Advertisment

ଗିରଫ ପୂର୍ବରୁ ସୋରେନ କହିଲେ ମନର କଥା; ମୁଁ ଚଟାଣ, ଝଡ଼ଝଞ୍ଜା ବି ମୋତେ ଦୋହଲାଇ ପାରିବେନି

ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ଦ୍ୱାରା ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ନିଜ ‘X’ ରେ ଏପରି ଭାବେ ମନର ଭାବନାକୁ ଉପସ୍ଥାପନ କରିଥିଲେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ।

author-image
Niharika Rout
Hemant Soren

Hemant Soren

‘ଜୀବନ ଏକ ବଡ଼ ଯୁଦ୍ଧ । ମୁଁ ପ୍ରତି ମୁହୂର୍ତ୍ତରେ ଲଢ଼ି ଚାଲିଛି। ଜିତିବା, ହାରିବାର ମୂଲ୍ୟ କିଛି ନାହିଁ। ମୋର କାହାକୁ ଭୟ ନାହିଁ। ଏସବୁ ଛୋଟ ଛୋଟ ଘଟଣା ମୋତେ ଦୋହଲାଇ ପାରିବ ନାହିଁ। ଲଢ଼େଇ ଜାରି ରହିବ । ମୁଁ ମୋ ରାଜ୍ୟବାସୀଙ୍କ ହୃଦୟର ଯନ୍ତ୍ରଣାକୁ ଏପରି ବ୍ୟର୍ଥ ହେବାକୁ ଦେବିନି । ମୁଁ କେବେ ବି ନଇଁବି ନାହିଁ, କେବେ ବି ହାର ମାନିବି ନାହିଁ।, ଜୟ ଝାଡ଼ଖଣ୍ଡା।’

Advertisment

ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ଦ୍ୱାରା ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ନିଜ ‘X’ ରେ ଏପରି ଭାବେ ମନର ଭାବନାକୁ ଉପସ୍ଥାପନ କରିଥିଲେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ । ଲୋକପ୍ରିୟ କବି ଶିବମଙ୍ଗଳ ସିଙ୍ଗ ସୁମନଙ୍କ ଦ୍ୱାରା ରଚିତ କବିତାର କିଛି ଅଂଶ ମଧ୍ୟ ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଉପସ୍ଥାପନ କରିବାକୁ ଭୁଲି ନ ଥିଲେ। କଠିନ ପରିସ୍ଥିତିରେ ବି ସେ ଚଟାଣ ପରି ଛିଡ଼ା ହୋଇ ସବୁ ଝଡ଼ଝଞ୍ଜାକୁ ସାମନା କରିବାର ସତସାହସ ତାଙ୍କ ନିକଟରେ ଥିବା ଉଲ୍ଲେଖ କରିଛନ୍ତି ହେମନ୍ତ ସୋରେନ୍‌ ।

ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ତାଙ୍କୁ ମୁଖ୍ୟମନ୍ତ୍ରୀ ନିବାସରେ ଦୀର୍ଘ ୫ ଘଣ୍ଟାରରୁ ଅଧିକ ସମୟ ଜେରା କରିଥିଲା । ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଥିଲା ।

Advertisment

ତେବେ ଇଡି ଟିମ୍‌ ସହ ନିଜ ବାସଭବନରୁ ରାଜଭବନ ଅଭିମୁଖେ ଯିବା ପୂର୍ବରୁ ସୋରେନ୍‌ଙ୍କ ମୁହଁରେ ହସ ଥିବା ବେଳେ ବାହାରେ ଛିଡ଼ା ହୋଇଥିବା ଜନସାଧାରଣଙ୍କୁ ହାତ ହଲାଇଥିଲେ। ଆଜି ଇଡି ପକ୍ଷରୁ ତାଙ୍କୁ ରାଞ୍ଚିସ୍ଥିତ ସ୍ୱତନ୍ତ୍ର PMLA କୋର୍ଟରେ ହାଜର କରାଯିବା ସହ ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ ବୋଲି ଜଣାଯାଇଛି।

ସୋମବାର ଇଡି ପକ୍ଷରୁ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଇଡିର ଅଧିକାରୀମାନେ ରେଡ କରିଥିଲେ। ରେଡ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ବାସଭବନରେ ଥିବା ଦାମୀ BMW କାରକୁ ମଧ୍ୟ ଇଡି ଜବତ କରିଥିଲା। ଇଡି ହେମନ୍ତ ସୋରେନଙ୍କୁ ଜେରା ପାଇଁ ଡାକିଥିଲେ ମଧ୍ୟ ସେ ୪୦ ଘଣ୍ଟା ଧରି ହଠାତ୍‌ କେଉଁ ଆଡ଼େ ଚାଲି ଯାଇଥିଲେ।

ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଆସିଥିଲେ ହେଁ ସେଠାରୁ କାର ଯୋଗେ ଅତ୍ୟନ୍ତ ଗୋପନ ଭାବେ ଝାରଖଣ୍ଡରେ ପହଞ୍ଚି ଯାଇଥିଲେ। ୪୦ ଘଣ୍ଟା ପରେ ସେ କ୍ୟାମେରା ସାମ୍ନାକୁ ଆସିଥିଲେ। ହେମନ୍ତ ସୋରେନଙ୍କ ପତ୍ତା ମିଳିବା ପରେ ଗତକାଲି ଅପରାହ୍ନ ପ୍ରାୟ ୩ଟା ବେଳେ ଇଡିର ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।

Jharkhand Hemant Soren