭାରତରେ ଗଲାଣି ୨୮ ଜୀବନ

ହିମାଚଳ ପ୍ରଦେଶରେ ପରିସ୍ଥିତି ଅଣାୟତ ହୋଇଥିବାରୁ ଲୋକଙ୍କୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ପାଦ ନକାଢ଼ିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ। ଏଥିସହ ୩ଟି ହେଲ୍ପ ଲାଇନ୍ ନମ୍ୱର ମଧ୍ୟ ଜାରି କରାଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Rain Rampage

Rain Rampage

ଉତ୍ତରପ୍ରଦେଶରେ ବଜ୍ରପାତ ଓ ପ୍ରବଳ ବର୍ଷା ଜନିତ ଅଘଟଣରେ ଗଲାଣି ୩୪ ଜୀବନ। ଗତ ୩ ଦିନ ଧରି ଲାଗି ରହିଥିବା ପ୍ରବଳ ବାର୍ଷା ସାଙ୍ଗକୁ ବଜ୍ରପାତ ଏହି ଅଘଟଣ ଘଟାଇଛି। ଗତ ୨୪ ଘଣ୍ଟା ଭିତରେ ଏଠାରେ ୧୦ ଜୀବନ ଯାଇଛି। ସରକାରୀ ସୂଚନା ମୁତାବକ, ଯାଇଥିବା ୩୪ ଜୀବନ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ବଜ୍ରପାତ ଯୋଗୁ ହୋଇଛି। ଯେତେବେଳେ କି ପାଣିରେ ବୁଡ଼ି ୧୨ ଜୀବନ ଯାଇଛି। ବର୍ଷା ପାଣି ସୁଅରେ ଭାସିଯାଇ ଓ ମାତି ଅତଡ଼ା ଖସିବା ଯୋଗୁ ୫ ଜଣଙ୍କ ଜୀବନ ଯାଇଛି।

Advertisment

ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯେଉଁମାନେ ଏହି ପ୍ରାକୃତିକ ଦୁର୍ବିପାକରେ ଆହତ ହୋଇଛନ୍ତି, ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି।

ବର୍ଷା ଯୋଗୁ ଏହି ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଛି। ଏହି ରାଜ୍ୟରେ ମୌସୁମୀ ଆସିବା ପରେ ହେଉଥିବା ସ୍ୱଭାବିକ ବର୍ଷା ଠାରୁ ଚଳିତ ଥର ୧୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଫଳତଃ ନଦୀମାନଙ୍କର ଜଳସ୍ତର ବଢ଼ିଛି, ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ରାଜ୍ୟର ମୋଟ ୭୫ ଜିଲ୍ଲା ମଧ୍ୟରୁ ୬୮ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ସୂଚନା ଦେଇଛି। ପ୍ରବଳ ବର୍ଷା ଯୋଗୁ ଗଙ୍ଗା, ରାମଗଙ୍ଗା, ଜମୁନା ଓ ରପ୍ତିର ଜଳସ୍ତର ବଢ଼ିଛି।

Advertisment

ଅନ୍ୟପଟେ ବର୍ଷା ବିତ୍ପାତ ଯୋଗୁ ଉତ୍ତର ଭାରତରେ ଗତ ୩ଦିନ ଭିତରେ ୨୮ ଜଣଙ୍କ ଜୀବନ ହାନୀ ହୋଇଛି। ବର୍ଷା ଯୋଗୁ ଆସିଥିବା ବନ୍ୟାରେ ରାସ୍ତା, ବ୍ରିଜ୍, ଘର ଧୋଇ ଯାଇଛି। ଲୋକଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇଯାଇଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅଚାନକ ଆସିଥିବା ବଢ଼ିପାଣିର ପ୍ରବଳ ସୁଅରେ ଡଙ୍ଗା ଭାସିବା ଭଳି ବହୁ ସଂଖ୍ୟକ ଯାନବାହନ ଭସାଇ ନେଇଛି। ହିମାଚଳ ପ୍ରଦେଶରେ ପରିସ୍ଥିତି ଅଣାୟତ ହୋଇଥିବାରୁ ଲୋକଙ୍କୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ପାଦ ନକାଢ଼ିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ। ଏଥିସହ ୩ଟି ହେଲ୍ପ ଲାଇନ୍ ନମ୍ୱର ମଧ୍ୟ ଜାରି କରାଯାଇଛି।

ସେପଟେ ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିଆଣା, ଜମ୍ମୁ କାଶ୍ମୀର, ରାଜସ୍ଥାନ, ଦିଲ୍ଲୀ ଓ ନିକଟସ୍ଥ ଅଞ୍ଚଳରେ ଆସନ୍ତା କିଛିଦିନ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଯାହା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି।

ଦିଲ୍ଲୀରେ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ସେ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି।

ବର୍ଷାକୁ ଦେଖି ଅମରନାଥ ଯାତ୍ରା ଉପରେ କିଛି ଦିନ ପାଇଁ ସ୍ଥଗିତ ଆଦେଶ କରାଯାଇଛି। ସ୍ଥିତି ସ୍ୱଭାବିକ ହେବାକୁ ପ୍ରଶାସନ ଅପେକ୍ଷା କରିଛି। ସେହିପରି ରାଜସ୍ଥାନ, ପଞ୍ଚାବ ଓ ହରିଆନାରେ ପ୍ରବଳ ବର୍ଷା ଯୋଗୁ ତଳି ଅଞ୍ଚଳ ସମେତ ବିଭିନ୍ନ ସହର ଜଳାର୍ଣ୍ଣବ ହୋଇଛି। ଯାହା ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି।

Heavy Rain Uttar Pradesh India Lighting