Advertisment

ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୭ ମୃତ

ଗତ ମେ’ ୨ ତାରିଖରେ କେଦାରନାଥ ଧାମ ଖୋଲିବା ପରଠାରୁ ଅର୍ଥାତ୍ ଗତ ୬ ସପ୍ତାହ ମଧ୍ୟରେ ଏହା ହେଉଛି ୫ମ ହେଲିକପ୍ଟର ଦୁର୍ଘଟଣା।

author-image
Jitendra Garnayak
Chopper Accident

Chopper Accident

ଉତ୍ତରାଖଣ୍ଡର କେଦାରନାଥ ଧାମରୁ ଗୁପ୍ତକାଶୀ ଯାଉଥିବା ବେଳେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୨୩ ମାସର ଶିଶୁକନ୍ୟା ଅଛନ୍ତି। 

Advertisment

ରବିବାର ସକାଳ ୫ଟା ୧୦ ମିନିଟରେ ଆର୍ଯ୍ୟନ ଏଭିଏସେନର ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ଗୁପ୍ତକାଶୀ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଭରିବାର ୧୦ ମିନିଟ୍‌ ପରେ ୫ଟା ୨୦ରେ ଏହା ଗୌରୀକୁଣ୍ଡ ଓ ସୋନପ୍ରୟାଗ ମଧ୍ୟରେ ଏକ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରଟି ତଳେ ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ଫଳରେ ପାଇଲଟଙ୍କ ସହିତ ସେଥିରେ ଥିବା ସମସ୍ତ ଯାତ୍ରୀ ଜଳି ଯାଇଥିଲେ ବୋଲି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

ହେଲିକପ୍ଟରଟି ଯାତ୍ରୀଙ୍କୁ ଧରି କେଦାରନାଥରୁ ଗୁପ୍ତକାଶୀ ଯାଉଥିବା ବେଳେ ପାଗ ଖରାପ ହୋଇଯାଇଥିଲା। ପାଇଲଟ ହେଲିକପ୍ଟରର ରୁଟ୍ ପରିବର୍ତ୍ତନ କରି ସେଠାରୁ ବାହାରିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେଥିରେ ସେ ସଫଳ ହୋଇନଥିଲେ ଓ ହେଲିକପ୍ଟରଟି କ୍ରାଶ ହୋଇଯାଇଥିଲା। ଗୌରୀକୁଣ୍ଡ ପାଖାପାଖି ଜଙ୍ଗଲରେ ଏହା ପଡ଼ି ଜଳି ଯାଇଥିବା ବେଳେ ଗାଈ ଚରାଉଥିବା ଲୋକେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣା ସଂପର୍କରେ ପ୍ରଶାସନ ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏନ୍‌ଡିଆରଏଫ ଓ ଏସ୍‌ଡିଆରଏଫ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଦିନ ୯ଟା ହୋଇଯାଇଥିଲା। ତା’ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ଘଟଣାର ତଦନ୍ତ କରିବେ।

Advertisment

ଏହି ଦୁର୍ଘଟଣା ପରେ ଆଜି ଓ ଆସନ୍ତାକାଲି ପାଇଁ କେଦାରନାଥ ଧାମକୁ ସମସ୍ତ ହେଲିକପ୍ଟର ସେବାକୁ ବନ୍ଦ କରିଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ସେବାକୁ ବନ୍ଦ କରାଯାଇଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି। ପ୍ରତ୍ୟେକ ଯାତ୍ରୀଙ୍କ ଜୀବନ ମୂଲ୍ୟବାନ ବୋଲି ସେ କହିଛନ୍ତି।

୨୩ ମାସର ଝିଅ ସମେତ ୭ ମୃତ

ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରେ ବଦ୍ରିନାଥ କେଦାରନାଥ ଟେମ୍ପଲ କମିଟି (BKTC)ର ଜଣେ କର୍ମଚାରୀ ଥିଲେ। ତାଙ୍କ ନାଁ ବିକ୍ରମ ରାୱତ। ତାଙ୍କ ଘର ଉତ୍ତରାଖଣ୍ଡର ଉଖିମଠରେ।

ମୃତକଙ୍କ ମଧ୍ୟରୁ ତିନି ଜଣ ଗୋଟିଏ ପରିବାରର। ସେମାନେ ହେଉଛନ୍ତି, ମହାରାଷ୍ଟ୍ରର ଯବତମାଲର ରାଜକୁମାର ସୁରେଶ ଜୟସୱାଲ, ଶ୍ରଦ୍ଧା ଜୟସୱାଲ ଓ ସେମାନଙ୍କର ୨୩ ବର୍ଷର ଝିଅ କାଶୀ ରାଜକୁମାର ଜୟସୱାଲ। ତେବେ ତାଙ୍କ ପୁଅ ଭିଭାନ ବଞ୍ଚି ଯାଇଛନ୍ତି। କାରଣ ସେ ତାଙ୍କ ଜେଜେ ବାପାଙ୍କ ସହିତ ତାଙ୍କ ଘରେ ଥିଲେ।

ମୃତ ଯାତ୍ରୀଙ୍କ ମଧ୍ୟରୁ ଅନ୍ୟ ଦୁଇ ଜଣ ହେଉଛନ୍ତି, ଉତ୍ତର ପ୍ରଦେଶର ବିନୋଦ ଦେବୀ (୬୬) ଓ ତୃଷ୍ଟି ସିଂହ (୧୯)। ସେହିଭଳି ହେଲିକପ୍ଟରର ପାଇଲଟ କ୍ୟାପଟେନ ରାଜବୀର ସିଂହ ଚୌହାନ (୩୯)ଙ୍କର ମୃତ୍ୟୁ ଘଟିଛି। ସେ ଜୟପୁରର ବାସିନ୍ଦା ଥିଲେ।

ଗତ ୬ ସପ୍ତାହରେ ୫ମ ଦୁର୍ଘଟଣା

ଗତ ମେ’ ୨ ତାରିଖରେ କେଦାରନାଥ ଧାମ ଖୋଲିବା ପରଠାରୁ ଅର୍ଥାତ୍ ଗତ ୬ ସପ୍ତାହ ମଧ୍ୟରେ ଏହା ହେଉଛି ଉତ୍ତରାଖଣ୍ଡରେ ୫ମ ହେଲିକପ୍ଟର ଦୁର୍ଘଟଣା। ଏସବୁ ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି।

ଜୁନ୍ ୭ ତାରିଖରେ କେଦାରନାଥ ଅଭିମୁଖେ ଯାଉଥିବା ଏକ ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଦେବାରୁ ଏହା ରାଜପଥ ଉପରେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ଏହାର ପଙ୍ଖା ନିକଟରେ ଥିବା ଘରର ଟିଣ ଛପରକୁ ନଷ୍ଟ କରି ଦେଇଥିବା ବେଳେ ଏହାର ଲାଞ୍ଜ ରାସ୍ତାକଡ଼ରେ ଥିବା ଏକ କାର ଉପରେ ପଡ଼ିଥିଲା। ତେବେ ଏଥିରେ ଥିବା ୫ ଜଣ ଯାତ୍ରୀଙ୍କର କିଛି ହୋଇନଥିଲା। କେବଳ ପାଇଲଟ ସାମାନ୍ୟ ଆହତ ହୋଇଥିଲେ।

ଆଜିର ଦୁର୍ଘଟଣା ପରେ ଉତ୍ତରାଖଣ୍ଡରେ ହେଲିକପ୍ଟର ଉଡ଼ାଣ ନେଇ ଏକ କଠୋର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର ବା ଏସ୍‌ଓପି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏସ୍‌ଓପି ପ୍ରସ୍ତୁତ କରିବାକୁ ବୈଷୟିକ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Helicopter Crash